ସମ୍ଭାବ୍ୟ ବିଜେପି-ବିଜେଡି ମେଣ୍ଟକୁ ନେଇ ନର୍ଲାରେ ଚର୍ଚ୍ଚା: କଂଗ୍ରେସ ଶିବିରରେ କଳା ବାଦଳ, ବିଜେପି ଟିକେଟ ଆଶାୟୀଙ୍କ ମଧ୍ୟରେ ଭାଲେଣି

ଏଥର ସ୍ଥାନୀୟ ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେଇପାରେ ବିଜେଡି!

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦିଲ୍ଲୀରୁ ଫେରି ଶୁକ୍ରବାର ରାତିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସ୍ପଷ୍ଟ କରିଛନ୍ତି – ଓଡ଼ିଶାରେ ବିଜେପି ଓ ବିଜେଡ଼ି ମଧ୍ୟରେ କୌଣସି ମେଣ୍ଟ ହେବନାହିଁ। ବିଜେପି ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାଠି ଲଢ଼ି ସରକାର ଗଠନ କରିବ। ବିଜେଡ଼ି ପକ୍ଷରୁ ମଧ୍ୟ ମେଣ୍ଟ ହେବନାହିଁ ବୋଲି ସ୍ପଷ୍ଟୀକରଣ ଦିଆଯାଇଛି। ଶନିବାର ସନ୍ଧ୍ୟାରେ ବିଜେପିର ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି କିନ୍ତୁ ଏଥିରେ ଓଡ଼ିଶାର କୌଣସି ଆସନର ନାଁ ନାହିଁ, ଯାହାକୁ ନେଇ ସଷ୍ପେନ୍ସ ଜାରି ରହିଛି। ଏସବୁ ଭିତରେ ନର୍ଲାରେ ଜୋର ଧରିଛି ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା।

