ନର୍ଲା ଲେବଲ କ୍ରାସିଂ ଠାରେ ଓଭର ବ୍ରିଜ ନିର୍ମାଣ ନେଇ ପ୍ରକ୍ରିୟା ଆରମ୍ଭ

ସ୍ଥାନୀୟ ଲୋକଙ୍କ ମତାମତ ନେଲେ କଳାହାଣ୍ଡି ଉପଜିଲ୍ଲାପାଳ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ରେଳବାଇ ଫାଟକ ରେ ଓଭର ବ୍ରିଜ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବୀ ହୋଇ ଆସୁଛି। ଗତ ଦୁଇ ବର୍ଷ ତଳେ ତୃତୀୟ ଲାଇନ କାର୍ଯ୍ୟକ୍ଷମ ହେବା ପରଠୁଁ ନର୍ଲାରୋଡ ଲେବଲ କ୍ରସିଂ ଠାରେ ବାରମ୍ବାର ଗେଟ ପଡୁ ଥିବାରୁ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ସମସ୍ୟା ଉପୁଜିଛି। ଏଥିପାଇଁ ବାଇକ ଓ ଚାରି ଚକିଆ ଯାନ ଆରୋହୀ ମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଏସବୁ ସମସ୍ୟାକୁ ଭିତ୍ତି କରି ଭବାନୀପାଟଣା ଉପଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କ ମିଳିତ ପରିଦର୍ଶନ ହୋଇଥିଲା। ଏଠାରେ ଥିବା ଲେବୁଲ କ୍ରସିଂ ଫାଟକ ବନ୍ଦ କରି ଓଭର ବ୍ରିଜ ନିର୍ମାଣ କରାଯିବ କି ବୋଲି ପ୍ରଶାସନିକ ଅଧିକାରୀ ମାନେ ଲୋକଙ୍କ ମତାମତ ପଚାରି ବୁଝିଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ କଳାହାଣ୍ଡି ଜିଲ୍ଲାପାଳଙ୍କ ଚିଠି ଅନୁସାରେ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାପରେ ଉପଜିଲ୍ଲାପାଳ ପ୍ରଭାତ ପରିଡ଼ାଙ୍କ ସହ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ନର୍ଲା ରେଳ ଫାଟକ ଠାରେ ଓଭର ବ୍ରିଜ ହେବା ସହିତ ଲେଭେଳ କ୍ରସିଂ ବନ୍ଦ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ଉପଜିଲ୍ଲାପାଳ ପ୍ରଭାତ ପରିଡ଼ା ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଲୋକମାନେ ମଧ୍ୟ ଓଭର ବ୍ରିଜ ନିର୍ମାଣ ପାଇଁ ପ୍ରସ୍ତାବ ଦେଇ ତୁରନ୍ତ ଏହାର କାର୍ଯ୍ୟକାରିତା ଉପରେ ଅନୁରୋଧ କରିଥିଲେ। ପ୍ରତି ୧୦ ମିନିଟରେ ଥରେ ରେଳ ଫାଟକ ଠାରେ ଗେଟ୍ ବନ୍ଧ ହେବା ଫଳରେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗ କରୁଥିବାରୁ ଓଭର ବ୍ରିଜ ହେଲେ ଲୋକେ ଉପକୃତ ହେବେ ବୋଲି ମତ ପ୍ରକାଶ ପାଇଛି। ଏହି ମିଳିତ ପରିଦର୍ଶନ ବେଳେ ନର୍ଲା ତହସିଲଦାର ବିଭୁ ପ୍ରସାଦ ସିଂହ, ନର୍ଲା ଆଇଆଇସି ସର୍ବେଶ୍ଵର ସାମନ୍ତରାୟ, ଆର୍ଡି କନିଷ୍ଠ ଯନ୍ତ୍ରୀଙ୍କ ସମେତ ଅନେକ ଅଧିକାରୀ ଉପସ୍ଥିତ ଥିଲେ। ଦୀର୍ଘ ଦିନରୁ ଦାବୀ ହୋଇ ଆସୁଥିବା ଏହି ଲେବଲ୍ କ୍ରସିଂ ଫାଟକ କୁ ଉଠେଇ ଦେଇ ଓଭର ବ୍ରିଜ ନିର୍ମିତ ହେଲେ ଅନେକ ଲୋକ ଉପକୃତ ହେବେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.