ସୋନପୁର ମହାରାଜ ବୀରମିତ୍ରୋଦୟ ସିଂହଦେବଙ୍କ ୮୮ତମ ଶ୍ରାଦ୍ଧ ଦିବସ ପାଳିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଓଡିଆ ଭାଷା ଭିତ୍ତିକ ଆମ ରାଜ୍ୟ ଓଡ଼ିଶା ଗଠନରେ ସୋନପୁର ମହାରାଜା ବୀରମିତ୍ରୋଦୟ ସିଂହଦେବଙ୍କ ଅବଦାନକୁ ଅସ୍ବୀକାର କରାଯାଇ ନପାରେ। ସେହି ସମୟରେ ସବୁ କ୍ଷେତ୍ରରେ ସାମଗ୍ରିକ ବିକାଶ ପାଇଁ ମହାରାଜା ପୁରା ସହଯୋଗ ଯୋଗାଇ ଦେଇଥିବା କଥା ଇତିହାସ ପୃଷ୍ଠାରୁ ଜଣାଯାଏ। ଏ ଜିଲ୍ଲା ତଥା ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ଚିର ସ୍ମରଣୀୟ ଅଟେ। ଆଜି ୨୯ ଅପ୍ରେଲ ତାଙ୍କ  ୮୮ ତମ ଶ୍ରାଦ୍ଧ ଦିବସରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛକରେ ଥିବା ସେହି ମହାନ ମହାତ୍ମାଙ୍କ ପ୍ରତିମୂର୍ତ୍ତି ରେ ଧୂପ ଦୀପ ଓ ପୁଷ୍ପ ମାଲ୍ୟ ପ୍ରଦାନ ପୂର୍ବକ ତାଙ୍କ ସ୍ମୃତି ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କଲେ ସୁବର୍ଣ୍ଣପୁର ଏଡିଏମ୍ ଅଞ୍ଜଳିନା ପଧାନ ଓ ପୌର ପରିଷଦ ନିର୍ବାହୀ ଅଧିକାରୀ ଋଷି ମାଝୀ। ଓଡ଼ିଶାର ଶିକ୍ଷା କ୍ଷେତ୍ରକୁ ମଧ୍ୟ ତାଙ୍କର ଅବଦାନ ଚିର ସ୍ମରଣୀୟ ଅଟେ। ସାହିତ୍ୟ କ୍ଷେତ୍ରରେ ଦେଖିବାକୁ ଗଲେ ସ୍ବୟଂ ମହାରାଜା ଜଣେ ଚମତ୍କାର ସାହିତ୍ୟିକ ଥିଲେ। ସେ ନିଜେ ଅନେକ ସଂସ୍କୃତ ତଥା ଓଡ଼ିଆ ପୁସ୍ତକର ସ୍ରଷ୍ଟା। ସାତୋଟି ସଂସ୍କୃତ ସ୍ତୋତ୍ରର ସଂକଳନ “ସ୍ତୋତ ତରଙ୍ଗିଣୀ”, ଓଡ଼ିଆ ଅନୁବାଦ ନାଟକ “ରତ୍ନାବଳୀ”, “ଅଭିଜ୍ଞାନ ଶାକୁନ୍ତଳମ”, “ସ୍ବର୍ଣ୍ଣପୁର ବେଢ଼ା ପରିକ୍ରମା” ଆଦି ବିଭିନ୍ନ ପୁସ୍ତକ ରାଜପଦ ପାଇବା ଆଗରୁ ଏବଂ ପରେ ମଧ୍ୟ ଓଡ଼ିଶାର ବିଭିନ୍ନ ପ୍ରେସରୁ ପ୍ରକାଶିତ ହୋଇଛି। ଏହାଛଡ଼ା ଅନେକ ରଚନା “ସମ୍ବଲପୁର ହିତୈଷିଣୀ” ପତ୍ରିକାରେ ପ୍ରକାଶିତ ହୋଇ ଅନେକ ପ୍ରଶଂସା ସାଉଁଟି ପାରିଛି। କବିବର ରାଧାନାଥ ରାୟ ଏବଂ ସ୍ବଭାବ କବି ଗଙ୍ଗାଧର ମେହେର ଏହି କାବ୍ୟ କବିତା ଗୁଡ଼ିକର ଭୂୟସୀ ପ୍ରଶଂସା କରିଛନ୍ତି । ଏହାଛଡ଼ା ସେ ଅନେକ କବି, ଲେଖକଙ୍କୁ ସାହାଯ୍ୟ କରି ତାଙ୍କ ରଚନା ସବୁ ପ୍ରକାଶିତ କରିବାରେ ସାହାଯ୍ୟ କରିଥିଲେ। ୧୯୧୯ ମସିହାରେ କଲିକତା ବିଶ୍ଵବିଦ୍ୟାଳୟ ରେ ଓଡ଼ିଆ ଏମ୍.ଏ ବିଭାଗ ଖୋଲି ଓଡ଼ିଆ ଭାଷାକୁ ସ୍ବତନ୍ତ୍ର ଭାଷା ନୁହେଁ ବୋଲି କହୁଥିବା ବଙ୍ଗାଳୀ ଙ୍କ ମୁହଁରେ ଦେଇଥିଲେ ଏକ ଶକ୍ତ ପ୍ରହାର। ସୁବର୍ଣ୍ଣପୁର ସଚେତନ ନାଗରିକ ମଞ୍ଚ, ମଝିପଡ଼ା ରମଧୂନ୍ କ୍ଲବ ଓ ସ୍ୱଚ୍ଛ ଭାରତ ସଂଗଠନ ମିଳିତ ସହଯୋଗରେ ଓ ସଂଗଠକ ମନୋରଞ୍ଜନ ତ୍ରୀପାଠୀ, ପୀୟୁଷ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହରି ନାରାୟଣ ଶତପଥି, ଆଇନଜିବୀ ପ୍ରଦୀପ ପୁରୋହିତ, ସଚେତନ ନାଗରିକ ମଞ୍ଚ ର ସଭାପତି ସିତାଂଶୁ ଶେଖର ମିଶ୍ର, ସ୍ବଚ୍ଛ ଭାରତ ସଙ୍ଗଠନର ବରିଷ୍ଠ ସଦସ୍ୟ ଇନ୍ଦୁମତି ପୁରୋହିତ, ପ୍ରମୋଦ କୁମାର ସାହୁ, ସାମ୍ୱାଦିକ ରଞ୍ଜନ ବାରିକ, ସୁଶାନ୍ତ ପଣ୍ଡା,  ରାମଧୁନ କ୍ଲବ ର ସଂପାଦକ ବିକାଶ ପଣ୍ଡା, ହୃଷୀକେଶ୍ ପଣ୍ଡା, ରାଜ କୁମାର ନାଏକ, ଚନ୍ଦନ ସାହୁ, ଚୈତନ୍ୟ ନାଏକ, ସୁନିଲ ନାଏକ ପ୍ରମୁଖ ଅନେକ ସ୍ବେଛାସେବୀ ବୁଦ୍ଧିଜୀବୀ ଯୋଗଦେଇ ମହାରାଜ ସିଂହଦେଵ ଙ୍କୁ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.