୩୧ତମ ସୁବର୍ଣ୍ଣ ଲୋକ ମହୋତ୍ସବ-୨୦୨୫ ଉଦଯାପିତ

ଲୋକ କଳା ଓ ଲୋକ ସଂସ୍କୃତି ଆମର ଗର୍ବ ଓ ଗୌରବ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ରାମେଶ୍ବର ଷ୍ଟାଡିୟମରେ ୫ ଦିନ ଧରି ଚାଲିଥିବା ସଂସ୍କୃତିର ବାର୍ତ୍ତାବହ ୩୧ତମ ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୫ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା, ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ତଥା ସୁବର୍ଣ୍ଣ ଫୁଡଫେଷ୍ଟ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ ଜିଲ୍ଲାପାଳ ତଥା ଜିଲା ସଂସ୍କୃତି ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଏସ୍‌ପି ରାମ ପ୍ରସାଦ ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମେହେର, ବୀରମହାରାଜପୁର ଉପଜିଲାପାଳ ଲଲାଟେନ୍ଦୁ ସି, ସୋନପୁର ଉପଜିଲାପାଳ ଡ. ସୌମ୍ୟରୂପା ରଥ ପ୍ରମୁଖ ଯୋଗ ଦେଇଥିଲେ। ଲୋକକଳା ଓ ଲୋକସଂସ୍କୃତି ଆମର ଗର୍ବ ଓ ଗୌରବର ପ୍ରତୀକ। ସୁବର୍ଣ୍ଣପୁରର ମାଟି ସଂସ୍କୃତିର ମାଟି କହିବା ସହିତ ଜିଲ୍ଲାର ପୁରାତନ ସଂସ୍କୃତିର ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ ଜିଲ୍ଲାପାଳ ତଥା ଅଧ୍ୟକ୍ଷା ଜିଲ୍ଲା ସଂସ୍କୃତି ପରିଷଦ ସୁବର୍ଣ୍ଣପୁର ଶ୍ରୀମତୀ ଦାସ। ସ୍ୱର୍ଗତ ଫକୀର ପଟ୍ଟନାୟକ ଏ ମାଟିର ଗର୍ବ ବୋଲି ଅନ୍ୟ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ। ସଭା ମଞ୍ଚକୁ ପୂର୍ଣ୍ଣଚନ୍ଦ୍ର ପାଢୀ ପରିଚାଳନା କରିଥିଲେ ।
ଜିଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ। ସାଂସ୍କୃତିକ ସନ୍ଧ୍ୟାରେ ଓଡିଶୀ, ସମ୍ବଲପୁରୀ, ଜାମୁଡାଲି, ଫେଶନ ସୋ, କରମସାନୀ ନୃତ୍ୟ ଏବଂ ମଣିପୁର ଓ ହରିୟାନାର ଲୋକ ନୃତ୍ୟ ତଥା ପୁରୀ ମାଲଖମ୍ବ ର କଳାକାରଙ୍କ କଳା ପ୍ରଦର୍ଶନରେ ଦର୍ଶକ ଝୁମିଥିଲେ। ଜିଲ୍ଲା ମହୋତ୍ସବ ମାଧ୍ୟମରେ ଲୁପ୍ତପ୍ରାୟ ସଂସ୍କୃତି, ପାରମ୍ପରିକ ଲୋକସଙ୍ଗୀତ ଓ ଲୋକନୃତ୍ୟର ପ୍ରଚାରପ୍ରସାର ପାଇଁ ଉଦ୍ୟମ ହୋଇଥାଏ ଏବଂ ଜନସାଧାରଣ ଏହି ମହୋତ୍ସବ ମାଧ୍ୟମରେ ସେହି ଲୁପ୍ତ ପ୍ରାୟ କଳା, ସଂସ୍କୃତି ତଥା ନୃତ୍ୟ ସଂଗୀତକୁ ଉପଭୋଗ କରିବା ସହ ଗୌରବ ଓ ଗରିମାକୁ ଆଗାମୀ ପୀଢ଼ିକୁ ଅନୁସରଣ ପାଇଁ ଉତ୍ସାହିତ କରିଥାଏ। ପାଞ୍ଚ ଦିନ ଧରି ଚାଲିଥିବା ଏହି ମେଳରେ ଜିଲ୍ଲାର କୋଣ ଅନୁକୋଣରୁ ସବୁ ବର୍ଗର ଜନସାଧାରଣ ସମ୍ମିଳିତ ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ସହ ଜିଲ୍ଲା ତଥା ବିଭିନ୍ନ ଜିଲ୍ଲାରୁ ଆସିଥିବା ପାରମ୍ପରିକ ଖାଦ୍ୟ ସହ ରାଜ୍ୟ ବାହାରର ସୁସ୍ବାଦୁ ଖାଦ୍ୟର ସ୍ୱତନ୍ତ୍ର ଭାବେ ଖୋଲା ଯାଇଥିବା ସୁବର୍ଣ୍ଣ ଫୁଡଫେଷ୍ଟ ଷ୍ଟଲରେ ଖାଦ୍ୟର ମଜା ନେଇଥିଲେ। ବିଭିନ୍ନ ବର୍ଗରେ ଶ୍ରେଷ୍ଠ ବିବେଚିତ ଷ୍ଟଲ ଗୁଡିକୁ ଓରମାସ ତରଫରୁ ପୁରସ୍କୃତ କରାଯାଇଥିଲା। ପାଞ୍ଚ ଦିନଧରି ଚାଲିଥିବା ଏହି ମେଳା ଅବସରରେ ଏକ କୋଟି ଟଙ୍କାରୁ ଉର୍ଦ୍ଧ ବ୍ୟବସାୟ କାରବାର ହୋଇଥିବା ଓରମାସ ତରଫରୁ ସୂଚୀତ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.