ବୁଥ କେନ୍ଦ୍ର ପାଇଁ ଆବେଦନ ପରେ ମଧ୍ୟ ଶୁଣିଲାନି ପ୍ରଶାସନ, ଭୋଟ ବର୍ଜ୍ଜନ ନିଷ୍ପତି ନେଲେ ସିର୍ଲିଗୁଡାବାସୀ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ଗମ୍ଭାରୀଗୁଡା ଗ୍ରାମ ପଞ୍ଚାୟତ ସିର୍ଲିଗୁଡା ଗ୍ରାମବାସୀ ବାରମ୍ବାର ଦାବି ସତ୍ତ୍ୱେ ଗାଁରେ ବୁଥ କେନ୍ଦ୍ର ହେଲାନି ବୋଲି ଭୋଟ ବର୍ଜ୍ଜନ ପାଇଁ ସୋମବାର ମେଲିବାନ୍ଧି ଥିବା ଦେଖାଯାଇଛି। ପ୍ରକାଶ ଯେ, ସିର୍ଲିଗୁଡା ଗ୍ରାମବାସୀ ସାଧାରଣ ବିଧାନସଭା ନିର୍ବାଚନ ସମୟରେ ନିଜ ଗାଁ ବଦଳରେ ପଞ୍ଚାୟତର ବଙ୍ଗୋମୁଣ୍ଡା (କେନ୍ଦ୍ର-୧) ବୁଥ ନଂ- ଦୁଇ ଶହକୁ ଯାଇ ଭୋଟ ପ୍ରଦାନ କରିଆସୁଛନ୍ତି। ତେବେ ସେମାନଙ୍କୁ ଗାଁଠାରୁ ୮.କିମି ଦୂର ବୁଥ୍ କେନ୍ଦ୍ରକୁ ଯିବାକୁ ପଡୁଛି। ଯାହା ଫଳରେ ଭିନ୍ନକ୍ଷମ, ବରିଷ୍ଠ ନାଗରିକ ଭୋଟ ଦେବା ପାଇଁ ସେଠାକୁ ଯାଇପାରୁ ନାହାଁନ୍ତି। ଏବଂ ନିଜର ବହୁମୂଲ୍ୟ ମତସାବ୍ୟସ୍ତ କରିବାରୁ ବଞ୍ଚିତ ହେଉଛନ୍ତି। ଏନେଇ ବାରମ୍ବାର ସିର୍ଲିଗୁଡା ଗ୍ରାମବାସୀ ବିଡ଼ିଓଙ୍କ ଠାରୁ ଆରମ୍ଭ କରି ଉପ-ଜିଲ୍ଲାପାଳ ଓ ଜିଲ୍ଲାପାଳ କଳାହାଣ୍ଡିଙ୍କ ନିକଟରେ ଦାବି କରି ଆସିଥିଲେ ମଧ୍ୟ ତାଙ୍କ ଦାବି ପୂରଣ ହୋଇନାହିଁ। ଯାହାକୁ ନେଇ ଗ୍ରାମବାସୀ ମାନେ ଅସନ୍ତୋଷ ବ୍ୟକ୍ତକରି ଆଜି ସନ୍ଧ୍ୟାରେ ଗାଁରେ ଏକ ବୈଠକ କରିଥିଲେ। ଏଥିରେ ଶହ ଶହ ପୁରୁଷ ଓ ମହିଳା ମାନେ ଉପସ୍ଥିତ ରହି ହାତରେ ପ୍ଳା କାର୍ଡ଼ ଧରି ଗାଁରେ ବୁଥ୍ କେନ୍ଦ୍ର ନହେବାରୁ କ୍ଷେଭ ପ୍ରକାଶ କରି ଭୋଟ ବର୍ଜ୍ଜନ କରିବା ଲାଗି ନିଷ୍ପତି କରିଥିବା ପ୍ରକାଶ କରିଛନ୍ତି। ଏହି ବୈଠକରେ ବସନ୍ତ ନାଗ, ଚନ୍ଦ୍ର ଶେଖର ସୁନାମୀ, ଧନୁରାମ ନାଗ, ପୁରୁଷୋତ୍ତମ ସୁନାନୀ, ଧନେଶ୍ଵର ମହାନନ୍ଦ, ଡମ୍ବୁଡା ନାଗ, କାର୍ତ୍ତିକ ନାଗ, ଲିଟୁ ମହାନନ୍ଦ, ନନ୍ଦିନୀ ନାଗ, ସୀତା ରାଉତ, ଗିତାଞ୍ଜଳୀ ନାଗ, ଗୈାରୀ ବାଗ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.