ଓଡ଼ିଶାରେ ପଛୁଆ ବର୍ଗଙ୍କ ପାଇଁ ସମାନୁପାତିକ ସଂରକ୍ଷଣ ଏବଂ ସାମାଜିକ ନ୍ୟାୟ ପାଇଁ ଆନ୍ଦୋଳନ ଜୋରଦାର ହେବ -ସମାଜବାଦୀ ପାର୍ଟି 

ଓଡିଆ ବାର୍ତ୍ତା/ ଭୁବନେଶ୍ୱର: ସ୍ୱାଧୀନତାର ଦୀର୍ଘ ଦଶନ୍ଧି ପରେ ମଧ୍ୟ ଓଡ଼ିଶାର ପଛୁଆ ବର୍ଗ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ସମ୍ବଧୀୟ ସାମ୍ବିଧାନିକ ଅଧିକାର ପାଇବାରୁ ବଂଚିତ। ଐତିହାସିକ ଭାବରେ ପଛୁଆ ବର୍ଗ ସଂରକ୍ଷଣ ବ୍ୟବସ୍ଥାରୁ ବଞ୍ଚିତ ହୋଇଛନ୍ତି ଯେତେବେଳେ ଏହା ଅନ୍ୟ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି ଓଡିଶାରେ ଏହା ବ୍ୟତିକ୍ରମ। ତେଣୁ ଓଡ଼ିଶାରେ ପଛୁଆ ବର୍ଗଙ୍କ ପାଇଁ ସମାନୁପାତିକ ସଂରକ୍ଷଣ ଏବଂ ସାମାଜିକ ନ୍ୟାୟ ପାଇଁ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ସୂଚନା ରହିଛି।

ଓଡ଼ିଶା ୧୯୩୬ ମସିହାରେ ଏକ ସ୍ୱତନ୍ତ୍ର ରାଜ୍ୟ ଭାବରେ ଅସ୍ତିତ୍ୱ ପାଇଥିଲା। ପୂର୍ବ ରାଜା ମାନଙ୍କର ଶାସନ କାଳରେ ପଛୁଆ ବର୍ଗଙ୍କ ଆର୍ଥିକ ଏବଂ ସାମାଜିକ ଉନ୍ନତିରେ କୌଣସି ଭୂମିକା ନଥିଲା। ସ୍ୱାଧୀନତର ପୂର୍ବ ସମୟରେ, ୧୯୦୨ ମସିହାରେ କୋଲ୍ଲାପୁରର ରାଜାଙ୍କ ଦ୍ୱାରା ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ତା ଆରମ୍ଭ କରାଯାଇଥିଲା ଏବଂ ପରେ, ସ୍ୱାଧୀନ ଭାରତରେ, ଦକ୍ଷିଣ ଭାରତୀୟ ରାଜ୍ୟ ଗୁଡ଼ିକ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ପ୍ରଚଳନ କରିଥିଲେ।ସ୍ୱାଧୀନତା ପରଠାରୁ ଓଡ଼ିଶାର ପଛୁଆ ବର୍ଗ ଦୀର୍ଘ ସମୟ ଧରି ଗମ୍ଭୀର ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ଅବହେଳାର ସମ୍ମୁଖୀନ ହୋଇଆସୁଛନ୍ତି। କେନ୍ଦ୍ର ସରକାର ୧୯୬୧ ମସିହାରେ ରାଜ୍ୟଗୁଡ଼ିକୁ ସେମାନଙ୍କର ନିଜସ୍ୱ ଓବିସି ତାଲିକା ପ୍ରସ୍ତୁତ କରିବାକୁ କହିଥିଲେ। ଅନ୍ୟମାନେ ଶୀଘ୍ର ପଦକ୍ଷେପ ନେଇଥିଲେ ମଧ୍ୟ, ୧୯୯୪ ମସିହାରେ ଓଡ଼ିଶା ସରକାରଙ୍କ ବିଚାରପତି ଏନକେ ଦାସ କମିଶନ (୧୯୯୧-୯୩)ଙ୍କ ରିପୋର୍ଟ ଆଧାରରେ ଏକ ତାଲିକା ପ୍ରସ୍ତୁତ କରିଥିଲେ। ମଣ୍ଡଳ କମିଶନ ସୁପାରିଶ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ରାୟ ପରେ, ଯେତେବେଳେ ଦକ୍ଷିଣ ଏବଂ ଉତ୍ତର ରାଜ୍ୟଗୁଡ଼ିକର ଅନେକ ରାଜ୍ୟ ପଛୁଆ ବର୍ଗଙ୍କ ସଂରକ୍ଷଣ ଏବଂ ବିକାଶ ପ୍ରସଙ୍ଗରେ ପଦକ୍ଷେପ ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ, ସେହି ସମୟରେ ଓଡ଼ିଶାର ତତ୍କାଳୀନ ସରକାର ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବାରେ ଦ୍ବିମତ ହେଲେ।