Omkar Vasthu
Omkar Vasthu

ଆସନ୍ତା ମାର୍ଚ୍ଚ ୫ରେ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସୁଛନ୍ତି। ସେ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଦ୍ବାନ୍ଦାତ୍ମକ ସ୍ଥିତି ମଧ୍ୟରେ କଳାହାଣ୍ଡି ଜିଲ୍ଲା ନର୍ଲାରେ ବିଜେପି ଓ ବିଜେଡିର ମେଣ୍ଟ ରାଜନୀତିକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଶୁଣିବାକୁ ମିଳୁଛି। ନର୍ଲା ୮୧ ନମ୍ବର ବିଧାନ ସଭା ଆସନ ସବୁ ବେଳେ ଚର୍ଚ୍ଚାରେ ରହିଥିବା ବେଳେ ଏଇଠି ବିଜେଡିର ଟିକେଟ ଆଶାୟୀଙ୍କ ଲମ୍ବା ତାଲିକା ମଧ୍ୟ ଦେଖିବାକୁ ମିଳିଛି। ନର୍ଲାରେ ଗତ ୨୦୧୯ ସାଧାରଣ ନିର୍ବାଚନରେ ସମସ୍ତ ହେଭିୱେଟ ଆଶାୟୀଙ୍କୁ ମାତ ଦେଇ କଂଗ୍ରେସରୁ ଆସି ବିଜେଡି ଟିକେଟ ହାତେଇ ଭୁପିନ୍ଦର ସିଂ ନର୍ଲା ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ତାଙ୍କ ସମୟରେ ଗତ ୫ ବର୍ଷ ମଧ୍ୟରେ ସେମିତି କିଛି ଆଖି ଦୃଶିଆ କାମ କରିପାରି ନଥିବାରୁ ଜନତା ଜନାର୍ଦ୍ଦନଙ୍କ ପ୍ରିୟ ଭାଜନ ହେବାର ବିଫଳ ହୋଇଛନ୍ତି। ଏଣୁ ଦଳ ନର୍ଲାରେ ନୂଆ ପ୍ରାର୍ଥୀ ଦେବ ବୋଲି ଚର୍ଚ୍ଚା ଚାଲିଛି। ନର୍ଲାରେ ନିଜ ସହଧର୍ମିଣୀଙ୍କୁ ଦୁଇ ଦୁଇ ଥର ବ୍ଲକ ଅଧ୍ୟକ୍ଷା ଓ ନିଜେ ଦୁଇ ଦୁଇ ଥର ବ୍ଲକ ଉପାଧ୍ୟକ୍ଷ ରହିଥିବା ଦୁର୍ଗା ପ୍ରସାଦ ମହାନ୍ତି ବିଜେଡି ଟିକେଟ ଆଶାୟୀ ପ୍ରାର୍ଥୀ ଭାବରେ ସର୍ବାଗ୍ରେ ରହିଥିବା ବେଳେ ଗତ ୨୦୧୯ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟ ନମିଳିବାରୁ ବାହ୍ୟ ପ୍ରାର୍ଥୀଙ୍କୁ ବିରୋଧ କରି ସ୍ୱାଧିନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢି ରେକର୍ଡ ସଂଖ୍ୟକ ୨୨,୦୦୦ରୁ ଉର୍ଦ୍ଧ୍ୱ ଭୋଟ ପାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲେ। ବର୍ତ୍ତମାନର ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଦିବଙ୍ଗତ ନେତା ସ୍ୱର୍ଗତ କିରଣଚନ୍ଦ୍ର ସିଂଦେଓଙ୍କ ସୁପୁତ୍ର ପୁଷ୍ପେନ୍ଦ୍ର ସିଂ ଦେଓ ମଧ୍ୟ ଆଶାୟୀ ପ୍ରାର୍ଥୀ ଭାବରେ ବିଜେଡି ଟିକେଟ ଦୌଡରେ ଆଗରେ ରହିଛନ୍ତି। ଗତ ନିର୍ବାଚନରେ ଭୁପିନ୍ଦର ସିଂଙ୍କ ଚାପ ଯୋଗୁଁ ତାଙ୍କ ଟିକେଟ କଟିଲା ଓ ପଞ୍ଚାୟତରାଜ ନିର୍ବାଚନରେ ସେଥିପାଇଁ ଦଳ ତାଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଆସନରେ ବସାଇଲା ବୋଲି ମଧ୍ୟ ଜିଲ୍ଲାରେ ଚର୍ଚ୍ଚା ହୋଇଥିଲା। ଏଇ ନିର୍ବାଚନରେ କିନ୍ତୁ ଶ୍ରୀ ସିଂଦେଓଙ୍କୁ ବିଜେଡି ଦଳୀୟ ଟିକେଟ ନଦେଲେ ସ୍ୱାଧିନ ଭାବରେ ମଧ୍ୟ ପ୍ରାର୍ଥୀ ହେବା ସ୍ଥିର ନିଶ୍ଚିତ ପ୍ରାୟ। କାରଣ ନିର୍ବାଚନ ମଣ୍ଡଳୀ ସାରା ବିପୁଳ ଜନସମର୍ଥନ ତାଙ୍କ ପ୍ରତି ରହିଥିବା ଆଲୋଚନା ହେଉଛି। ସେହିଭଳି ଆଦିବାସୀ ଯୁବ ନେତା ହରିଶଙ୍କର ମାଝୀ ନର୍ଲାର ଜିଲ୍ଲା ପରିଷଦ ସଦସ୍ୟ ରହି ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ଗୁଡିକ ଘରେ ଘରେ ପହଞ୍ଚାଇ ବିଜେଡି ସଙ୍ଗଠନକୁ ତୃଣମୂଳ ସ୍ତରରେ ସୁଦୃଢ କରିବାରେ ଦିନରାତି ଏକ କରିଦେଇଛନ୍ତି। ଆଦିବାସୀ ଯୁବ ନେତା ହରିଶଙ୍କର ମାଝୀଙ୍କ ନାମ ମଧ୍ୟ ବିଜେଡ଼ି ପ୍ରାର୍ଥୀ ଭାବରେ ଚର୍ଚ୍ଚାକୁ ଆସୁଛି। ଆଦିବାସୀ ବହୁଳ ନର୍ଲା ବିର୍ବାଚନ ମଣ୍ଡଳୀରେ ତାଙ୍କର ବେଶ ଜନାଦୃତ ରହିଥିବା ଜଣାପଡିଛି। ଏହାପରେ ରାଜ୍ୟ ସରକାରଙ୍କର ପ୍ରଶାସନିକ ଅଧିକାରୀ ଭାବରେ ରହି କାର୍ଯ୍ୟକରି ଆସିଥିବା ଦୁଇ ଅଧିକାରୀ ନୃପରାଜ ସାହୁ ଓ ପ୍ରେମାନିଧି ସେଠ ମଧ୍ୟ ବିଜେଡି ଟିକେଟ ଦୌଡରେ ରହିଥିବା ଜଣାପଡିଛି। ସ୍ଥାନୀୟ ପ୍ରାର୍ଥୀ ବାଦ ଆଉ ୪ ଜଣ ପ୍ରାର୍ଥୀ ନର୍ଲା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ ଆଶାୟୀ ରହିଥିବା ବେଳେ ମମିତା ମର୍ଡର କେସ ବିବାଦରେ ଛନ୍ଦିହୋଇ ପଡ଼ିଥିବା ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମଧ୍ୟ ନର୍ଲା ପାଇଁ ଲବି କରୁଥିବା ଓ ଉପରେ ଚାପ ପକାଉଥିବା ଚର୍ଚ୍ଚା ଆଲୋଚନା ହେଉଛି।

