ବିଜେପିରେ ସାମିଲ ହେଲେ ପୂର୍ବତନ ବିଜେଡି ଯୁବ ଜିଲ୍ଲା ସଭାପତି ଓ ରାଜ୍ୟ ସମ୍ପାଦକ
ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ଶକ୍ତି ଧକ୍କା ଲାଗିଛି। ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି ବିଜେଡିର ପୂର୍ବତନ ଯୁବ ଜିଲ୍ଲା ସଭାପତି ହରିଶ ଚନ୍ଦ୍ର ପଣ୍ଡା ଏବଂ ବିଜେଡି ରାଜ୍ୟ ସମ୍ପାଦକ ସରୋଜ ସାହୁ (ଭୈରବ)। କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତରେ ଶ୍ରୀ ପଣ୍ଡା ଏବଂ ଶ୍ରୀ ସାହୁ ନିଜର ସମର୍ଥକଙ୍କ ସହିତ ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟରେ ସୋମବାର ବିଜେପି ଶିବିରରେ ଯୋଗ ଦେଇଛନ୍ତି। କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ନୂଆପଡା ନିର୍ବାଚନ ମଣ୍ଡଳୀରେ ବିଜେପି ଦଳୀୟ ଟିକେଟ ମିଳିବା ପରେ ବିଜେପିର ଏହା ପ୍ରଥମ ମିଶ୍ରଣ ପର୍ବ। ଏହି ପ୍ରଥମ ମିଶ୍ରଣ ପର୍ବ ପରେ ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ହରିଶ ଚନ୍ଦ୍ର ପଣ୍ଡା ୫ ବର୍ଷ ଧରି ଯୁବ ବିଜେଡି ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରିଆସୁଥିଲେ। ସେ ଛାତ୍ର ଜୀବନରୁ ରାଜନୀତି ସହିତ ଜଡିତ ଥିଲେ। ଏହା ସହିତ ପୂର୍ବତନ ବିଜେଡି ରାଜ୍ୟ ସମ୍ପାଦକ ସରୋଜ ସାହୁ ବହୁ ପୁରୁଣା କଂଗ୍ରେସର ଭେଟେରାନ ନେତା ଏବଂ ଏକ ସୁପରିଚିତ ଖେଳ ପ୍ରେମୀ ଭାବେ ଘରେ ଘରେ ସୁନାମ ଧନ୍ୟ ଚେହେରା ଅଟନ୍ତି। ସେ ମଧ୍ୟ ୨୦୧୭ରୁ ବିଜେଡିରେ ଯୋଗଦାନ କରି ୨ ଥର ବିଜେଡି ରାଜ୍ୟ ସମ୍ପାଦକ ଭାବେ ଦାଇତ୍ୱ ତୁଲାଇ ଆସିଥିଲେ। ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ନୂଆପଡା ବିଧାନସଭା କ୍ଷେତ୍ର ଏହି ଦୁଇ ଯୁବ ବରିଷ୍ଠ ନେତା ସାଧାରଣ ଭୋଟର୍ସ ଉପରେ କିପରି ପ୍ରଭାବ ପକାଉଛନ୍ତି ତାହା ଗଣିତକୁ ରାଜନୈତିକ ବିଶେଷଜ୍ଞ ଅଙ୍କ କଷାକୁ ଜଟିଳ କରିଦେଉଥିବା ଚର୍ଚ୍ଚା ଜୋର ଧରିଛି। ଡ଼ୁମେରପାଣି ସରପଞ୍ଚ ଟେକରାମ ସାହୁ, ଟାଣୁଆ ନେତା ବୈରାଜ ସାହୁ, ଯୁବ ନେତା ନାରାୟଣ ସାହୁ, ଉମେଶ ସହିଷ, ରଂଜିତ ସୁନା, କ୍ରିଷ୍ଣା ସାହୁ, ତ୍ରିନାଥ ସାହୁ, ହରିଶ ସାହୁ, ଟୁକୁ ସାହୁ, ନରୋତ୍ତମ ଦଣ୍ଡସେନା ପ୍ରମୁଖ ସାମିଲ ହୋଇଥିଲେ।