ସୋନପୁରରେ ମାଁ ଭଗବତୀ ଓ ଦୁର୍ଗାଙ୍କ ଚନ୍ଦ୍ରଘଣ୍ଟା ବେଶ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଅଷ୍ଟ ଚଣ୍ଡୀଙ୍କ ପୀଠ ସୁବର୍ଣ୍ଣପୁରରେ ସମସ୍ତ ଦେବୀପୀଠରେ ସ୍ଵତନ୍ତ୍ର ରୀତିନୀତି ଅନୁଯାୟୀ ପୂଜା ହେବା ସହ ଏବେ ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି। ସେହି କ୍ରମରେ ଶନିବାର ମାଁ ଭଗବତୀ ଓ ସହରର ଗଡଭିତର ସ୍ଥିତ ଦୁର୍ଗା ମନ୍ଦିରରେ ଚନ୍ଦ୍ରଘଣ୍ଟା ବେଶରେ ଭକ୍ତମାନଙ୍କୁ ଆଜି ଦର୍ଶନ ଦେଉଛନ୍ତି। ଚନ୍ଦ୍ରଘଣ୍ଟା ହେଉଛନ୍ତି ମା’ ଦୁର୍ଗାଙ୍କ ତୃତୀୟ ରୂପ। ସେଥିପାଇଁ ନବରାତ୍ର ପୂଜାର ତୃତୀୟ ଦିବସରେ ମା ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରାଯାଏ। ସେଥିପାଇଁ ମା’ ଭଗବତୀ ଆଜି ନବରାତ୍ରର ତୃତୀୟ ଦିବସ ଅବସରରେ ଚନ୍ଦ୍ରଘଣ୍ଟା ବେଶ ଧାରଣ କରିଛନ୍ତି। ମା’ଙ୍କର ଏହି ଧରାଧାମକୁ ଅବତରଣ କରିବାକୁ ହୋଇଥିଲା ମହିଷାସୁର ଅସୁରର ବଧ ସକାଶେ। ଯେତେବେଳେ ମହିଷାସୁର ସ୍ୱର୍ଗକୁ ଅକ୍ତିଆର କରିବାକୁ ଦେବତାଙ୍କ ସହ ଯୁଦ୍ଧ ଆରମ୍ଭ କଲା। ସେତେବେଳେ ସମସ୍ତ ଦେବତା ଗଣ ବିଚଳିତ ହୋଇ ଭଗବାନ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କ ଶରଣାପନ୍ନ ହୋଇ ସମାଧାନ ପାଇଁ ପ୍ରାର୍ଥନା କରିଥିଲେ। ସେହି ସମୟରେ ଉକ୍ତ ତିନି ଭଗବାନଙ୍କ ଦ୍ୱାରା ଚନ୍ଦ୍ରଘଣ୍ଟାଙ୍କ ଅବତରଣ ହୋଇଥିଲା ଏହି ମହିମଣ୍ଡଳକୁ। ଏହା ପରେ ସମସ୍ତ ଦେବତାଗଣ ତାଙ୍କ ତାଙ୍କର ସର୍ବଶ୍ରେଷ୍ଠ ଅସ୍ତ୍ରମାନ ମା’ଙ୍କୁ ପ୍ରଦାନ କରିଥିଲେ। ଭଗବାନ ଶଙ୍କର ତାଙ୍କର ତ୍ରିଶୂଳ, ଭଗବାନ ବିଷ୍ଣୁ ତାଙ୍କର ଚକ୍ର, ଇନ୍ଦ୍ର ତାଙ୍କର ଘଣ୍ଟା ଏବଂ ଭଗବାନ ସୂର୍ଯ୍ୟ ତାଙ୍କର ତେଜ ଆଉ ତଲବାର ସହ ବାହାନ ଭାବରେ ସିଂହଙ୍କୁ ପ୍ରଦାନ କରନ୍ତି। ଏହାକୁ ପ୍ରାପ୍ତ ପରେ ମା ଚନ୍ଦ୍ରଘଣ୍ଟା ମହିଷାସୁରକୁ ବଧକରି ଦେବତା ମାନଙ୍କୁ ରକ୍ଷା କରିଥିଲେ। ତେଣୁ ଏହି ନବ ରାତ୍ର ପାର୍ବଣ ସମୟରେ ମା’ଙ୍କୁ ଶ୍ରଦ୍ଧା, ଭକ୍ତିପୂର୍ବକ ପୂଜାର୍ଚ୍ଚନା କରାଯିବା ଦ୍ୱାରା ଶତ୍ରୁକଷ୍ଟ ନିବାରଣ ହେବା ସହ ଉତ୍ତମ ଭାବରେ ଜୀବନ ଅତିବାହିତ ହୁଏ ବୋଲି ବିଶ୍ୱାସ କରାଯାଏ। ସେଥିପାଇଁ ଏହି ସମୟରେ ମା’ଙ୍କର ଏହି ଦିବ୍ୟରୁପରେ ଦର୍ଶନ ଦେଉଥିବା ଯୋଗୁଁ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଉଦ୍ଦୀପନା ପରିଲକ୍ଷିତ ହୁଏ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.