କଳାହାଣ୍ଡି ଜିଲ୍ଲା ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଭବାନୀପାଟଣା ସ୍ଥିତ ପୋଲିସ୍ ଉଚ୍ଚ ବିଦ୍ୟାଳୟ ପରିସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ, ପୋଲିସ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ରବୀନ୍ଦ୍ର ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।

ଏଥିରେ ନିରନ୍ତର ଭବିଷ୍ୟତ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରସଂଗର ସାତଟି ଉପ ପ୍ରସଙ୍ଗ ଉପରେ ଜିଲ୍ଲାର ୧୩ଟି ବ୍ଲକରୁ ୯୧ଜଣ ଛାତ୍ରଛାତ୍ରୀ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଏଥିରେ ବିଚାରକ ଭାବେ ଅଧ୍ୟାପକ ଇମ୍ରାନ୍ ଅହମ୍ମଦ ଖାଁ, ତ୍ରିନାଥ ବିଷୋୟୀ, ହର୍ଷିତା ପୁରୋହିତ ଓ ଅଭିଷେକ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ଅବସରରେ ବାଞ୍ଛାନିଧି ପଣ୍ଡା ବିଜ୍ଞାନ ମେଜିକ୍ ପ୍ରଦର୍ଶନ କରିଥିଲେ।

ଉଦଯାପନୀ ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନୀତ ଅତିଥି ଭାବେ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନୀ, ଜୁନାଗଡ ହାଇସ୍କୁଲ ପ୍ରଧାନ ଶିକ୍ଷକ ନେପାଳଚନ୍ଦ୍ର ବାଗ, ଵିଏମ୍ ହାଇସ୍କୁଲ ପ୍ରଧାନଶିକ୍ଷକ ଷଷ୍ଠୀ ଝାଙ୍କର, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ପାଢ଼ୀ, ପୋଲିସ ହାଇସ୍କୁଲ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।

ପୋଲିସ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ଵାଗତ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶ୍ରେଷ୍ଠ ବିବେଚିତ ସାତଟି ପ୍ରକଳ୍ପ ମଧ୍ୟରେ ରିଷିଡା ହାଇସ୍କୁଲର ଅମନ ପ୍ରସାଦ ସାହୁ, ମାଣିକେଶ୍ଵରୀ ହାଇସ୍କୁଲର ଆଶୁତୋଷ ମେହେର, ମଶାଣିମୁଣ୍ଡା ଓଏଭିର ଶୁଭଲକ୍ଷ୍ମୀ ସାହୁ, ପୋଲିସ ହାଇସ୍କୁଲର ଓମ୍ ମହାନନ୍ଦ, ଚଞ୍ଚରାପଡ଼ା ଓଏଭି ପ୍ରତ୍ୟୁଷ ନାଏକ, ମଦନପୁର ଓଏଭିର ଅଭିନବ ବିଶ୍ଵାଳ, ଟିକ୍ରାପଡ଼ା ହାଇସ୍କୁଲର ନବୀନ ସାହୁ ରାଜ୍ୟ ସ୍ତର ପାଇଁ ମନୋନୀତ ହୋଇ ପୁରସ୍କୃତ ହୋଇଥିଲେ। ଶିକ୍ଷକ ପ୍ରକାଶ ମିଶ୍ର, ଶିକ୍ଷୟତ୍ରୀ ବର୍ଷାରାଣୀ ତ୍ରିପାଠୀ ଓ ଶାଶ୍ଵତୀ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.