କିଶୋରୀଚରଣ ପୁରସ୍କାର ପାଇଲେ କଥାଶିଳ୍ପୀ ସୁଧୀର ଧଙ୍ଗଡ଼ାମାଝୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରଖ୍ୟାତ କଥାକାର କିଶୋରୀଚରଣ ଦାସଙ୍କ ଜନ୍ମ ଶତବାର୍ଷିକ ସମାରୋହ ଅବସରରେ ଗଳ୍ପ ସଂକଳନ ‘ଖଂଗାର’ ପାଇଁ କଳାହାଣ୍ଡିର ଯୁବ କଥାଶିଳ୍ପୀ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କୁ ମର୍ଯ୍ୟାଦାଜନକ ‘କିଶୋରୀଚରଣ ପୁରସ୍କାର’ ପ୍ରଦାନ କରାଯାଇଛି। ପୁରସ୍କାର ସ୍ବରୂପ ତାଙ୍କୁ ପାଞ୍ଚ ହଜାର ଟଙ୍କାର ନଗଦ ଅର୍ଥରାଶି, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା। କିଶୋରୀଚରଣ ସ୍ମୃତି ସଂସଦ ପକ୍ଷରୁ କଟକ ଶତାବ୍ଦୀ ଭବନରେ ଆୟୋଜିତ ସମାରୋହରେ ଉଦ୍‌ଘାଟକ ଭାବେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଗୋପାଳ ବଲ୍ଲଭ ପଟ୍ଟନାୟକ, ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଥାକାର ଡକ୍ଟର ବିଭୂତି ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ହରପ୍ରସାଦ ଦାସ ଯୋଗ ଦେଇ ଶ୍ରୀ ଧଙ୍ଗଡ଼ାମାଝୀଙ୍କୁ ପୁରସ୍କୃତ କରିଥିଲେ। ସ୍ମୃତି ସଂସଦର ସଭାପତି ନ୍ୟାୟମୂର୍ତ୍ତି ବିମଳ ପ୍ରସାଦ ଦାସ ଅଧ୍ୟକ୍ଷତା କରିଥିବା ବେଳେ ସାଧାରଣ ସଂପାଦକ ପ୍ରଫେସର ବିଜୟାନନ୍ଦ ସିଂହ ସ୍ବାଗତ ଭାଷଣ ଏବଂ ସଦସ୍ୟ ତରୁଣ କୁମାର ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ବିଶିଷ୍ଟ କଥାକାର ଦେବବ୍ରତ ମଦନରାୟ, ଯୁବ କଥାକାର ଯୋଗେଶ୍ବର ପଣ୍ଡା ଓ ସ୍ନେହଲତା ଦାସ ଲେଙ୍କା ମଧ୍ୟ ପୁରସ୍କୃତ ହୋଇଥିଲେ। ସ୍ମୃତି ସଂସଦ ଦ୍ବାରା ତଥା ‘ବିଦ୍ୟାପୁରୀ’ ପକ୍ଷରୁ ପ୍ରକାଶିତ ‘ଶତାବ୍ଦୀର କଥାଶିଳ୍ପୀ କିଶୋରୀଚରଣ’ ପୁସ୍ତକ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ସ୍ମୃତି ସଂସଦର ସଦସ୍ୟ ଦୁଷ୍ମନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଉପ-ସଭାପତି ବୀରେନ୍ଦ୍ର କୁମାର ପଟ୍ଟନାୟକ, ସଦସ୍ୟ ଡକ୍ଟର ଅଭୟ କୁମାର ରାଉତ, ସୁକାନ୍ତ ପ୍ରସାଦ ନନ୍ଦ, ଶିବାଶିଷ କର, ଡକ୍ଟର ସାରଦା ପ୍ରସାଦ ମହାନ୍ତି, ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.