ଉପମୂଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ସହ ଦାବୀ ପତ୍ର ପ୍ରଦାନ କଲେ ସଚେତନ ନାଗରିକ ମଞ୍ଚ କର୍ମକର୍ତ୍ତା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା ସ୍ଥାନୀୟ ସର୍କିଟ ହାଉସଠାରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ସାକ୍ଷାତ କରିଛନ୍ତି। ଜିଲ୍ଲାର ବିକାଶ ପାଇଁ ଆବଶ୍ୟକ ରହିଥିବା କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ତଥା ରେଳପଥରେ ସମ୍ବଲପୁର ସହିତ ସୁବର୍ଣ୍ଣପୁର ଜିଲ୍ଲାକୁ ଧମା, ଉଲୁଣ୍ଡା ଦେଇ ଯୋଡ଼ିବା ତଥା ପର୍ଯ୍ୟଟନ ଏବଂ ଐତିହ୍ୟ ସମ୍ବଳିତ ୧୫ ଦଫାର ଦାବିପତ୍ର ପ୍ରଦାନ କରି ପୂରଣ ସକାଶେ ନିବେଦନ କରିଥିଲେ। ଉକ୍ତ ଦାବି ମଧ୍ୟରେ ଜିଲ୍ଲାରେ ଏକ କୃଷି ମହାବିଦ୍ୟାଳୟ ,ମତ୍ସ୍ୟ ମହାବିଦ୍ୟାଳୟ ,ସୈନିକ ବିଦ୍ୟାଳୟ ଏବଂ ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା, ବୟନ ପାର୍କ ପ୍ରତିଷ୍ଠା, ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହରକୁ ଏକ ହେରିଟେଜ୍ ସହର, ଜିଲ୍ଲାର ସଦର ମହକୁମାରେ ରହିଥିବା ରାଜା କୋଠା ଓ ଶଶୀସେଣାର ସ୍ମୃତି ବହନ କରୁଥିବା ନିମୁହିଁ ମନ୍ଦିରକୁ ଐତିହ୍ୟ ସ୍ଥଳୀର ମାନ୍ୟତା, ଜିଲ୍ଲାରେ ରହିଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀର ମଧ୍ୟ ସ୍ୱତନ୍ତ୍ର ରୋଡ୍ ମ୍ୟାପ ଅନୁଯାୟୀ ଭିତ୍ତିଭୂମି ସବୁର ବିକାଶ କରିବା, ବିଶେଷ କରି ପାତାଳୀ ଶ୍ରୀକ୍ଷେତ୍ର ରେ ଏକ ଭବ୍ୟ ମନ୍ଦିର ଓ ରୋପୱେ ନିର୍ମାଣ, ସନ୍ଥ କବି ଭୀମଭୋଇ ଙ୍କ ସାଧନା ପୀଠକୁ ଏକ ଜାତୀୟ ସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ଓ ଏକ ଗବେଷଣା କେନ୍ଦ୍ର ଭାବରେ ବିକଶିତ କରିବା, ସଦର ମହକୁମାରେ ପ୍ରସ୍ତାବିତ ମୋଡେଲ୍ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ପ୍ରସ୍ତାବିତ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ବାଏପାସ୍ ରୋଡ୍, ସଦର ମହକୁମାଠାରୁ ରାଉରକେଲା ଏବଂ ତାରିଣୀ ପୀଠ କୁ ସ୍ୱତନ୍ତ୍ର ସରକାରୀ ବସ୍ ର ସୁବିଧା, ସୋନପୁର କଲେଜ ଓ ବିଜୁ ପଟ୍ଟନାୟକ ମହିଳା ଉଭୟ କଲେଜକୁ ସରକାରୀ କଲେଜର ମାନ୍ୟତା ପ୍ରଦାନ କରିବା, ଜିଲ୍ଲାରେ ପ୍ରବାହିତ ନଦୀ ନାଳ ଗୁଡିକରେ ବ୍ୟାରେଜ୍ ନିର୍ମାଣ, ମହାନଦୀ ସେତୁ ଠାରୁ ତେଲନଦୀ ସେତୁ ପର୍ଯ୍ୟନ୍ତ ରିଂରୋଡ୍ କାର୍ଯ୍ୟ କୁ ତୁରନ୍ତ ସମ୍ପୂର୍ଣ୍ଣ କରିବା, ଜିଲ୍ଲାରେ ସ୍ୱତନ୍ତ୍ର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପ୍ରତିଷ୍ଠା କରିବା, କେନ୍ଦୁପତ୍ର ଡିଭିଜନ୍ କାର୍ଯ୍ୟାଳୟ ଖୋଲିବା, ସୋନପୁର ଠାରୁ ପୁରୀ ପର୍ଯ୍ୟନ୍ତ ସାପ୍ତାହିକ ତିନି ଦିନ ରେଳ ଚଳାଚଳର ସୁବିଧା ସହ ପ୍ରସ୍ତାବିତ ସମ୍ବଲପୁର-ଗୋପାଳପୁର ରେଲପଥ ସୁବର୍ଣ୍ଣପୁର ଜିଲ୍ଲା ଦେଇ ଯିବା ପ୍ରମୁଖ ଦାଵୀ ଗୁଡିକ ବିଚାର କରିବା ପାଇଁ ନିବେଦନ କରିଥିବା ଜଣାପଡ଼ିଛି। ଏଥି ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଆପଣଙ୍କ ଶୁଭଦୃଷ୍ଟି ରହିଲେ ଜିଲ୍ଲାର ଦ୍ରୁତ ବିକାଶ ନିଶ୍ଚୟ ସମ୍ଭବ ହୋଇପାରିବା ସହ ବିକଶିତ ‘ଓଡ଼ିଶା-୨୦୩୬’ ର ସଂକଳ୍ପ ସକାଶେ ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ନିର୍ବାହରେ ସହାୟକ ସାବ୍ୟସ୍ତ ହୋଇପାରିବ ବୋଲି ବିଶ୍ୱାସ ବୋଲି କହିବା ସହ ଏହି ସମୟରେ ଉପସ୍ଥିତ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ଓ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲାଙ୍କୁ ମଧ୍ୟ ଉକ୍ତ ଦାବିପତ୍ର ପ୍ରଦାନ କରିଥିଲେ। ଦାଵୀ ପତ୍ର ପ୍ରଦାନ ସମୟରେ ସଚେତନ ନାଗରିକ ମଞ୍ଚର ସଭପତି ସିତାଂଶୁ ଶେଖର ମିଶ୍ର, ସମ୍ପାଦକ ଗୁଣନିଧି ମେହେରଙ୍କ ସମେତ  ବିନୋଦ ମେହେର, ଦୁଃଖିରାମ ନାୟକ, ବାଙ୍କାନିଧି ରାୟଗୁରୁ, ସୂର୍ଯ୍ୟ ନାରାୟଣ ଦାସ, ପଞ୍ଚାନନ ବାରିକ, ପ୍ରଦୀପ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.