ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବଲବସପୁର ଧରଣୀପଦର ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ ମହିଳାଙ୍କ ଶବକୁ ନର୍ଲା ରାଜରାସ୍ତାରେ ରଖି ବିଳମ୍ବିତ ରାତିରେ ଧାରଣାରେ ବସିଥିଲେ ବୁଢିପଦରବାସୀ। ରାସ୍ତାରୋକ ଫଳରେ ଭବାନୀପାଟଣା – ଭୁବନେଶ୍ୱର ଯାତାୟାତ ଠପ୍ ହୋଇ ପଡିଥିଲା। ଯାତ୍ରିମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ରାତି ୧୨.୪୫ରେ ମାନବିକତା ଦୃଷ୍ଟିରୁ ରାସ୍ତାରୋକରୁ ଓହରିଥିଲେ ଉତ୍ୟକ୍ତ ଜନତା। ଏଠାରେ ପ୍ରକାଶଯୋଗ୍ୟ ଯେ, ରବିବାର ସନ୍ଧ୍ୟା ୭ଘଣ୍ଟା ସମୟରେ କର୍ମେଗାଁ-ପଲସାପଡା ରାସ୍ତା କାମରେ ନିୟୋଜିତ ବୁଢିପଦର ଗ୍ରାମର ୧୨ ଜଣ ଶ୍ରମିକଙ୍କୁ ଧରି ଏକ ଟ୍ରାକ୍ଟର (ଓଡି ୦୮ ବି ୯୩୬୨) ଆସୁଥିବା ସମୟରେ ଧରଣିପଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରାକ୍ଟର ଡାଲାରେ ବସିଥିବା ୧୨ ଜଣ ଶ୍ରମିକଙ୍କ ମଧ୍ୟରୁ ହେମ ଗଉଡ (୪୨) ନାମକ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ପୁଇନ ଗଉଡ, କୈଳାସ ଗଉଡ, ମଣି ଧଙ୍ଗଡାମାଝୀ, ସିଦେ ଧଙ୍ଗଡାମାଝୀ, ଧର୍ମେନ୍ଦ୍ର ମାଝୀ, ଉଷା ଗଉଡ, ଭୁବନେ ଗଉଡ ଓ ପ୍ରମିଳା ଗଉଡ ଆଦିଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଟ୍ରାକ୍ଟର ଡ଼୍ରାଇଭରର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ତେବେ ଘଟଣାସ୍ଥଳରେ ତୁରନ୍ତ ନର୍ଲା ପୋଲିସ ପହଞ୍ଚି ତଦନ୍ତ ଜାରୀ ରଖିଥିବା ଜଣାପଡିଛି। ଏପଟେ ବୁଢିପଦରବାସୀ ଓ ଉତ୍ୟକ୍ତ ଜନତା ନର୍ଲା ରାଜରାସ୍ତାରେ ଶବରଖି ରାସ୍ତାରୋକ କରିଥିଲେ। ପରେ ବିଳମ୍ବିତ ରାତିରେ ରାସ୍ତାରୋକ ହଟିଛି।