Pearl dental clinic
Near Ashish Medical Store, Bhawanipatna

ସେହିଭଳି ବିଜେପି ତରଫରୁ ସ୍ଥାନୀୟ ପ୍ରାର୍ଥୀ ଭାବରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ, କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି, ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ତଥା କୁଲତା ସମାଜ ଯୁବ କୁଲତା ସଭାପତି ପ୍ରଦୀପ କୁମାର ନାଏକଙ୍କ ନାମ ଓ ଜନସମର୍ଥନରେ ସର୍ବାଗ୍ରେ ରହିଥିବା ଜଣାପଡିଛି । ନର୍ଲା ନିର୍ବାଚନ ମଣ୍ଡଳୀ ଓବିସି ସମ୍ପ୍ରଦାୟ ବହୁଳ ନିର୍ବାଚନ ମଣ୍ଡଳୀ ଅଟେ ତେଣୁ ସ୍ଥାନୀୟ ପ୍ରାର୍ଥୀ ଭାବରେ ଶ୍ରୀ ନାଏକଙ୍କୁ ବିଜେପି ପାର୍ଟି ଟିକେଟ ଦେଲେ ନର୍ଲା ଆସନଟି ବିଜେପି ଖାତାକୁ ଯିବାର ବହୁତ ସମ୍ଭାବନା ରହିଥିବା ମଧ୍ୟ ରାଜନୈତିକ ସମୀକ୍ଷକ ମାନେ ମତପ୍ରକାଶ କରୁଛନ୍ତି। ପୂର୍ବରୁ ଦୁଇ ଗୋଟି ନିର୍ବାଚନରେ ଟିକେଟ ପାଇ ପରାଜିତ ହୋଇଥିବା ବିଜେପି ପ୍ରାର୍ଥୀ ବର୍ତ୍ତମାନର ବିଜେପି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର ଓ ଅନିରୁଦ୍ଧ ପଧାନ ମଧ୍ୟ ପୁଣିଥରେ ଟିକେଟ ଲବିରେ ରହୁଥିବା ଜାଣିବାକୁ ମିଳିଛି ଳ।
ଅନ୍ୟପକ୍ଷେ କଂଗ୍ରେସ ନର୍ଲାରେ ନେତୃତ୍ୱ ଶୂନ୍ୟ ହୋଇ ପଡିଥିବା ବେଳେ ନର୍ଲା ବିଧାନସଭା ଆସନ ପାଇଁ ପୁର୍ବତନ ମନ୍ତ୍ରୀ ଭକ୍ତଚରଣ ଦାସ ନିଜେ ପ୍ରାର୍ଥୀ ହେଉଥିବା ନର୍ଲାରେ ଚର୍ଚ୍ଚା ଯୋର ଧରିଛି।

