କବିତା : ସମୟପକ୍ଷୀ


🖋ସଂଜୀବ କୁମାର ପଣ୍ଡା

ଏମିତି ହୁଅନ୍ତାନି
ମୁଁ କଏଦ୍ କରି ରଖିପାରନ୍ତି
ସମୟପକ୍ଷୀକୁ
ମୋ ସୁନାପଞ୍ଜୁରୀରେ,
ତାକୁ ପୋଷା ମନେଇପାରନ୍ତି
ମୋ ଭାଷା ତା’ ଭାଷା ହୁଅନ୍ତା।

ଘର ପ୍ରତିଷ୍ଠା ବେଳେ
ପୋତାଯାଇଥିବା ନଡ଼ିଆ
ଗଜାହେଇ ଛାତ ଡେଇଁଲାଣି
ଜେଜେ ଆଗ ଭଳି ଆଉ ସଳଖି ପାରୁନାହାନ୍ତି
ଥୁମଥାମ ଚାଲୁଥିବା ପଡିଶାଘର ଝିଅ
ବାହାହୋଇ ମା’ ବନିଗଲାଣି,
ମୋ ଆଖି ସାମ୍ନାରେ
ସବୁକିଛି ନୂଆରୁ ପୁରୁଣା ବନିଯାଉଛି
ଆଉ ମୋର!
ମୋର ତ’ ରୂପାନ୍ତରଣ
ପ୍ରତି ମୁହୂର୍ତ୍ତରେ।

ଏଇନେ ମୁଁ ପଛକୁ ଚାହିଁଲି
ମୋ ସବୁ ବର୍ତ୍ତମାନ ତରଳି ବୋହି ଯାଉଛି
ଠୁଳ ହେଇଯାଉଛି ଅତୀତ ହୋଇ
ଯେପରି ନଈ ପାଣି ଜମାହୁଏ ସାଗର ଗର୍ଭରେ।

ଓଃ!
ସମୟପକ୍ଷୀକୁ କିଏ କେବେ କଏଦ୍ କରିଛି
ନା କରିପାରିବ
ଯେ ମୁଁ ପାରିବି!

ମୋ: 9658715226

ହ୍ଵାଟ୍ସଆପ୍’ରେ ୨୪/୭ ଖବର ଓ ବିଚାର ଏଲର୍ଟ ପାଇବା ପାଇଁ ଏଠି କ୍ଲିକ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.