ସାମାଜିକ ଏବଂ ଶିକ୍ଷାଗତ ଭାବରେ ପଛୁଆ ବର୍ଗ ପାଇଁ ଆଇନ୍ – ୨୦୦୮ ଫେବୃଆରୀ ୩, ୨୦୦୯ ରେ ୨୧୦ ସମ୍ପ୍ରଦାୟକୁ ଅନ୍ତର୍ଭୁକ୍ତ କରି ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଏହା ଓଡିଶା ସରକାରଙ୍କ ନାଲିଫିତା ତଳେ ରହି କାର୍ଯ୍ୟକାରୀ ହୋଇପାରିଲା ନାହିଁ ଯାହା ଓଡିଶାର ୫୨ ପ୍ରତିଶତ ପଛୁଆ ବର୍ଗଙ୍କୁ ଧୋକା। ତଥ୍ୟ ଅନୁଯାଇ ୧୯୯୦-୯୫ ମସିହାରେ ତତ୍କାଳୀନ ଓଡ଼ିଶାର ସରକାର ମଣ୍ଡଳ କମିଶନ ସୁପାରିଶକୁ ବିରୋଧ କରିଥିଲେ।

ଓଡ଼ିଶାରେ ପଛୁଆ ବର୍ଗଙ୍କ ସଂଖ୍ୟା ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ୫୨ ପ୍ରତିଶତରୁ ଅଧିକ। ଭାରତ ସରକାରଙ୍କ ତଥ୍ୟ ଅନୁଯାଇ ବିଶେଷ ଭାବେ ଓଡିଶାର ପଛୁଆ ବର୍ଗ ଭାବରେ ଚିଂହିତ ଜାତି ଏବଂ ଉପ ଜାତି ପାରମ୍ପାରିକ ଭାବରେ , ଶିକ୍ଷା ଏବଂ ଆର୍ଥିକ ଦୃଷ୍ଟିରୁ ସମ୍ବଳହୀନ, ଏବଂ ଜାତି ପଦାନୁକ୍ରମରେ ସାମାଜିକ ଭାବରେ ସେମାନେ ନିଜର ସାମ୍ବିଧାନିକ ଅଧିକାରୁ ବଂଚିତ।

ବିଶେଷ ଭାବେ ପଛୁଆ ବର୍ଗର ଲୋକ ସାମାଜିକ ସ୍ତରରେ କ୍ଷୁଦ୍ର ଚାଷୀ, ଭାଗଚାଷୀ, କାରିଗର, ବୁଣାକାର, ଦୁଗ୍ଧ ଚାଷୀ, ଗୋପାଳକ, ଖାଦ୍ୟ ବିକ୍ରେତା, ବଢ଼େଇ, କମାର, କୁମ୍ଭାର, ନାପିତ, କ୍ଷୁଦ୍ର ବ୍ୟବସାୟୀ ଇତ୍ୟାଦି, ଯେଉଁମାନେ ସଂରକ୍ଷଣ ସହିତ ସେମାନଙ୍କର ଆର୍ଥିକ ବିକାଶ ପାଇଁ ସରକାରୀ ସହାୟତାର ଘୋର ଆବଶ୍ୟକତା ରଖିଛନ୍ତି। ଓଡ଼ିଶାରେ ପଛୁଆ ଶ୍ରେଣୀର ଲୋକଙ୍କ ମଧ୍ୟରେ ଗରିବଙ୍କ ସଂଖ୍ୟା ଅଧିକ ଅଛି। ଅଖିଳ ଭାରତୀୟ ଋଣ ଏବଂ ନିବେଶ ସର୍ଭେ ୨୦୧୯ (NSS ୭୭ତମ ସର୍ବେକ୍ଷଣ) ଦର୍ଶାଉଛି ଯେ ଓଡ଼ିଶାରେ ପଛୁଆ ବର୍ଗର ଲୋକମାନଙ୍କର ଇଡବ୍ଲୁଏସ ଅଧୀନରେ ଥିବା ସାମାଜିକ ଗୋଷ୍ଠୀ ତୁଳନାରେ କମ୍ ସମ୍ପତ୍ତି ଅଛି। ତତ୍ ସହିତ ପଛୁଆ ବର୍ଗର ଲୋକମାନଙ୍କ ମଧ୍ୟରେ ଦାରିଦ୍ର୍ୟ ସୀମା ତଳେ ଥିବା ପରିବାରର ସଂଖ୍ୟା ମଧ୍ୟ ଅଧିକ। ଓଡ଼ିଶାରେ ପଛୁଆ ବର୍ଗଙ୍କ ସଂରକ୍ଷଣ ମାମଲାକୁ ବିଶେଷ ଗୁରୁତ୍ୱ ଦେଇ ୫୦ ପ୍ରତିଶତ ସିଲିଂ ସୀମା ହଟେଇ ସଂରକ୍ଷଣ ବ୍ୟବସ୍ଥାକୁ ଜନଗଣନା ଆଧାରରେ ସମାନୁପାତିକ କରାଗଲେ ନିଶ୍ଚିତ ଭାବରେ ରାଜ୍ୟରେ ଓବିସି ବର୍ଗର ଲୋକମାନଙ୍କ ପ୍ରତି ସାମାଜିକ ନ୍ୟାୟ ପ୍ରତିଷ୍ଠା ହୋଇପାରିବ ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.