ବାଲେଶ୍ୱରର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ଆଶୀଷ ଠାକରେ

ସମସ୍ତଙ୍କୁ ସହଯୋଗିତା ଏବଂ ସହଭାଗିତାରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଶୀଷ ଠାକରେ (ଭା.ପ୍ର.ସେ.)। ଶନିବାର ଦିନ ପୂର୍ବାହ୍ନରେ ଶ୍ରୀ ଠାକରେ ବାଲେଶ୍ୱରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଗମନ କରି ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ସମୟରେ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ। ଏଥି ସହିତ ଜିଲ୍ଲାପାଳ ଶ୍ରୀ ଠାକରେ ସମସ୍ତ ଅଧିକାରୀଙ୍କୁ ସାଧୁବାଦ ଜଣାଇ ସ୍ଥାନୀୟ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷଠାରେ ଏକ ସମୀକ୍ଷା ବୈଠକ କରିଥିଲେ। ସମସ୍ତ ଅଧିକାରୀମାନଙ୍କ ସହିତ କଥୋପକଥନ ପରେ ଶ୍ରୀ ଠାକରେ ସମସ୍ତ ଅଧିକାରୀଙ୍କୁ ସହଯୋଗିତା ଏବଂ ସହଭାଗିତାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଜିଲ୍ଲାପାଳ ସମସ୍ତ ଅଧିକାରୀମାନଙ୍କୁ କାର୍ଯ୍ୟରେ ତତ୍ପରତା ଦେଖାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜଣେ ବରିଷ୍ଠ ଏବଂ ଦକ୍ଷ ପ୍ରଶାସକ ଭାବେ ଶ୍ରୀ ଠାକରେ ବେଶ ପରିଚିତ ଏବଂ ନିଜ କାର୍ଯ୍ୟ ଅନୁଭବ ଦ୍ୱାରା ବାଲେଶ୍ୱର ଜିଲ୍ଲାର ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ସୁଚାରୁ ରୂପେ କରିବେ ବୋଲି ସମସ୍ତ ଜିଲ୍ଲାବାସୀ ଆଶା ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଶ୍ରୀ ଠାକରେ ପୂର୍ବରୁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.