ଭିଜିଲାନ୍ସ ଛାଟ: ରାୟଗଡା ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ତିନି ଅଧିକାରୀ ଗିରଫ

ଓଡିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): କାଶିପୁର ବ୍ଲକର ଜଳଛାୟା ବିଭାଗରେ ଦୁର୍ନୀତି ଅଭିଯୋଗର ପର୍ଦ୍ଦାଫାସ କରି ଏନ.ଆର.ଇ.ଜି.ଏସ୍ ଅଧୀନରେ ୨୦ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ଅର୍ଥ ଆତ୍ମସାତ ପାଇଁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ରାୟଗଡ଼ା ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ତିନି ଜଣ ସହାୟକ ଅଧିକାରୀଙ୍କୁ ଗିରଫ କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଏନ.ଆର.ଇ.ଜି.ଏସ୍ ଅଧୀନରେ କୃଷି ପୋଖରୀ ଖନନ ନ କରି ସରକାରୀ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକ ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ୪ ଜଣ ଅଭିଯୁକ୍ତ ଯଥା ରାଜେନ୍ଦ୍ର ନାଥ ନାୟକ, ସହ ପ୍ରକଳ୍ପ ନିର୍ଦ୍ଦେଶକ ତଥା ସହ-ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସଂସ୍ଥା (ଶ୍ରେଣୀ-୧),  ଯୋଗେନ୍ଦ୍ର ଖୋସଲା ମୃତ୍ତିକା ସଂରକ୍ଷଣ, ଦୀପକ କୁମାର ସାହୁ ମୃତ୍ତିକା ସଂରକ୍ଷଣ ପର୍ଯ୍ୟବେକ୍ଷକ ଏବଂ ଶ୍ରୀକୁମାର ନାୟକ ମୃତ୍ତିକା ସଂରକ୍ଷଣ ସଂପ୍ରସାରଣ କର୍ମୀ, ରାୟଗଡ଼ା ପ୍ରକଳ୍ପ ନିର୍ଦ୍ଦେଶକ (ପିଡି)ଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମିଶି ୨୦ଲକ୍ଷ ଟଙ୍କାରୁ ଅଧିକ ସରକାରୀ ଟଙ୍କା ଆତ୍ମସାତ କରିଥିବା ଜଣାପଡ଼ିଥିଲା । ରାୟଗଡା ଜିଲ୍ଲାର କାଶୀପୁର ବ୍ଲକର ବିଭିନ୍ନ ଗ୍ରାମରେ ୨୩ ଟି କୃଷି ପୋଖରୀ ଖନନ ନ କରି ୨୦ ଲକ୍ଷ ଟଙ୍କା ଆଦାୟ କରାଯାଇଛି । ଉକ୍ତ କାର୍ଯ୍ୟାଳୟର ଅଭିଯୁକ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଉପରୋକ୍ତ ଅର୍ଥକୁ ଜବ କାର୍ଡ ଥିବା ଶ୍ରମିକଙ୍କ ଆକାଉଣ୍ଟରେ ଜମା କରି ଉଠାଇ ନେଇଥିବା ମଧ୍ୟ ଯାଞ୍ଚରେ ଜଣାପଡିଛି । ଏହା ବ୍ୟତୀତ କାଶୀପୁର ବ୍ଲକର ଦୁର୍ଗମ ଏବଂ ଜଙ୍ଗଲ ଅଞ୍ଚଳରେ ପୋଖରୀ ଥିବାରୁ କୃଷି ପୋଖରୀ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଥିବା କଥା ଯାଞ୍ଚ ଜାରି ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.