ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବଡଛତ୍ରଙ୍ଗ ଠାରେ ସ୍ଥାପନ ହୋଇଥିବା ବି.ଏସ୍.ଏନ୍.ଏଲ୍ ମୋବାଇଲ ନେଟୱର୍କ ଆଜକୁ ପ୍ରାୟ ଦୁଇ ମାସରୁ ଉର୍ଦ୍ଧ୍ବ ସମୟ ହେବ ସେବା ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ ନଜରକୁ ଆସିଛି। ଗୋଟିଏ ପଟେ ରାସ୍ତା ନିର୍ମାଣ ଚାଲୁଥିବା ବେଳେ ରାସ୍ତା କଡ ଦେଇ ସଂଯୋଗ ହୋଇଥିବା ନେଟୱର୍କ କେବୁଲ୍ ଛିଣ୍ଡି ଯାଉଥିବା ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହେଉଛି। ହେଲେ ବି.ଏସ୍.ଏନ୍.ଏଲ୍ ଉପଭୋକ୍ତା ମାନେ ମୋବାଇଲ ଇଣ୍ଟରନେଟ ସୁବିଧାରୁ ବଞ୍ଚିତ ହୋଇଥିବା ବେଳେ ବିଭିନ୍ନ ଜରୁରୀକାଳୀନ ସେବା ପାଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ତୁରନ୍ତ ଏବଂ ସ୍ଥାୟୀ ସମାଧାନ ନିମନ୍ତେ ଶନିବାର ବଡଛତ୍ରଙ୍ଗ ଗ୍ରାମର ଯୁବ ସମାଜ ସେବୀ ଲମ୍ବୋଦର ନାଏକଙ୍କ ନେତୃତ୍ୱରେ ଗ୍ରାମର ରାଧାକୃଷ୍ଣ ଯୁବକ ସଂଘର ସଦସ୍ୟଙ୍କ ସମେତ ଗ୍ରାମବାସୀ ଥୁଆମୂଳ ରାମପୁର ବିଡ଼ିଓ ଏବଂ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି।ଥୁଆମୂଳ ରାମପୁର ଭଳି ବଣପାହାଡ ଘେରା ଅଞ୍ଚଳରେ ଅନେକ ସମସ୍ୟା ରହିଛି।ତନ୍ମଧ୍ୟରୁ ମୋବାଇଲ ନେଟୱର୍କ ଏକ ପ୍ରମୁଖ ସମସ୍ୟା। ଡିଜିଟାଲ ଯୁଗର ଏଇ ଦୂରଭାଷୀ ବାର୍ତ୍ତା ଆଦାନ ପ୍ରଦାନର ମାଧ୍ୟମ ସାଜିଥିବା ମୋବାଇଲ ନେଟୱର୍କ ସେବା ଏଇ ବ୍ଲକର ବିଭିନ୍ନ ଅଞ୍ଚଳରେ ଏବେବି ଅପହଞ୍ଚ। ଥୁଆମୂଳ ରାମପୁର ବ୍ଲକ ବ୍ୟତୀତ ଅନ୍ୟ ଅଞ୍ଚଳରେ ୫ଜି ନେଟୱର୍କ ସେବା ଉପଲବ୍ଧ ହୋଇସାରିଥିବା ବେଳେ ଥୁଆମୂଳ ରାମପୁର ବ୍ଲକର ଅନେକ ସ୍ଥାନରେ ବି.ଏସ୍.ଏନ୍.ଏଲ୍, ଏୟାର ଟେଲ୍, ଜିଓ କମ୍ପାନୀ ଭଳି ମୋବାଇଲ ନେଟୱର୍କ ସ୍ଥାପନ ହୋଇସାରିଛି।କିନ୍ତୁ ଏସବୁ ମୋବାଇଲ ଟାଓ୍ବାର୍ ସ୍ଥାପନ ହୋଇଥିଲେ ମଧ୍ୟ ସଠିକ୍ ଭାବେ ସେବା ଯୋଗାଉନଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ହେଲେ ଅନେକାଂଶରେ କାମଚଳା ୨ଜି ସେବା ମଧ୍ୟ ଭଲ ଭାବରେ ଚାଲୁନଥିବା ଜଣାପଡିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ସମାଧାନ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି।