ନର୍ଲାରେ ବିକାଶର ନୂତନ ସୂର୍ଯ୍ୟୋଦୟ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ଚପଟଖଣ୍ଡା ଠାରେ ସ୍ଥାପିତ ହେବ ଇଲେକ୍ଟ୍ରିକ୍ ରେଳ ଇଂଜିନ ପିରିଓଡିକାଲ୍ ଓଭର ହୌଲିଙ୍ଗ କାରଖାନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭର୍ଚୁଆଲ ମୋଡ଼ରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ସହ ନର୍ଲାରେ ବିକାଶର ନୂତନ ସୂର୍ଯ୍ୟୋଦୟ ହୋଇଛି। ଆଜି ପଞ୍ଚାୟତିରାଜ ଦିବସ ଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଦିନିକିଆ ଓଡ଼ିଶା ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ୧୯୬୦୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେଇଛନ୍ତି। ଏହି ପ୍ରକଳ୍ପମାନଙ୍କ ମଧ୍ୟରେ ଅଛି ନର୍ଲା ଠାରେ ହେବାକୁ ଥିବା ଇଲେକ୍ଟ୍ରିକ୍ ରେଳ ଇଂଜିନ ପିରିଓଡିକାଲ୍ ଓଭର ହୌଲିଙ୍ଗ କାରଖାନା। ନର୍ଲାରୋଡ ରେଳ ଷ୍ଟେସନରେ ଏନେଇ ଆୟୋଜିତ ହୋଇଥିଲା ଭବ୍ୟ କାର୍ଯ୍ୟକ୍ରମ। ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଭର୍ଚୁଆଲ ମୋଡ଼ରେ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ, ଯାହାର ସିଧା ପ୍ରସାରଣ ଏଲଇଡି ମାଧ୍ୟମରେ ଦେଖିଥିଲେ ଉପସ୍ଥିତ ଜନତା। ନର୍ଲାରୋଡ ରେଳ ଷ୍ଟେସନର ସମାବେଶରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ଏଡିଆରଏମ ଏ କେ ସିଂ, ଡିଏନ କେବି ରାଓ, ଡିଏନ ଦକ୍ଷିଣ,ପଦ୍ମ ଶ୍ରୀ ପତାୟଟ ସାହୁ ମଞ୍ଚାସୀନ ଥିଲେ। ଡିଏନ ଶ୍ରୀ ରାଓ ସ୍ଵାଗତ ଭାଷଣ ଦେଇଥିଲେ। ଇତ୍ୟବସରରେ ପଦ୍ମ ଶ୍ରୀ ପଟାୟତ ଶ୍ରୀ ସାହୁଙ୍କୁ ଅତିଥି ବୃନ୍ଦ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥଲେ। ଏହାପରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମୋଦୀ ଗ୍ୟାରେଣ୍ଟି ଓ ମୋଦୀଙ୍କ ଜନ ହିତକର ଯୋଜନା ଗୁଡିକ ବିଷୟରେ ମାର୍ଗଦର୍ଶନ ଦେଇଥିଲେ।
ଏଠାରେ ପ୍ରକାଶଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମଙ୍ଗଳବାର ହାଇଦ୍ରାବାଦରୁ ବାୟୁସେନାର ସ୍ବତନ୍ତ୍ର ବିମାନରେ ଓଡ଼ିଶା ଆସିଛନ୍ତି। ସେ ଭୁବନେଶ୍ବର ବିମାନବନ୍ଦରରେ ଅପରାହ୍ନରେ ପହଞ୍ଚିବାପରେ ସେଠାରୁ ହେଲିକପ୍ଟର ଯୋଗେ ସିଧା ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯାଇଥିଲେ। ଅପରାହ୍ନ ୩ଟା ୨୭ରେ ଲୋକାର୍ପଣ ଓ ଶିଳାନ୍ୟାସର ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀ ପାଖ ପଡ଼ିଆରେ ଆୟୋଜିତ ‘ମୋଦୀ ଗ୍ୟାରେଣ୍ଟି’ ସଭାରେ ‘ବିକଶିତ ଓଡ଼ିଶା-ବିକଶିତ ଭାରତ’ ଯୋଦ୍ଧାମାନଙ୍କୁ ମଧ୍ୟ ସମ୍ବୋଧିତ କରିଛନ୍ତି। ତେବେ ନର୍ଲାରୋଡରେ ଆୟୋଜିତ ସମାବେଶରେ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା । ରେଳବାଇ ପୋଲିସ ଓ ନର୍ଲା ପୋଲିସ ର ସହଯୋଗରେ କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବରେ ଅନୁଷ୍ଠିତ ହୋଇଥଲା। ଦୀର୍ଘ ୧୩ ବର୍ଷର ସଂଗ୍ରାମ ପରେ ନର୍ଲା ବାସୀଙ୍କ ସ୍ବପ୍ନ ସାକାର ହୋଇଥିବାରୁ ସମସ୍ତେ ଖୁସି ଥିବା ଜଣାପଡ଼ିଛି। ଇତ୍ୟବସରରେ ରୁପ୍ରାରୋଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀମାନଙ୍କ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ।
ରେଳବାଇ ବିଭାଗ ଏହି କାର୍ଯ୍ୟକ୍ରମ ଆୟୋଜିତ କରିଥିବା ବେଳେ ନର୍ଲା ରେଳ ୱାଗନ ସଂଗ୍ରାମ ସମିତିର ସଦସ୍ୟ ମାନେ ଉପସ୍ଥିତ ଥିଲେ ସ୍ଥାନୀୟ ନେତ୍ରୁ ମଣ୍ଡଳୀ ମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର,ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ କୁମାର ନାଏକ, ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଭବେନ୍ଦ୍ର ପଣ୍ଡା, ଉପସଭାପତି ଅନିରୁଦ୍ଧ ପଧାନ, ଭାରତ ଭୁଷଣ ଦେଓ, ଜିତୁ ଚାନ୍ଦ, ଦୀପଜ୍ୟୋତି ମୁଣ୍ଡ, ଭଣ୍ଡେଶ୍ଵର ମହାପାତ୍ର, ରମେଶ ମାଝୀ, ପ୍ରେମନାଥ ନାଏକ, ରୀନା ଭୋଇ, ସୁରେଶ ଭୋଇ, ବିଷ୍ଣୁ ବଡପଣ୍ଡା, ମାଣ୍ଡେଲ ସରପଞ୍ଚ ପଦ୍ମ ଜାଲ, ଆଶୁତୋଷ ପାଢ଼ୀ, ପଦ୍ମ ମିଶ୍ର, ସରୋଜ ବୁଦ୍ଧିଆ, କୁମରମଣି ଶବର,ନର୍ଲା ସରପଞ୍ଚ ତନୁଜା ହରପାଲ, ସମିତି ସଦସ୍ୟ ସୁଦାମ ଝାଙ୍କର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।