ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗ

ପ୍ରଧାନଶିକ୍ଷକ ଗିରଫର ୩ ଦିନ ପରେ ସସପେଣ୍ଟ କଲା ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସିନାପାଲି ଅଞ୍ଚଳର ଜଣେ ଯୁବତୀ ଓ ୨ଜଣ ଯୁବକ ଚାକିରି ଆଶାରେ ଠକାମିର ଶିକାର ହୋଇ ସିନାପାଲି ଥାନାର ଦ୍ବାରସ୍ତ ହୋଇଥିଲେ। ଏହି ଘଟଣାରେ ସିନାପାଲି ପୁଲିସ ଲାଞ୍ଜିଗଡ଼ ବ୍ଲକ ଡଙ୍ଗାଯୋର ସରକାରୀ ୟୁପି ସ୍କୁଲର ପ୍ରଧାନଶିକ୍ଷକ ଦିଲୀପ ମହାରଣାଙ୍କୁ ଗିରଫ କରିବା ୩ ଦିନ ପରେ ଚାକିରୀରୁ ସସପେଣ୍ଟ କରିଛି ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗ। ଅଭିଯୋଗ ଅନୁସାରେ, ସିନାପାଲି ଥାନା ସଦର ଗ୍ରାମର ପ୍ରବୀଣ ମେହେର ଓ ପ୍ରଭାତ ମେହେରଙ୍କୁ ଏକ ପ୍ରତିଷ୍ଠିତ କମ୍ପାନିରେ ଚାକିରି କରାଇଦେବେ ବୋଲି କହି ଲାଞ୍ଜିଗଡ଼ ବ୍ଳକ ବନ୍ଧପାରି ପଞ୍ଚାୟତ ଡଙ୍ଗାଯୋର ସରକାରୀ ୟୁପି ସ୍କୁଲର ପ୍ରଧାନଶିକ୍ଷକ ତଥା କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ଥାନା ଗନ୍ଧପାରି ଗ୍ରାମର ଦିଲୀପ ମହାରଣା ୬ ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ। ଅଭିଯୁକ୍ତ ଶିକ୍ଷକ ଜଣକ ପ୍ରବୀଣଙ୍କଠାରୁ ୪ଲକ୍ଷ ଓ ପ୍ରଭାତଙ୍କଠାରୁ ୨ଲକ୍ଷ ୫୦ ହଜାର ଟଙ୍କା ଠକେଇ କରିଥିଲେ।କିନ୍ତୁ ଚାକିରୀ ନାଁରେ ଠକେଇର ଶିକାର ହୋଇଥିବା ଜଣାପଡ଼ିବା ପରେ ପ୍ରବୀଣ ଗତ ୨୩ ତାରିଖରେ ସିନାପାଲି ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ସିନାପାଲି ଆନାରେ ଏକ ମାମଲା ରୁଜୁ ହୋଇଥିଲା।  ସିନାପାଲି ଆନାଧିକାରୀ ରଶ୍ମିତା ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏସଆଇ କେତନ ଧରୁଆଙ୍କ ନେତୃତ୍ବରେ ଏକ ପୋଲିସ ଟିମ୍ ଲାଞ୍ଜିଗଡ଼ ବ୍ଳକ ସୀମାନ୍ତ ରାୟଗଡ଼ା ଜିଲ୍ଲା ଆମ୍ବାଦୋଳା ଗ୍ରାମରେ ଚଡ଼ଉ କରି ଅଭିଯୁକ୍ତ ପ୍ରଧାନଶିକ୍ଷକ ଶ୍ରୀ ମହାରଣାଙ୍କୁ ଗିରଫ କରି ଗତ ୨୭ ତାରିଖ ରବିବାର ଦିନ ତାଙ୍କୁ କୋର୍ଟ ଚାଲାଣ କରିଥିଲା।କିନ୍ତୁ ଏହାକୁ ନେଇ ବ୍ଳକ ଶିକ୍ଷା ବିଭାଗ ପାଖରେ କୌଣସି ଖବର ନଥିଲା। ୨୮ ତାରିଖରେ ଶିକ୍ଷକ କୋର୍ଟ ଚାଲାଣ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଏହାପରେ ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗ ଜାଣିବା ପରେ ଘଟଣାର ତଦନ୍ତ କରି ଗତ ୨୯ ତାରିଖ ମଙ୍ଗଳବାର ୩ ଦିନ ପରେ ପ୍ରଧାନ ଶିକ୍ଷକ ଶ୍ରୀ ମହାରଣାଙ୍କୁ ସସପେଣ୍ଟ କରିଥିବା ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ ରୁଷିଆ ମେହେର ପ୍ରକାଶ କରିଛନ୍ତି। ଅପରପକ୍ଷରେ ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେବା ସହିତ ରାୟଗଡା ଜିଲ୍ଲା ଅମ୍ବାଦଳାର ଶିକ୍ଷକ ବିଜୟ ମିଶ୍ର ଓ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଭେଜିପଦର ସ୍କୁଲର ଶିକ୍ଷକ ତଥା ଶିକ୍ଷକ ନେତା ପ୍ରଶାନ୍ତ ଖମାରି ଗିରଫ୍ ହୋଇ ଜେଲ ଯାଇଛନ୍ତି। ଲାଞ୍ଜିଗଡ଼ ବ୍ଲକ ସୀମାନ୍ତ ୪ କିଲୋମିଟର ଦୂରରେ ଥିବା ରାୟଗଡା ଜିଲ୍ଲା ଅମ୍ବାଦଳାର ଶିକ୍ଷକ ଶ୍ରୀ ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚ ଗିରଫ ପରେ ଏହାକୁ ନେଇ ଲାଞ୍ଜିଗଡ଼ ବ୍ଲକ ଶିକ୍ଷକ ମହଲାରେ ଏକ ପ୍ରକାର କୋକୁଆ ଭୟ ଦେଖୁବାକୁ ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.