Udyog Nursery
Udyogi Nursery

ଯେତେ ଯାହା ଜଗନ୍ନାଥ ସଂସ୍କୃତି ଓ ମନ୍ଦିର ମଠ ମାନଙ୍କୁ ବିଜେଡି ଅନୁଦାନ ପ୍ରଦାନ କରିଥିଲେ ମଧ୍ୟ ରାମ ମନ୍ଦିର ପ୍ରତିଷ୍ଠା କୁ ନେଇ ପ୍ରତ୍ୟେକ ହିନ୍ଦୁ ମଧ୍ୟରେ ଏକ ଆଭ୍ୟନ୍ତରୀଣ ସୁଅ ଛୁଟୁଛି। ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ନର୍ଲା କାହିଁକି ସାରା କଳାହାଣ୍ଡି ଜିଲ୍ଲା ଜନ ମାନସରେ ପ୍ରଧାନମନ୍ତ୍ରୀ ମୋଦୀ ହିରୋ ସାଜିଛନ୍ତି। ଏଣୁ ଓଡିଶାରେ ମୋଦୀ ମେଜିକର ପ୍ରଭାବକୁ ବିଜେଡି ବେଶ ଅନୁଭବ କରି ଭୟଭୀତ ହୋଇ ପଡ଼ିଛି। ଅନ୍ୟପକ୍ଷେ ବିଜେଡି ଓ ବିଜେଡି ମଧ୍ୟରେ ଲଢେଇ ହେଲେ କଂଗ୍ରେସ ଫାଇଦା ପାଇବ ବୋଲି ଅନେକ ଆଶା ବାନ୍ଧି ବସିଥିଲା। ହେଲେ “ମେଣ୍ଟ” ପ୍ରସଙ୍ଗ ଯେ କଂଗ୍ରେସର ନିଦ ହଜେଇ ଦେଇଛି ଏଥିରେ ତିଳେହେଲେ ସନ୍ଦେହ ନାହିଁ।

ରାମ ମନ୍ଦିର ପ୍ରସଙ୍ଗ ଓ ମୋଦୀଙ୍କ ପ୍ରଭାବ ଯୋଗୁଁ ଅଳ୍ପ ଖର୍ଚ୍ଚ ଓ ବିନା ପରିଶ୍ରମରେ ବିଜେପି ପ୍ରାର୍ଥି ନିର୍ବାଚନ ବୈତରଣୀ ସୁବିଧାରେ ପାର ହେବାର ଆଶା ବାନ୍ଧି ବସିଥିଲେ। ମେଣ୍ଟ ପ୍ରସଙ୍ଗ ଯୋଗୁଁ ଓଡିଶା ବିଜେପି ଶିବିରରେ ନିରାଶାର କଳାବାଦଳ ଘୋଟିଥିବା ଓ ବିଜେପି ଟିକେଟ ଆଶାୟୀ ପ୍ରାର୍ଥୀ ମାନେ ମାନସିକ ସ୍ତରରେ ଭାଙ୍ଗି ପଡ଼ୁଥିବା ଭଳି ପରିସ୍ଥିତି ଦେଖା ଦେଇଥିବା ଚର୍ଚ୍ଚା ଓ ଆଲୋଚନା ହେଉଛି। ହେଲେ ରାଜନୈତିକ ବିଶେଷଜ୍ଞ ଓ ସମୀକ୍ଷକଙ୍କ ମତାନୁଯାୟୀ ଓଡିଶାରେ ବିଜେପି ବିଜେଡି ମଧ୍ୟରେ ମେଣ୍ଟ ହେଲେ କଂଗ୍ରେସ ସମୂଳେ ନିଶ୍ଚିହ୍ନ ହୋଇଯିବ ଏବଂ  ପ୍ରଧାନମନ୍ତ୍ରୀ ଆହୁରି ଶକ୍ତିଶାଳୀ ହୋଇଉଠିବେ। ଏଣୁ ମେଣ୍ଟ ହେବା ମଙ୍ଗଳମୟ ଓ ଶୁଭ ସୂଚନା ବୋଲି ମତବ୍ୟକ୍ତ କରୁଛନ୍ତି। ହେଲେ ଦେଖାଯାଉ ରାଜନୀତି ପାଣିପାଗ ଆଗକୁ କ’ଣ କହୁଛି?

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.