୭ରୁ ସାହିତ୍ୟ ଏକାଡେମୀର ସାହିତ୍ୟୋତ୍ସବ ୨୦୨୫

ଏସିଆର ସର୍ବବୃହତ୍ ସାହିତ୍ୟ ଉତ୍ସବ

ଉଦଘାଟନ କରିବେ କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ

୬ ଦିନିଆ ମହୋତ୍ସବରେ ଅଂଶଗ୍ରହଣ କରିବେ ୭ ଶହ ଲେଖକ ଏବଂ ବିଦ୍ୱାନ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ (ରଜତ ବଂଶଳ): ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରତିବର୍ଷ ଆୟୋଜିତ ହେଉଥିବା ସାହିତ୍ୟ ଉତ୍ସବ-୨୦୨୫, ଚଳିତ ବର୍ଷ ଏସିଆର ସବୁଠାରୁ ବଡ଼ ସାହିତ୍ୟ ମହୋତ୍ସବ ଭାବରେ ଅନୁଷ୍ଠିତ ହେବ। ଗତ ବର୍ଷର ସାହିତ୍ୟୋତ୍ସବ ୨୦୨୪ ବିଶ୍ୱର ସବୁଠାରୁ ବୃହତ୍ ସାହିତ୍ୟ ମହୋତ୍ସବ ଥିଲା। ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସାହିତ୍ୟ ଏକାଡେମୀର ସଚିବ କେ.ଶ୍ରୀନିବାସରାଓ। ସେ ଆହୁରି ସୂଚନା ଦେଇଛନ୍ତି ଯେ ୭ ମାର୍ଚ୍ଚରେ ସାହିତ୍ୟୋତ୍ସବକୁ କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଉଦଘାଟନ କରିବେ। ଆସନ୍ତା ୭ ରୁ ୧୨ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଫିରୋଜଶାହ ମାର୍ଗ ସ୍ଥିତ ରବିନ୍ଦ୍ର ଭବନ ପରିସରରେ ହେବାକୁ ଥିବା ଏହି ସମାବେଶରେ ଶହେରୁ ଅଧିକ ଅଧିବେଶନରେ ୭୦୦ରୁ ଅଧିକ ଲେଖକ ଏବଂ ବିଦ୍ୱାନ ଅଂଶଗ୍ରହଣ କରିବେ। ଏଥିରେ ଦେଶର ବିଭିନ୍ନ ପାନ୍ତରୁ ୫୦ରୁ ଅଧିକ ଭାଷାର ପ୍ରତିନିଧିତ୍ୱ ରହିବ।
ଏଥର ସାହିତ୍ୟୋତ୍ସବର ମୁଖ୍ୟ ଆକର୍ଷଣ ହେବ ସାହିତ୍ୟ ଏକାଡେମୀ ପୁରସ୍କାର ୨୦୨୪ ପ୍ରଦାନ ସମାରୋହ। ଏହା ୮ ମାର୍ଚ୍ଚ ସନ୍ଧ୍ୟା ୫ଟାରେ କମାନୀ ଅଡିଟୋରିୟମ୍‌ରେ ଅନୁଷ୍ଠିତ ହେବ। ଏହି ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପ୍ରସିଦ୍ଧ ଇଂରାଜୀ ନାଟ୍ୟକାର ମହେଶ ଦତ୍ତାନୀ ଯୋଗଦେବେ। ୯ ମାର୍ଚ୍ଚ ସନ୍ଧ୍ୟା ୬.୩୦ରେ ମେଘଦୂତ ମୁକ୍ତାକାଶ ମଞ୍ଚରେ ପ୍ରଖ୍ୟାତ ଇଂରାଜୀ ଲେଖକ ଉପମନ୍ୟୁ ଚାଟାର୍ଜୀ ସମ୍ବତ୍ସର ବକ୍ତୃତା ପ୍ରଦାନ କରିବେ। ସାହିତ୍ୟ ମହୋତ୍ସବରେ ହେବାକୁ ଥିବା ଜାତୀୟ ସଂପାନର ବିଷୟବସ୍ତୁ ହେଉଛି – ଭାରତୀୟ ସାହିତ୍ୟ ପରମ୍ପରା: ଐତିହ୍ୟ ଏବଂ ବିକାଶ। ଏହା ବ୍ୟତୀତ ପ୍ରସିଦ୍ଧ ମାଲୟଲମ ଲେଖକ ଓମଚେରି ଏନ.