ଯୁବ ଶିଳ୍ପୋଦ୍ୟୋଗୀ ପ୍ରତୀକ ଜେନା ପାଇଲେ ଆନ୍ତର୍ଜାତିକ ଇଟି ଇଣ୍ଡୋ ଗ୍ଲୋବାଲ ଲିଡର୍ସ ପୁରସ୍କାର

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ହାଇଲାଣ୍ଡ ଆଗ୍ରୋ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ପ୍ରତୀକ ଜେନାଙ୍କୁ ଆଗଧାଡିର ଜଣେ ଦୂରଦୃଷ୍ଟି ସମ୍ପନ୍ନ ଯୁବ ଶିଳ୍ପୋଦ୍ୟୋଗୀ ଭାବରେ ଶୁକ୍ରବାର ଦିନ ଦୁବାଇ ଠାରେ “ଇଟି ଇଣ୍ଡୋ ଗ୍ଲୋବାଲ୍ ଲିଡର୍ସ ପୁରସ୍କାର”ରେ ସମ୍ମାନିତ କରାଯାଇଛି। ଯାହା ଆମ ରାଜ୍ୟ ତଥା ଭାରତ ବର୍ଷ ପାଇଁ ଏକ ଗର୍ବ ଓ ଗୌରବର ବିଷୟ ବୋଲି ଜଣାପଡିଛି। ସମ୍ମାନିତ ହେବା ଅବସରରେ ନିଜର ଅଭିଭାଷଣରେ ଶ୍ରୀ ଜେନା ବିଶ୍ଵ କୃଷିଜାତ ଖାଦ୍ୟ ବ୍ୟବସାୟର ଭବିଷ୍ୟତ ଉପରେ ଶକ୍ତିଶାଳୀ ଅନ୍ତର୍ଦୃଷ୍ଟି ରଖିବା ସହିତ ଏହି କ୍ଷେତ୍ରକୁ ଆଗକୁ ବଢିବା ପାଇଁ ଆବଶ୍ୟକ ଅଭିନବୀକରଣ ଉପରେ ଗୁରୁତ୍ଵାରୋପ କରିଥିଲେ। ସେ ବ୍ରିଟେନ ସହିତ ବର୍ତ୍ତମାନର ଏଫ.ଟି.ଏ. ବାଣିଜ୍ୟ ଚୁକ୍ତି ଓ ଆମ ଦେଶର କୃଷିଜାତ ଖାଦ୍ୟର ଭବିଷ୍ୟତ ଉପରେ ଏହାର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ। ଏଥିସହିତ ଆମେରିକା ଦ୍ଵାରା ଲଗା ଯାଇଥିବା ଶୁଳ୍କ ଏବଂ ତାହା ଆମ ଦେଶର ରପ୍ତାନି ଉପରେ କିପରି ପ୍ରଭାବ ପକାଇବ ସେ ବିଷୟରେ ମତ ପ୍ରକାଶ କରିଥିଲେ।

ଏହି ମର୍ଯ୍ୟାଦାଜନକ କାର୍ଯ୍ୟକ୍ରମରେ ଶ୍ରୀ ଜେନାଙ୍କ ସହିତ ଫ୍ରିଜୋନ୍ସ ଅଥରିଟି ଅଫ୍ ଆଜମନ୍ ର ଡାଇରେକ୍ଟର ଜେନେରାଲ ଇସ୍ମାଇଲ୍ ଅଲ୍ ନାକି, କାସାଗ୍ରାଣ୍ଡର ଡାଇରେକ୍ଟର ଲୁଥଫୁଲ୍ଲା ଖଦେର ବାଶା, ଭାରତୀୟ ଫିଲ୍ମ ଅଭିନେତା କୁନାଲ କାପୁର ଓ ହାଇଲ୍ୟାଣ୍ଡ ଆଗ୍ରୋର ଦୁବାଇସ୍ଥିତ ସହାୟକ କମ୍ପାନୀ ଅଲ୍ ଫ୍ରେସ୍କୋ ଓଭରସିଜ୍ ଟ୍ରେଡିଂର ନିର୍ଦ୍ଦେଶକ ଅନିଲ କୁମାର ମଧ୍ୟ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଅଲ୍ ଫ୍ରେସ୍କୋ ବିଦେଶର ଖୁଚୁରା ବଜାରକୁ ପ୍ରିମିୟମ୍ କୃଷିଜାତ ଉତ୍ପାଦ ଖାଦ୍ୟ ଯୋଗାଇ ଥାଏ।

ଶ୍ରୀ ଜେନା ତାଙ୍କ ପିତା ତଥା ହାଇଲ୍ୟାଣ୍ଡ ଗ୍ରୁପ୍ ଅଫ୍ କୋମ୍ପାନିଜ୍ ର ଅଧ୍ୟକ୍ଷ ଇଂ ରବିନ୍ଦ୍ର କୁମାର ଜେନାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ପ୍ରତିବଦ୍ଧତାର ସହିତ ନେତୃତ୍ୱ ଗ୍ରହଣ କରି ହାଇଲ୍ୟାଣ୍ଡ ଆଗ୍ରୋ ଫୁଡ୍ସକୁ ଭାରତର କୃଷି-ରପ୍ତାନି ଶିଳ୍ପର ଅଗ୍ରଭାଗକୁ ନେବାରେ ସଫଳ ହୋଇଛନ୍ତି। ହାଇଲ୍ୟାଣ୍ଡ ଆଗ୍ରୋ ଫୁଡ୍ସ ଇଣ୍ଡିଆ ସ୍ଥାନୀୟ ତୃଣମୂଳସ୍ତରର ସ୍ୱଳ୍ପ ଆୟକାରୀ ଚାଷୀଙ୍କ ସହିତ ସକ୍ରିୟ ଭାବରେ ସହଭାଗୀତା ପ୍ରଦାନ କରି ୭୦ ପ୍ରତିଶତରୁ ଅଧିକ ମହିଳାଙ୍କୁ ନିଯୁକ୍ତି ପ୍ରଦାନ କରିଛି। ଫଳ ସ୍ବରୂପ କୃଷି କ୍ଷେତ୍ରରେ ମହିଳା ନେତୃତ୍ୱାଧୀନ ସଫଳତା ଏକ ମାନଦଣ୍ଡ ପାଲଟିଛି।

ଏହି ପ୍ରସଙ୍ଗରେ ଶ୍ରୀ ପ୍ରତୀକ ଜେନା କହିଛନ୍ତି ମହିଳାମାନେ ସ୍ୱାଭାବିକ ଭାବରେ ଯେଉଁ ଧୈର୍ଯ୍ୟ ଏବଂ ସ୍ଥିରତା ରଖନ୍ତି ତାହା ପ୍ରକୃତରେ ଅତୁଳନୀୟ। ଆମର ଦୃଷ୍ଟିକୋଣ ସର୍ବଦା ସଶକ୍ତିକରଣ ଉପରେ କେନ୍ଦ୍ରିତ ଓ ଆମ ସଂସ୍ଥାର ପ୍ରତ୍ୟେକ ସ୍ତରରେ ଆମର ସୁରକ୍ଷା କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଆମର ସର୍ବୋଚ୍ଚ ପଦସ୍ଥ ବ୍ଯକ୍ତି ପର୍ଯ୍ୟନ୍ତ ଥିବା ମହିଳାମାନେ ପ୍ରଗତି ଏବଂ ପରିବର୍ତ୍ତନର ମଶାଲ ବାହକ ଭାବରେ ଠିଆ ହୋଇଛନ୍ତି ବୋଲି ସେ ମତବ୍ୟକ୍ତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.