ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ରେକର୍ଡ ରୁମ୍ ନା ଅଳିଆ ଗଦା?

ହସ୍ପିଟାଲର ଗୁରୁତ୍ୱପୂର୍ଣ୍ଣ ରେକର୍ଡଗୁଡିକ ପଡିରହିଛି ତଳେ

ରାୟଗଡ,୧/୮: ରେକର୍ଡ ରୁମ୍ ନା ଅଳିଆ ଗଦା । ଗୁରୁତ୍ୱପୂର୍ଣ୍ଣ ରେକର୍ଡଗୁଡିକ ପଡି ରହିଛି ତଳ ଚଟାଣରେ । ତେବେ ଏହାକୁ ସୁରକ୍ଷିତ ଭାବେ ରଖିବାକୁ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି କର୍ତୁପକ୍ଷ । ପ୍ରତ୍ୟେକ ସରକାରୀ ହେଉ ଅଥବା ବେସରକାରୀ କାର୍ଯ୍ୟାଳୟରେ ରେକର୍ଡଗୁଡିକ ରଖିବା ପାଇଁ ସୁବନ୍ଦୋବସ୍ଥ କରାଯାଇଥିବା ବେଳେ ଅନେକ ସମୟରେ ପ୍ରମାଣ ପରି କାର୍ଯ୍ୟରେ ଆସୁଥିବା ରେକର୍ଡଗୁଡିକକୁ ବିଡା ବିଡା ବାନ୍ଧି ତଳେ ପକାଇ ଦିଆଯାଇଛି ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ରେକର୍ଡ ରୁମରେ । ଏଠାର ଚିକିତ୍ସା ଉପରେ ନିର୍ଭର କରି ପ୍ରତିଦିନ ୭୦୦ରୁ ୮୦୦ପର୍ଯ୍ୟନ୍ତ ରୋଗୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଆସୁଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ଲେଖି ରଖିଥିବା ରେକର୍ଡ ଓ ହସ୍ପିଟାଲର ଗୁରୁତ୍ୱପୁର୍ଣ୍ଣ ରେକର୍ଡଗୁଡିକ ରଖିବା ପାଇଁ ନାହିଁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଏକ ସୁରକ୍ଷିତ ରେକର୍ଡ ରୁମ୍ । ଫଳରେ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ଏତେ ବଡ ଜି+୫ ବିଶିଷ୍ଠ ନବ ନିର୍ମିତ କୋଠାରେ ହସ୍ପିଟାଲର ବହୁ ଗୁରୁତ୍ୱପୂର୍ଣ୍ଣ ରେକର୍ଡଗୁଡିକ କିପରି ସାଇତି ରଖାଯାଉଛି ତାହା ନେଇ ଉଠିଛି ପ୍ରଶ୍ନବାଚୀ ।

ବର୍ତମାନ ପୁରୁଣା ବର୍ହିଃ ବିଭାଗ କୋଠାରେ ଥିବା ଦାନ୍ତ ଚିକିତ୍ସା ନିମନ୍ତେ ଡାକ୍ତର ଯେଉଁ ଛୋଟ କକ୍ଷଟି ବ୍ୟବହାର କରୁଥିଲେ ସେହି କକ୍ଷକୁ ରେକର୍ଡ ରୁମ୍ ଭାବେ ବ୍ୟବହାର କରାଯାଉଛି । ରୁମଟି ଏତେ ଛୋଟ ହୋଇଥିବାରୁ ସେଠାରେ ରେକର୍ଡଗୁଡିକ ରଖିବା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଉଠିବା ବସିବା ପାଇଁ ମଧ୍ୟ ସ୍ଥାନ କମ ପଡୁଛି । ରୁମ ଭିତରେ ଦୀର୍ଘ ଦିନର ଗୁରୁତ୍ୱପୂର୍ଣ୍ଣ ରେକର୍ଡଗୁଡିକ ତଳଚଟାଣରେ ପଡି ରହିଥିବା ଦେଖିବାକୁ ମିଳିଛି । ତଳେ ପଡିଥିବା ରେକର୍ଡଗୁଡିକର ଗଦାକୁ ଦେଖିଲେ ଏହା କେଉଁ ଅଳିଆ ଗଦାରୁ କମ୍ ନୁହେଁ । ହସ୍ପିଟାଲର ବହୁ ଗୁରୁତ୍ୱପୂର୍ଣ୍ଣ ରେକର୍ଡଗୁଡିକ ରଖିବା ପାଇଁ ଏହି ରୁମରେ ଥାକ ବ୍ୟବସ୍ଥା ମଧ୍ୟ କରାଯାଇନାହିଁ । ଫଳରେ ରେକର୍ଡଗୁଡିକ ତଳେ ପଡି ରହିଥିବାରୁ ପାଣିରେ ଓଦା ହୋଇ ନଷ୍ଟ ହେବାରେ ଲାଗିଛି ।

ଏହି ରେକର୍ଡ ରୁମରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀମାନେ ଚିକିିତ୍ସା ସମୟରେ ପ୍ରଦାନ କରୁଥିବା ସମସ୍ତ ସୂଚନା ତଥା ନିଜର ଦସ୍ତାବିଜ,ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ରର ନଥିପତ୍ର , ବର୍ହିଃ ବିଭାଗ ଓ ଭର୍ତି ହୋଇ ଚିକିତ୍ସିତ ହେଉଥିବା ଅନ୍ତର୍ବାସୀଙ୍କ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ଏବଂ ହସ୍ପିଟାଲର ଅନ୍ୟାନ୍ୟ ଜରୁରୀକାଳୀନ ରେକର୍ଡଗୁଡିକ ବିଡା ବିଡା ବାନ୍ଧି ତଳେ ପକାଇ ଦିଆଯାଇଥିବା ଦେଖିବାକୁ ମିିଳିଛି । ତେବେ ଇଂଟରନେଟ୍ ଯୁଗରେ ମଧ୍ୟ ଆଜି ପର୍ଯ୍ୟନ୍ତ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ରେକର୍ଡ ରୁମକୁ କଂପ୍ୟୁଟରାଇଜ କରାଯାଇ ନ ଥିବା ଜଣାପଡିଛି । ତେବେ ଏ ନେଇ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶକ୍ତିବ୍ରତ ମହାନ୍ତିଙ୍କୁ ରେକର୍ଡ ରୁମ ବିଷୟରେ ପଚାରିବାରୁ ଅଳ୍ପ ଦିନ ମଧ୍ୟରେ ଆଉ ଏକ ଥାକ ବ୍ୟବସ୍ଥା ରହିଥିବା ରୁମକୁ ସ୍ଥାନାନ୍ତରିତ କରାଯିବା ପାଇଁ ଯୋଜନା କରାଯାଇଥିବା ସେ କହିଛନ୍ତି ।

 

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
Click here to get daily News  & Views update 👇
https://bit.ly/OBgroup3

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.