ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି); ସ୍ନାତକ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ସମ୍ବନ୍ଧିତ ବିଭିନ୍ନ ଦିଗ ସଂପର୍କରେ ଅବଗତ କରାଇବାର ପ୍ରୟାସ ନେଇ ଓ ଜାତୀୟ ଶିକ୍ଷାନୀତିକୁ ଆଧାର କରି, ଫକୀରମୋହନ ବିଶ୍ୱବିଦ୍ୟାଳୟରେ ୨୦ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆନୁଷ୍ଠାନିକ ଉଦଘାଟନୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୧୯ ତାରିଖର ଜୁନ ମାସ ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଜ୍ୟ ଓ ରାଜ୍ୟ ବାହାରର ୩୦୦ରୁ ଉର୍ଦ୍ଧ ସ୍ନାତକ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି।
ସୂଚନାଯୋଗ୍ଯ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରାୟ ୧୩୦୦ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ବିଶ୍ବବିଦ୍ୟାଳୟ ପକ୍ଷରୁ ସମସ୍ତ ନିୟମିତ ପାଠ୍ୟକ୍ରମ ବିଭାଗ ଓ ସ୍ୱୟଂବିତ୍ତ ପାଠ୍ୟକ୍ରମର ନିର୍ଦ୍ଦେଶାବଳୀ ଅନୁସାରେ ୩୦୦ ଜଣ ଛାତ୍ରଛାତ୍ରୀଙ୍କୁ ଅଂଶଗ୍ରହଣ କରିବାର ସୁଯୋଗ ପ୍ରଦାନ କରାଯାଇଛି।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନୀ ବୈଠକରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆଗ୍ରହ ପ୍ରକାଶ କରିବାକୁ ନେଇ ଅଭିନନ୍ଦନ ଜଣାଇ ନିଜ ଅଭିଭାଷଣରେ, ଶୃଙ୍ଖଳା ସହ ଜ୍ଞାନ ଆହରଣ କରି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସଫଳ କରାଇବାକୁ ଆହ୍ବାନ ଦେଇଥିଲେ।

ଏଥିସହିତ ଶିକ୍ଷକ, ବିଶେଷଜ୍ଞ ମାନଙ୍କ ସହିତ ଉତ୍ତମ ଆନ୍ତର୍କ୍ରିୟା, ନିଜ ପଠନ ସମ୍ପର୍କିତ ବିଷୟରେ ଅଧିକ ଜ୍ଞାନ ଓ ଉତ୍ତମ ପ୍ରକାଶରୂପ , କାର୍ଯ୍ୟକ୍ଷମ ବ୍ୟବହାରିକ ଜ୍ଞାନ, ଉଚ୍ଚ ଶିକ୍ଷା ପାଇଁ କ୍ୟାରିୟର ମୁଖୀ ଦୃଷ୍ଟିକୋଣ, ସମାଲୋଚନାତ୍ମକ ଚିନ୍ତାଧାରା, ବିଶ୍ଳେଷଣାତ୍ମକ ଦକ୍ଷତା, ଗବେଷଣା ଭିତ୍ତିକ ଦୃଷ୍ଟିଭଙ୍ଗୀର ବିକାଶ ଇତ୍ୟାଦିକୁ ଆଧାର କରି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଆୟୋଜିତ କରାଯାଇଛି ବୋଲି ଡ଼କ୍ଟର ସନ୍ତୋଷ କୁମାର ଅଗ୍ରୱାଲ ଉଲ୍ଲେଖ କରିଥିଲେ। ଏହି ଇଣ୍ଟର୍ନଶିପ୍ କାର୍ଯ୍ୟକ୍ରମ ଶ୍ରେଣୀଗୃହ ଶିକ୍ଷା ଓ ବ୍ୟବହାରିକ ଅନୁଭବ ମଧ୍ୟରେ ଥିବା ଅନ୍ତରକୁ ଭରଣା କରିବ ବୋଲି ଉଲ୍ଲେଖ କରାଯାଇଥିଲା।

ବୈଠକରେ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ରଣୀନ୍ଦ୍ର କୁମାର ନାୟକ, ମହାବିଦ୍ୟାଳୟ ଉନ୍ନୟନ ପରିଷଦର ନିର୍ଦ୍ଦେଶକ ଡ଼କ୍ଟର ସନ୍ତୋଷ କୁମାର ଅଗ୍ରୱାଲ, ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ଡ଼କ୍ଟର ନିହାର ରଞ୍ଜନ ରାଉତ, ପି.ଜି ହଷ୍ଟେଲ ୱାର୍ଡେନ୍ ପ୍ରଫେସର ସୁନୀଲ କୁମାର ପାଢ଼ୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି ବିଶ୍ୱବିଦ୍ୟାଳୟ ସଂପର୍କିତ ଅନ୍ୟାନ୍ଯ ସୂଚନା ପ୍ରଦାନ କରିଥିଲେ।

ସୂଚନାଯୋଗ୍ଯ, ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ବବିଦ୍ୟାଳୟ ପରିସରରେ ରହିବା ଓ ଖାଦ୍ୟବ୍ୟବସ୍ଥାର ସଂପୂର୍ଣ୍ଣ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଓ ଆମନ୍ତ୍ରିତ ବିଶେଷଜ୍ଞ ତଥା ଶିକ୍ଷାବିତଙ୍କ ଦ୍ବାରା ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହି ୨୦ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବିଶ୍ବବିଦ୍ୟାଳୟର ସମସ୍ତ ବିଭାଗ ଓ ମାନବ ସମ୍ବଳ ବିକାଶ କେନ୍ଦ୍ର ଦ୍ବାରା ପରିଚାଳିତ କରାଯିବ। ଉଦଘାଟନୀ କାର୍ଯ୍ୟକ୍ରମକୁ ଡ଼କ୍ଟର ରାଜଶ୍ରୀ ଦତ୍ତ ସଂଚାଳନ କରିଥିଲେ ଓ ମାନବ ସମ୍ବଳ ବିକାଶ କେନ୍ଦ୍ରର ଉପନିର୍ଦ୍ଦେଶକ ଡ଼କ୍ଟର ଦେବଦତ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.