ଫକୀରମୋହନ ବିଶ୍ୱବିଦ୍ୟାଳୟ ଦ୍ୱାରା ଜାତୀୟ ସ୍ତରରେ ସିଭିଲ୍‌ ଡିଫେନ୍ସ ପାଇଁ ମକ୍ ଡ୍ରିଲ୍ ଆୟୋଜିତ

ଓଡିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି); ଫକୀରମୋହନ ବିଶ୍ୱବିଦ୍ୟାଳୟରେ ସିଭିଲ୍‌ ଡିଫେନ୍ସକୁ ଶକ୍ତିଶାଳୀ କରିବା ଏବଂ ଜୀବନ ରକ୍ଷା ପାଇଁ ଏକ ଜାତୀୟ ସ୍ତରର ମକ୍ ଡ୍ରିଲ୍‌ ଆୟୋଜନ କରାଯାଇଥିଲା। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ନେତୃତ୍ୱ ଓ ନିର୍ଦ୍ଦେଶରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏନ୍‌ଏସ୍‌ଏସ୍‌ ବ୍ୟୁରୋର କାର୍ଯ୍ୟକ୍ରମ ସମନ୍ୱୟକ ପ୍ରଫେସର ଅମୂଲ୍ୟ ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ ଏବଂ ଅଂଶଗ୍ରହଣକାରୀଙ୍କୁ ଏହାର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ। ଏହି ମକ୍ ଡ୍ରିଲ୍‌ ପିଇଓ ସଂଗ୍ରାମ ବିଶୋଇଙ୍କ ତତ୍ତ୍ବାବଧାନରେ ଏବଂ ଏନ୍‌ଏସ୍‌ଏସ୍‌ ସେବାବୃତ୍ତି ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣରେ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀମାନେ ବିପଦ ସମୟରେ ବିଶେଷକରି ବିମାନ ଆକ୍ରମଣ ସମୟରେ କିପରି ନିଜକୁ ସୁରକ୍ଷିତ ରଖିବା ଓ କଣ ପଦକ୍ଷେପ ନେଇ ପାରିବା, ତାହା ଦର୍ଶାଇଥିଲେ।

ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ଅଧିକାରୀ ଡ଼କ୍ଟର ପ୍ରତିମା ପ୍ରଧାନ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିଲେ। ଡ଼କ୍ଟର ଅଭୟ ନାୟକ ଅଂଶଗ୍ରହଣକାରୀ ମାନଙ୍କୁ ଓ ଆୟୋଜକମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ଅଣଶିକ୍ଷକ କର୍ମଚାରୀମାନେ ଉପସ୍ଥିତ ରହି ସ୍ବେଚ୍ଛାସେବୀଙ୍କ ଦ୍ବାରା ପ୍ରଦର୍ଶିତ କୌଶଳ ଶିକ୍ଷା ଲାଭ କରିଥିଲେ।
ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି ସିଭିଲ୍‌ ଡିଫେନ୍ସ ଓ ସୁରକ୍ଷା ସଚେତନତା ପ୍ରଚାରକୁ ଅଧିକ ଦାୟିତ୍ବବୋଧର ପ୍ରସଙ୍ଗ ଭାବେ ଗ୍ରହଣ କରିଥିଲା।

ଏହି ମକ୍ ଡ୍ରିଲ୍ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା, ଯାହା ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିବାରକୁ ବିପଦଜନକ ସମୟରେ ସଠିକ୍ ପ୍ରତିକ୍ରିୟା ଦେବା ପାଇଁ ପ୍ରସ୍ତୁତ କରିବାରେ ସହାୟକ ହୋଇପାରିବ ବୋଲି କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମତବ୍ୟକ୍ତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.