ସେଦିନ ଥିଲା ଶ୍ରୀଗୁଣ୍ଡିଚା। ରଥ ଉପରକୁ ଠାକୁରମାନେ ଉଠିବାକୂ ଢେର ଡେରିଅଛି। କବି ବଳରାମ ଦାସ ବେଶ୍ୟା ଚାରୁଲତାଙ୍କୁ ଦେଖା କରିସାରି ମନ୍ଦିର ଯିବେ ବୋଲି ସ୍ଥିର କଲେ। ଚାରୁଲତା ସହିତ ଆମୋଦ ପ୍ରମୋଦରେ ମାତି ରଥଯାତ୍ରା କଥା ଭୁଲି ଯାଇଛନ୍ତି। ବଡ଼ଦାଣ୍ଡରେ ରଥଟଣା ଆରମ୍ଭ ହୋଇଗଲାଣି। ରଥଚକର ଗୁରୁଗର୍ଜନ ତାଙ୍କର ତନ୍ଦ୍ରା ଭଙ୍ଗ କଲା। ସେ ଜଗନ୍ନାଥଙ୍କର ମନମୋହନ ରୂପ ଓ ପବିତ୍ର ରଥଯାତ୍ରାର ଜନସମାଗମ କଥା ସ୍ମରି ଉନ୍ମତ୍ତ ହୋଇ ଉଠିଲେ। ଶୁଚିଅଶୁଚି କଥା ଚିନ୍ତାକରି ପାରିଲେ ନାହିଁ। ସେ ଦିନର ସ୍ନାନ ଶୌଚ କଥା ମଧ୍ୟ ଭୁଲିଗଲେ। ବେଶ୍ୟା କବରୀରେ ଗୁନ୍ଥା ଯାଇଥିବା ରଜନୀଗନ୍ଧାର ଫୁଲ ମାଳଟିକୁ ଛିଣ୍ଡାଇ ଆଣି ପ୍ରଭୁଙ୍କ ଦର୍ଶନ ଆଶାରେ ବଡ଼ଦାଣ୍ଡକୁ ଦୌଡ଼ିଗଲେ। ରଥ ଉପରେ ଚଢି ବେଶ୍ୟାଲାଗି ଫୁଲମାଳକୁ ପ୍ରଭୁଙ୍କୁ ଅର୍ପଣ କରିବାକୁ ଯାଉଛନ୍ତି, ପଣ୍ଡାମାନେ ବଳରାମଙ୍କୁ ଦେଖିନେଲେ। ସେମାନେ କବିଙ୍କୁ ଗାଳିଗୁଲଜ କରି ଗଳାଧକ୍କା ଦେଇ ରଥରୁ ବାହାର କରିଦେଲେ। ବଳରାମ ଦାସ ଶକ୍ତ ଧକ୍କା ଖାଇ ଶରଧା ବାଲିରେ କିଛି ସମୟ ପଡି ରହିଲେ। ତାପରେ ଲୋକମାନଙ୍କର ଟାହିଟାପରା ଶୁଣି ଉଠି ଠିଆହେଲେ। ଅପମାନ ଓ ଅଭିମାନରେ ସେ ଜଳି ଯାଉଛନ୍ତି। ସେ ନିଜର ସତ୍ତାକୁ ଭୁଲିଗଲେ। ଦୁଇହାତ ତୋଳି ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭଜନ ଗାଇଲେ। ପୁଣି ପ୍ରଭୁଙ୍କୁ ପ୍ରଶ୍ନ କଲେ ବଳରାମ ଦାସ। ପ୍ରଭୁ! ତୁ ମୋର ପ୍ରାଣବନ୍ଧୁ ବୋଲି ଭାବି ତୋ ଛାମୁକୁ ଦଉଡି ଆସିଲି। କିନ୍ତୁ ତୁ ଇତର ଲୋକମାନଙ୍କ ଦ୍ବାରା ମୋତେ ଏତେ ଦଣ୍ଡ ଦିଆଇଲୁ। ଏବେ ତୋତେ ମୁଁ ଚିହ୍ନିଗଲି। ଏବେ ବଡ଼ଦାଣ୍ଡରୁ ବାହୁଡି ଯାଉଛି। ତୋ ରଥ ଦଉଡିକୁ କିଏ କେମିତି ଟାଣିବ ଟାଣୁ। ବଳରାମ ଦାସ ବଡ଼ଦାଣ୍ଡରୁ ଫେରିଆସି ସମୁଦ୍ର କୂଳରେ ପହଞ୍ଚିଲେ। ବାଙ୍କି ମୁହାଣ ନିକଟସ୍ଥ ଚକ୍ରତୀର୍ଥ ଠାରେ ଆସନ ପାରି ବସିଗଲେ। ବାଲି ଉପରେ ତିନି ରଥ ନିର୍ମାଣ କଲେ। ସେଠାରେ ଠାକୁରମାନଙ୍କୁ ବସାଇଲେ। ଆଖିବୁଜି ଧ୍ୟାନସ୍ଥ ହୋଇଗଲେ। ଭାବ ସମାଧି। ଶ୍ରୀଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କ ମାନସ ପୂଜା। ସେ ପୂଜା ପୁଣି ଷୋଡଶ ଉପଚାରରେ। ମନଗହନରେ ଭେରୀ ତୂରୀ ମର୍ଦଳ ଢୋଲ ବାଜୁଛି। ନିଃଶ୍ବାସ ପବନ ଶଙ୍ଖ ମହୁରୀ ବଜାଉଛି। ପ୍ରଭୁଙ୍କୁ ନିଉଚ୍ଛାଳି ହୋଇ ବଳରାମ ଦାସ କହୁଥାନ୍ତି। ହରିହୋ, ବାଲିରେ ତ୍ରିରଥ କରିଛି ମୁହିଁ, ସନ୍ତୋଷେ ବିଜୟ କର ଗୋସାଇଁ। ବାଲିରଥ ଉପରେ ପ୍ରଭୁଙ୍କର ଦିବ୍ୟ ଜ୍ୟୋତି ପ୍ରକାଶ ପାଇଲା। ବଳରାମ ଦାସ ଅଦ୍ଭୁତ ଦୃଶ୍ୟ ଦେଖି ତଟସ୍ଥ ହୋଇଗଲେ। ସତରେ କ’ଣ ମହାପ୍ରଭୁ ଜଗନ୍ନାଥ ବଡ଼ଦାଣ୍ଡ ଛାଡି ଭାଇଭଗିନୀ ସହିତ ଏହି ବାଲିରଥରେ ଅଧିଷ୍ଠାନ କରିଛନ୍ତି? ହଠାତ୍ ଶୂନ୍ୟବାଣୀ ହେଲା- ‘ଦାସେ! ମୋର ଉତ୍ସବ କ’ଣ ହେବ? ମୂଳ ମୋର ଭକ୍ତ। ଅଶେଷ ସୁଖ ମୁଁ ଭକ୍ତ କଥାମୃତରୁ ହିଁ ପାଇଛି। ତୁମର ଏକନିଷ୍ଠ ଭାବ ସମାଧି ହିଁ ମୋତେ ଟାଣି ଆଣିଲା। ତୁମ ଭଳି ଭକ୍ତ ଯୁଗେ ଯୁଗେ ଦୁର୍ଲଭ। ଆଉ ତୁମର ଭାବ ସମାଧି ଦୁର୍ଲଭ।’ ଭକ୍ତ ବଳରାମ, ନିଜ କର୍ମ ପାଇଁ ଅନୁତପ୍ତ ହୋଇ କାନ୍ଦି ପକାଇଲେ। ମୁଁ ଯାହାସବୁ କରିଛି ଓ କହିଛି ସେ ସବୁ ଅଭିମାନର କଥା। ମୋତେ କ୍ଷମା କରିଦିଅ ମହାବାହୁ। ସେପଟେ ବଡ଼ଦାଣ୍ଡରେ ନନ୍ଦିଘୋଷ, ତାଳଧ୍ଵଜ ଓ ଦେବଦଳନ ରଥ ଆଉ ଚଳୁନି। ଭକ୍ତମାନେ ରଥ ଦଉଡି ଟାଣି ଟାଣି ଥକି ଗଲେଣି। ମତ୍ତହସ୍ତୀମାନେ ବହୁ ବଳ ପ୍ରୟୋଗ କରି ଆଣ୍ଠେଇ ଗଲେଣି। ରଥ ଟିକେ ସୁଦ୍ଧା ଝୁଙ୍କୁନି। ରାଜା ପ୍ରତାପରୁଦ୍ରଦେବ ବ୍ୟସ୍ତ ହୋଇଉଠିଲେ। ମହାପ୍ରଭୁଙ୍କୁ ସ୍ତୁତି କଲେ। ପୂଜାର୍ଚ୍ଚନା କଲେ କୈାଣସି ଫଳ ହେଲାନି। ରାଜା କୁଶ ଆସନରେ ବସି ଧ୍ୟାନସ୍ଥ ହୋଇ ପ୍ରଭୁଙ୍କୁ ମନ ମଧ୍ୟରେ ସ୍ମରଣ କରିବାରେ ଲାଗିଲେ। ସେହି ଧ୍ୟାନ ମଧ୍ୟରେ ପ୍ରଭୁ ରାଜାଙ୍କୁ କହିଲେ- ହେ ରାଜା! ବଳରାମ ଦାସ ମୋର ପରମ ଭକ୍ତ। ସେ ଯେଉଁ ଅବସ୍ଥାରେ ଥାଉ, ସେ ମୋର ପ୍ରିୟ। ତାକୁ ତୋର ପଣ୍ଡା ସେବକମାନେ ବହୁ କଷ୍ଟ ଦେଲେ। ସେ ସମୁଦ୍ର କୂଳରେ ଚକ୍ରତୀର୍ଥ ଠାରେ ବାଲି ରଥ କରି ମୋତେ ଅଟକାଇ ରଖିଛି। ତାର ଭାବ ସମାଧିରେ ଆମେମାନେ ବନ୍ଧା ପଡିଛୁ। ବଳରାମ ଦାସ ପ୍ରତି ଅନ୍ୟାୟ ହୋଇଛି ତୁ ତାର ପ୍ରତିକାର କର। ରଥ ଚାଲିବ। ରାଜା ଆଉ କାଳ ବିଳମ୍ବ ନକରି ଅତ୍ୟନ୍ତ ସମ୍ମାନର ସହ ଭକ୍ତକବି ବଳରାମ ଦାସଙ୍କୁ ପାଲିଙ୍କିରେ ବସାଇ ଚକ୍ରତୀର୍ଥରୁ ବଡ଼ଦାଣ୍ଡକୁ ଅଣାଇ ରଥ ଉପରେ ବସାଇଲେ। ବଳରାମ ଦାସଙ୍କ ଆଦେଶ ପାଇ ତିନି ରଥ ଘର୍ଘର ନାଦ କରି ବଡ଼ଦାଣ୍ଡରେ ଗଡି ଚାଲିଲେ। ଭକ୍ତମାନଙ୍କର ହରିବୋଲ ଧ୍ୱନୀରେ ବଡ଼ଦାଣ୍ଡ ଉଚ୍ଛୁଳି ପଡୁଥାଏ। ଶେଷରେ ଭକ୍ତ ବଳରାମ ଦାସଙ୍କ ଜୟ ହେଲା। ଅପରାଧିମାନେ ରାଜାଙ୍କ ଦ୍ବାରା ଦଣ୍ଡିତ ହେଲେ।