ଏନ. ପିଲ୍ଲାଇ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର, ମୋହନ ରାକେଶ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର, ବିଶିଷ୍ଟ ଗୀତିକାର ଗୋପାଳଦାସ ନୀରଜଙ୍କ ଗୀତ ସଂପର୍କରେ ଆଲୋଚନା, ଜିତେନ୍ଦ୍ର ଭାଟିଆଙ୍କ ସହ କଥାସନ୍ଧି ଏବଂ ସୁବୋଧ ସରକାରଙ୍କ ସହ ଲେଖକଙ୍କ ସହିତ ସାକ୍ଷାତ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ରାକେଶ ଚୌରାସିଆଙ୍କ ବଂଶୀବାଦନ, ଫୌଜିଆ ଦାସ୍ତାନଗୋଙ୍କ ଦାସ୍ତାନ-ଏ-ମହାଭାରତ ଏବଂ ନଳିନୀ ଜୋଶୀଙ୍କ ହିନ୍ଦୁସ୍ତାନୀ ଗାୟନ ପରିବେଷଣ କରାଯିବ।
ଏହି ମହୋତ୍ସବରେ ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ସହିତ ଦୁଇଟି ରାଜ୍ୟର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ (ବିହାର) ଏବଂ ପି.ଏସ. ଶ୍ରୀଧରନ ପିଲ୍ଲାଇ (ଗୋଆ) ସ୍ୱତନ୍ତ୍ର ଅତିଥି ଭାବରେ ଅଂଶଗ୍ରହଣ କରିବେ।
ଭାରତୀୟ ନଦୀମାନଙ୍କ ନାମରେ ନିର୍ମିତ ପ୍ରେକ୍ଷାଳୟମାନଙ୍କରେ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବହୁଭାଷୀ କବିତା ଓ ଗଳ୍ପ ପାଠ, ଉତ୍ତର-ପୂର୍ବ ଲେଖକ ସମ୍ମିଳନୀ, ଯୁବ ସାହିତ୍ୟ ଏବଂ ଏଲଜିବିଟିକ୍ୟୁ ଲେଖକ ସମ୍ମିଳନୀ ବ୍ୟତୀତ, ଭାରତରେ ଆତ୍ମଜୀବନୀମୂଳକ ସାହିତ୍ୟ, ଭାରତର ସାହିତ୍ୟିକ କୃତିରେ ଗ୍ରାମୀଣ ସମାଜ, ବିଭାଜନ ଉପରେ କେନ୍ଦ୍ରିତ ଭାରତୀୟ ସାହିତ୍ୟ, ଅନୁବାଦରେ ସାଂସ୍କୃତିକ ଚିତ୍ରଣ, ସିନେମା ପ୍ରସ୍ତୁତ ହୋଇଥିବା ସାହିତ୍ୟିକ କୃତି, ସାହିତ୍ୟର ସାର୍ବଜନୀନତା, ବିଶ୍ୱ ସାହିତ୍ୟରେ ଭାରତୀୟ ସାହିତ୍ୟ, ସ୍ୱାଧୀନତା ପରବର୍ତ୍ତୀ ଭାରତୀୟ ସାହିତ୍ୟରେ ଜାତୀୟତାବାଦ ଇତ୍ୟାଦି ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯିବ। ଏହି ଉତ୍ସବର ବିଭିନ୍ନ ଅଧିବେଶନରେ ଅନେକ ପ୍ରତିଷ୍ଠିତ ଏବଂ ଯୁବ ଓଡିଆ ଲେଖକ ଲେଖିକା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.