ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ଅସହଯୋଗ ଆନ୍ଦୋଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ଓଡିଶାର ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ ତରଫରୁ ଅସହଯୋଗ ଓ କଲମଛାଡ ଆନ୍ଦୋଳନ ରାଜ୍ୟ ସଂଘ ସଭାପତି ଅନିରୁଦ୍ଧ ପଣ୍ଡାଙ୍କ ନେତୃତ୍ୱରେ ୩ ମାର୍ଚ୍ଚରୁ ଚାଲିଛି। ୨୦୦୫ ମସିହା ଦୀର୍ଘ ୨୦ ବର୍ଷ ଧରି ସ୍ୱାସ୍ଥ୍ୟ ବିଭାଗ ପାଇଁ କାର୍ଯ୍ୟକରି ଆସୁଥିବା ଏହି କର୍ମଚାରୀ ମାନେ ଆଜିଯାଏଁ ସ୍ଥାୟୀ ହୋଇପାରିଲେ ନାହିଁ। ୨୦ ବର୍ଷ ଧରି ଅତି ସ୍ୱଳ୍ପ ଦରମାରେ ଚୁକ୍ତି ଭିତ୍ତିକ ଚାକିରୀରେ ଅସ୍ଥାୟୀ ଭାବରେ ଦିନରାତି ପରିଶ୍ରମ କରି ନିଜର ଯୁବକ ସମୟକୁ ବିଭାଗ ପାଇଁ ଜଳାଞ୍ଜଳି ଦେଇ ସୁଚାରୁ ରୁପେ ପରିଚାଳନା କରି ଏବେ ୪୫ ବର୍ଷରେ ପଦାର୍ପଣ କରି ଏହି କର୍ମଚାରୀ ମାନେ ସରକାରଙ୍କ ଦ୍ୱାରା ଅବହେଳିତ। ସରକାର ଏମାନଙ୍କ ବେଦନାକୁ ହୃଦୟଙ୍ଗମ କରିପାରିଲେ ନାହିଁ। ଏଣୁ ସେମାନଙ୍କର ଏକମାତ୍ର ନ୍ୟାର୍ଯ୍ୟ ଦାବୀ ଜନସ୍ୱାସ୍ଥ୍ୟ ପରିଚାଳନା ପଦବୀ ସୃଷ୍ଟି ଓ ଚାକିରୀ ସ୍ଥାୟୀ କରଣ। ବାରମ୍ବାର ସରକାରଙ୍କୁ ଲିଖିତ ଭାବରେ ଜଣାଇବା ସତ୍ୱେ ଏଥିପ୍ରତି କୌଣସୀ ପଦକ୍ଷେପ ନନେବାରୁ ସାରା ରାଜ୍ୟର କର୍ମଚାରୀ ମାନେ ସରକାରଙ୍କୁ ଚେତାବନୀ ଦେଇ କଳାବ୍ୟାଚ ପରିଧାନ କରି କଲମ ଛାଡ କରିବା ସହିତ ଅଫିସ ଆସୁଛନ୍ତି ହେଲେ କୌଣସୀ କାମ ନକରି ଅସହଯୋଗ କରୁଥିବା ଦେଖିବାକୁ ମିଳୁଛି। ଏହା ୯ ମାର୍ଚ୍ଚ ଯାଏଁ ବଳବତ୍ତର ରହିବ ଓ ଏହାପରେ ବି ଯଦି ସରକାର ଏମାନଙ୍କ ପ୍ରତି ଉଚିତ ବିଚାର ନକରନ୍ତି ତାହେଲେ ଆସନ୍ତା ୧୦ ମାର୍ଚ୍ଚରୁ ଭୁବନେଶ୍ୱର ଲୋୟର ପିଏମଜି ଛକରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣତାନ୍ତ୍ରୀକ ଉପାୟରେ ଶାନ୍ତିପୂର୍ଣ୍ଣ ଭାବରେ ଧାରଣାରେ ବସିବେ ବୋଲି ଜିଲ୍ଲା ଉପସଭାପତି ତଥା ନର୍ଲା ବିପିଏମ ସବୀର ପଧାନ ମତବ୍ୟକ୍ତ କରିଛନ୍ତି। ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ବିପିଏମ ସବୀର କୁମାର ପଧାନ, ଭିପିଡିଟିଏମ ଦେବାଶିଷ ଭୋଇ, ଏସଟିଏସ ଅଜିତ ଆଚାର୍ଯ୍ୟ, ଅବିନାଶ ସାହୁ, ବ୍ଲକ ଆକାଉଣ୍ଟ ମ୍ୟାନେଜର ପ୍ରଶାନ୍ତ ରଣା ପ୍ରମୁଖ ରାଜ୍ୟ ସଂଘ ଡାକରା ଓ ଅସହଯୋଗ ଆନ୍ଦୋଳନ ପାଇଁ ନିଷ୍ପତି ଉଲ୍ଲିଖିତ ହୋଇଥିବା ଲିଖିତ ପତ୍ର ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଅକ୍ଷୟ କୁମାର ଗୋଚ୍ଛାୟତଙ୍କୁ ପ୍ରଦାନ କରି ୩ ମାର୍ଚ୍ଚରୁ କାର୍ଯ୍ୟବନ୍ଦ କରିବା ସହିତ ଅସହଯୋଗ ଆନ୍ଦୋଳନ ଜାରି ରଖିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.