ବାଲେଶ୍ଵର ମତ୍ସ୍ୟ ବିଭାଗ ଆନୁକୂଲ୍ୟରେ ବୁଢ଼ାବଳଙ୍ଗ ନଦୀରେ ଉନ୍ନତ କିସମର ଆଙ୍ଗୁଳିକା ଯାଆଁଳ ଛାଡ଼ିବା କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ସ୍ଥିତ ସଦର ବ୍ଲକ ଅନ୍ତର୍ଗତ ପରମିଟ୍ ଘାଟ ଠାରେ ବାଲେଶ୍ଵର ମତ୍ସ୍ୟ ବିଭାଗ ତରଫରୁ ବୁଢ଼ାବଳଙ୍ଗ ନ‌ଦୀରେ ଉନ୍ନତ କିସମର ଆଙ୍ଗୁଳିକା ଯାଆଁଳ ଛାଡ଼ିବା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଦର ବିଧାୟକ ମାନସ କୁମାର ଦତ୍ତ, ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂରବିକାଶ, ୧ନଂ କାଉନସିଲର୍ ସସ୍ମିତା ନାଥ, ସଦର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ଜେନା, ବାଲେଶ୍ଵର ଜୋନ୍ ଉପ ମତ୍ସ୍ୟ ନିର୍ଦ୍ଦେଶକ ଦୀପ୍ତି କୁମାର ମହାପାତ୍ର, ଜିଲ୍ଲା ମତ୍ସ୍ୟ ଅଧିକାରୀ ଜିତେନ୍ଦ୍ର କୁମାର ବେହେରା, ସଦର ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଅସ୍ମିତା ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ୭,୫୦,୦୦୦ ଉନ୍ନତ କିସମର ଆଙ୍ଗୁଳିକା ଯାଆଁଳ ନଦୀରେ ଛଡ଼ା ଯାଇଥିଲା। ଜିଲ୍ଲାପାଳ ତାଙ୍କ ଅଭିଭାଷଣ ମାଧ୍ୟମରେ ମତ୍ସ୍ୟଚାଷକୁ ବାଲେଶ୍ଵରର ଉନ୍ନତି ନିମନ୍ତେ ଏକ ପ୍ରମୁଖ ବ୍ୟବସାୟ ସ୍ଵରୂପ ବିବେଚନା କରିଥିଲେ । ସଦର ବିଧାୟକ ଶ୍ରୀଯୁକ୍ତ ଦତ୍ତ ତାଙ୍କ ଅଭିଭାଷଣରେ ପରମିଟ ଘାଟର ଐତିହ୍ୟ ବିଷୟରେ ଆଲୋକପାତ କରିଥିଲେ ତଥା ଉଭୟ ପୁରୁଷ ଏବଂ ମହିଳାମାନଙ୍କୁ ପ୍ରତ୍ୟକ୍ଷ ଭାବରେ ମତ୍ସ୍ୟଚାଷ ସହିତ ଜଡ଼ିତ ରହି ନିଜର ତଥା ନିଜ ପରିବାରର ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ବାଲେଶ୍ୱର ଜୋନ୍ ର ଉପ ମତ୍ସ୍ୟ ନିର୍ଦ୍ଦେଶକ ତାଙ୍କ ଅଭିଭାଷଣ ମାଧ୍ୟମରେ ନ‌ଦୀରେ ମାଛ ଛାଡ଼ିବାର ତାତ୍ପର୍ଯ୍ୟ ଓ ଜାଲର ଫାଶ ସମ୍ବନ୍ଧୀୟ ଜ୍ଞାନ କୌଶଳ ପ୍ରଦାନ କରିଥିଲେ । ଜିଲ୍ଲା ମତ୍ସ୍ୟ ଅଧିକାରୀ ଜିତେନ୍ଦ୍ର କୁମାର ବେହେରା ମଂଚ ପରିଚାଳନା କରିଥିଲେ ଏବଂ ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ କାର୍ତ୍ତିକ ଚନ୍ଦ୍ର ନାଥ, ଗୌରାଙ୍ଗ ଚନ୍ଦ୍ର ଦାସ ଓ କାର୍ତ୍ତିକ ଚନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ବ୍ଲକର ମତ୍ସ୍ୟ ଅଧିକାରୀ ଓ ଅଧସ୍ତନ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ସର୍ବଶେଷରେ ନୀଳଗିରିର ସହକାରୀ ମତ୍ସ୍ୟ ଅଧିକାରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.