ଉଠୁଛି ଲୋନ୍ ଫସୁଚି ଚାଷୀ; ମାଲା ମାଲ୍ ଅଧିକାରୀ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ମୁନା ଗୌଡ଼): ବଲାଙ୍ଗିର ଜିଲ୍ଲାରେ ଚଞ୍ଚକତା କରି ଠକେଇ କରିବା କିଛି ନୂଆ କଥା ନୁହେଁ। କେମିତି ନିରୀହ ଲୋକଙ୍କୁ ଠକି ସେମାନଙ୍କ ନାମରେ ଠକେଇ କରାଯାଏ ତାର ଅନେକ ଗୁଡ଼ିଏ ଅଲଗା ଅଲଗା ନମୁନା ରହିଛି। ବର୍ତ୍ତମାନ ଚାଷୀଙ୍କ ପ୍ରମାଣପତ୍ର ବ୍ୟବହାର କରି ସେମାନଙ୍କ ନାମରେ ଲୋନ ଉଠାଯାଉଛି, ଏବଂ ଖୋଦ୍ ପେକ୍ସ ସମ୍ପାଦକ ଏହି କାରସାଦିର ମୁଖ୍ୟ କାର୍ପଟଦାର ଅଟନ୍ତି। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ଜାମ ଗାଁ ପ୍ରାଥମିକ ସମବାୟ ସମିତିରେ। ଜାମ ଗାଁ ପେକ୍ସ ଅନ୍ତର୍ଗତ ବୁଢ଼ୀସିଂଢୋଲ ଗ୍ରାମର ଚାଷୀ ରାଧାକାନ୍ତ କମ୍ପ ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ରାଧାକାନ୍ତଙ୍କ ଅଜାଣତରେ ଗତ ୨୦୨୩ ମସିହା ମାର୍ଚ୍ଚ ମାସ ୨୯ ତାରିଖରେ ୧ ଲକ୍ଷ ୭୩ ହଜାର ୬୬୦ ଟଙ୍କା ଏବଂ ଗତ ୨୦୨୪ ଫେବୃଆରୀ ୨୭ ତାରିଖରେ ୧ ଲକ୍ଷ୍ୟ ୮୨ ହଜାର ୨୦୦ ଟଙ୍କା ଉଠିଛି। କିନ୍ତୁ ରାଧାକାନ୍ତଙ୍କୁ ଏ ସମ୍ପର୍କରେ କିଛି ବି ଜଣାନାହିଁ। ଗତ କିଛିଦିନ ତଳେ ଧାନ ବିକ୍ରି ଟଙ୍କା ପାଇବାକୁ ବ୍ୟାଙ୍କକୁ ଯାଇ ଖାତା ଅପ୍ ଟୁ ଡେଟ୍ କରିବାରୁ ତାଙ୍କର ନାମରେ ଏହି ଲୋନ ଟଙ୍କା ପଡ଼ିଥିବା ଜାଣିବାକୁ ପାଇଥିଲେ। ଏ ସଂପର୍କରେ ଜାମ ଗାଁ ପେକ୍ସ ସମ୍ପାଦକ ଦାୟିତ୍ୱରେ ଥିବା ସୁଦର୍ଶନ ଭୋଇଙ୍କୁ ପଚାରିବାରୁ ମାମଲା ରଫା ଦଫା କରିବାକୁ ସେ କହିଥିଲେ। ହେଲେ ଏକ ସପ୍ତାହ ହେଲା ସମ୍ପାଦକ ଧରା ଛୁଆଁ ଦେଉନାହାନ୍ତି। ଯାହାଫଳରେ ଚାଷୀ ରାଧାକାନ୍ତ କମ୍ପ ପୂର୍ବରୁ ପୁଇଁତଲା ଥାନା ଏବଂ ଆଜି ଟାଉନ ଥାନାକୁ ଆସି ରିପୋର୍ଟ କରିଛନ୍ତି। ଅପରପକ୍ଷେ ଏ ସମ୍ପର୍କରେ କିଛି ଜାଣି ନଥିବା କହିଛନ୍ତି କେନ୍ଦ୍ର ସମବାୟ ବ୍ୟାଙ୍କ ସଦର ଶାଖାର ପରିଚଳିକା। ଲିଖିତ ଅଭିଯୋଗ ଆସିଲେ ସେ ଘଟଣାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି। ତେବେ ଏହା ଭାତ ହାଣ୍ଡିରୁ ଗୋଟିଏ। ତଦନ୍ତ କଲେ ଏଭଳି ଅନେକ ଠକେଇର ଶିକାର ଚାଷୀ ବାହାରିବେ ବୋଲି ରାଧାକାନ୍ତ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.