କେନ୍ଦ୍ର ସାହିତ୍ୟ ଏକାଡେମୀ ଚଳିତ ମାର୍ଚ୍ଚ ୧୧-୧୬ ନୂଆଦିଲ୍ଲୀରେ ପାଳନ କରୁଛି ବିଶ୍ଵର ସର୍ବବୃହତ୍ ସାହିତ୍ୟ ଉତ୍ସବ

ବାଲେଶ୍ୱରରୁ ଯୋଗ ଦେବେ ଓଡ଼ିଆ ଭାଷାର କବି କୃଷ୍ଣ କୁମାର ମହାନ୍ତି

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଆସନ୍ତା ୧୧ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ସ୍ଥିତ ରବୀନ୍ଦ୍ର ଭବନ ପରିସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପାଳନ କରିବାକୁ ଯାଉଛି ବିଶ୍ଵର ସର୍ବବୃହତ୍ ସାହିତ୍ୟ ଉତ୍ସବ ‘ଫେଷ୍ଟିଭାଲ୍ ଅଫ୍ ଲେଟରସ୍’। ଏହି ବିଶାଳ ସାହିତ୍ୟିକ ସମାବେଶରେ ସାରା ଦେଶରୁ ୧୦୦୦ରୁ ଅଧିକ ଲେଖକ, ବିଦ୍ଵାନ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ସମାଗମ ହେବା ସହିତ ୧୭୫ଟିରୁ ଅଧିକ ଦେଢଘଣ୍ଟିଆ ଅଧିବେଶନ ୧୭୫ରୁ ଅଧିକ ଭାରତୀୟ ଭାଷାରେ ଆୟୋଜନ କରାଯିବାର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଏହି ବିଶାଳ ସାହିତ୍ଯ ଉତ୍ସବରେ ଭାଗ ନେବାକୁ କିଛି ଓଡ଼ିଆ ଲେଖକଙ୍କୁ ଆମନ୍ତ୍ରଣ କରାଯାଇଥିବା ବେଳେ ବାଲେଶ୍ବରରୁ ସୁପରିଚିତ କବି ଓ ସମ୍ପାଦକ କୃଷ୍ଣ କୁମାର ମହାନ୍ତି ଯୋଗ ଦେଉଛନ୍ତି। ମାର୍ଚ୍ଚ ୧୫ ତାରିଖ ଦିନ ପ୍ରଥମ ଅଧିବେଶନରେ ବହୁଭାଷୀ କବି ସମ୍ମେଳନ ମଞ୍ଚରେ ଶ୍ରୀମହାନ୍ତି ତାଙ୍କର ଓଡ଼ିଆ କବିତା ଇଂରାଜୀ ଅନୁବାଦ ସହିତ ପାଠ କରିବାର କାର୍ଯକ୍ରମ ରହିଛି। ଶ୍ରୀମହାନ୍ତି ଏହା ପୂର୍ବରୁ ସାହିତ୍ୟ ଏକାଡେମୀର ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ଓଡ଼ିଆ ଭାଷାରେ ଗଳ୍ପ କବିତା ଲେଖି ଦୀର୍ଘ ଚାରି ଦଶନ୍ଧି ଧରି ସେ ନିଜର ସାହିତ୍ଯ ସାଧନା ଜାରି ରଖିଛନ୍ତି। ତାଙ୍କର କିଛି କବିତା ଇଂରାଜୀ, ବଙ୍ଗଳା, ନେପାଳୀ, ସାନ୍ତାଳୀ ଭାଷାରେ ଅନୂଦିତ ହୋଇ ଆଦୃତ ହୋଇଛି। ସେ ସମ୍ପ୍ରତି ବାଲେଶ୍ଵରରୁ ପ୍ରକାଶିତ ‘ରେବତୀ’ ପତ୍ରିକାର ସହଯୋଗୀ ସମ୍ପାଦକ ଭାବେ କାର୍ଯ୍ୟଭାର ତୁଲାଉଛନ୍ତି।
ଏହି ସାହିତ୍ଯ ଉତ୍ସବରେ ଓଡିଆ ଭାଷାରୁ ଅନ୍ୟ ଯେଉଁ ଲେଖକମାନ ନିମନ୍ତ୍ରିତ ହୋଇଛନ୍ତି ସେମାନେ ହେଲେ, ଡକ୍ଟର ପ୍ରତିଭା ରାୟ, ହରପ୍ରସାଦ ଦାସ, ଅମରେନ୍ଦ୍ର ଖଟୁଆ, ବିଜୟାନନ୍ଦ ସିଂହ, ପ୍ରଦୀପ ବିଶ୍ଵାଳ, ପ୍ରବାସିନୀ ମହାକୁଡ଼, ଡକ୍ଟର ଶୁଭଶ୍ରୀ ଲେଙ୍କା, ପବିତ୍ର ମୋହନ କର, ଆଶିଷ ଗଡନାୟକ, ଡକ୍ଟର ଇତି ସାମନ୍ତ, ଅରବିନ୍ଦ ରାୟ, ରୀତା ନାୟକ ପ୍ରମୁଖ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.