ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅବସରରେ କୋକସରା ବ୍ଳକର ବିଭିନ୍ନ ସ୍ଥାନରେ ଉତ୍ସବର ମାହୋଲ ଦେଖାଯାଇଛି। ବ୍ଲକର ସର୍ବ ପ୍ରାଚୀନ କାଳେଶ୍ବର ଶୈବପୀଠ, ଝାରବନ୍ଧ ମନ୍ଦିରରେ ସାମୁହିକ ଦୀପଦାନ, ଭଜନ କୀର୍ତ୍ତନ ଓ ହନୁମାନ ଚାଳିଶା ପଠନ କରାଯାଇ ଉତ୍ସବ ପାଳନ ହୋଇଛି। ଏଥିରେ ଶହ ଶହ ଲୋକେ ସାମିଲ ହୋଇ ମନ୍ଦିର ପରିସରରେ ଅଯୋଧ୍ୟାରୁ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧାପ୍ରଶାରଣ ପ୍ରୋଜେକ୍ଟର ମାଧ୍ୟମରେ ଦେଖିଥିଲେ। ସେହିପରି ବ୍ଳକ ସଦର ମହକୁମାଠାରେ ଶହ ଶହ ରାମଭକ୍ତ ସ୍ଥାନୀୟ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରି ଏକ ବାଇକ୍ ଶୋଭାଯାତ୍ରାରେ ଲଡୁଗାଁ ପର୍ଯ୍ୟନ୍ତ ଯାଇଥିଲେ, ଏବଂ ସେଠାରୁ କୁମୁଡାମୁଣ୍ଡା ଧବଳେଶ୍ୱର ଶିବ ମନ୍ଦିରରୁ ଗୁଡହାଣ୍ଡି ଡୋକରୀ ଚଞ୍ଚରାରେ ପହଞ୍ଚି ଥିଲେ। ସେଠାରେ ଥିବା ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ଭବ୍ୟ ଉତ୍ସବ ପାଳନ କରାଯାଇଥିଲା। ଏହି କ୍ରମରେ କୁନି କୁନି ପିଲାଙ୍କୁ ପ୍ରଭୁ ଶ୍ରୀରାମଙ୍କ ବେଶରେ ସୁସଜ୍ଜିତ କରାଯାଇ ଥିଲା। ମନ୍ଦିରରେ ରାମ ଲାଲାଙ୍କ ଭକ୍ତି ସଂଗୀତ ଓ ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଥିଲା ପୁରା ପରିବେଶ। ଆମପାଣି ପଞ୍ଚାୟତ ପାତ୍ରବସାଠାରେ ମଧ୍ୟ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ରାଜିବ ଯୁବ ସଂସଦ ଓ ଗ୍ରାମବାସୀ ଦ୍ବାରା ନଗର ପରିକ୍ରମା କରାଯିବା ସହ ହନୁମାନ ଚାଳିଶା ପଠନ, ସୁନ୍ଦରା କାଣ୍ଡ ପାରାୟଣ ଆଦି ପଠନ କରାଯାଇ ଉତ୍ସବ ପାଳନ କରାଯାଇଛି।