ସ୍ୱଚ୍ଛ ପାନୀୟ ଜଳରୁ ବଞ୍ଚିତ ପାଜିଦୁହୁନି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ; ଶ୍ରେଣୀ କୋଠରୀ ଅଭାବରୁ ବାରଣ୍ଡାରେ ପାଠ ପଢୁଛନ୍ତି ପିଲା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ବଡ଼ଧାରପୁର ଗ୍ରାମ ପଞ୍ଚାୟତର ପାଜିଦୁହୁନି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପିଇବା ପାଇଁ ମୁନ୍ଦିଏ ସ୍ୱଚ୍ଛ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ବିଦ୍ୟାଳୟ ପରିସରରେ ଗୋଟିଏ ନଳକୂଅ ରହିଥିଲେ ମଧ୍ୟ ଏହି ନଳ କୁଅରେ ପାଣି ନାହଁ। ଚାରି ପାଞ୍ଚ ବାଲଟି ପାଣି ବାହାରିବା ପରେ ଆଉ ପାଣି ବହାରୁନି। ଶେଷରେ କଳଙ୍କି ଗୁଣ୍ଡ ମିଶା ଲାଲ ପାଣି ବାହାରୁଛି ଯାହା ପାନୀୟ ଯୋଗ୍ୟ ନୁହଁ। ବିଦ୍ୟାଳୟ ତରଫରୁ ସମର ସେବୁଲ ମୋଟର ପମ୍ପ ଆଣି ବିଦ୍ୟାଳୟରେ ରଖା ଯାଇଥିଲେ ମଧ୍ୟ ନଳ କୁଅରୁ ପର୍ଯ୍ୟାପ୍ତ ପାଣି ବାହାରୁ ନଥିବାରୁ ଏହାକୁ ସଂଯୋଗୀ କରଣ କରାଯାଇନାହିଁ ବୋଲି ପ୍ରଧାନ ଶିକ୍ଷକ ପ୍ରଦୀପ ବିଶ୍ଵାଳ ମତବ୍ୟକ୍ତ କରିଛନ୍ତି। ଏହାବାଦ ବିଦ୍ୟାଳୟ ର ପାର୍ଶ୍ୱରେ ଦୀର୍ଘ ଦୁଇବର୍ଷ ହେଲା ରାଜ୍ୟ ସରକାରଙ୍କ ଅମୃତ ଧାରା ପାନୀୟ ଜଳ ଯୋଜନାରେ ନଳକୂଅ ଏଵଂ ଓଭର ହେଡ଼ ଟ୍ୟାଙ୍କ ପାଇଁ ପ୍ଲାଟଫର୍ମ ତିଆରି ହୋଇଥିଲେ ମଧ୍ୟ ଏଯାଏଁ ଟ୍ୟାଙ୍କ ବସି ପାରିନି। ଫଳରେ ସ୍ୱଚ୍ଛ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ। ଅନ୍ୟପକ୍ଷରେ ବାଟିକା ଶ୍ରେଣୀର ୧୩ ଜଣଙ୍କୁ ମିଶାଇ ବିଦ୍ୟାଳୟରେ ୫୬ ଜଣ ଛାତ୍ର ଛାତ୍ରୀ ରହିଥିବା ବେଳେ ୬ ଗୋଟି ଶ୍ରେଣୀ ପାଇଁ ରହିଛି ୨ ଗୋଟି ଶ୍ରେଣୀ କୋଠରୀ। ଫଳରେ ବାରଣ୍ଡାରେ ବସି ପିଲା ପାଠ ପଢୁଛନ୍ତି। ୬ ଗୋଟି ଶ୍ରେଣୀ ପାଇଁ ରହିଛନ୍ତି ଦୁଇଜଣ ଶିକ୍ଷକ। ଅବଶ୍ୟ ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ୩୦ ଜଣ ଛାତ୍ର ଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକ ହିସାବରେ ପାଜିଦୁହୁନି ପ୍ରାଥମିକ ବିଦ୍ୟାଳୟର ୫୬ ଜଣ ଛାତ୍ର ଛାତ୍ରୀଙ୍କ ପାଇଁ ଶିକ୍ଷକ ସଂଖ୍ୟା ଠିକ ଅଛି। ଏଵଂ ବିଦ୍ୟାଳୟର ଶିକ୍ଷକ ମାନଙ୍କ ପ୍ରଚେଷ୍ଟା ରେ ବିଦ୍ୟାଳୟ ପରିବେଶ ଆକର୍ଷଣୀୟ, ଶିକ୍ଷଣିୟ ଓ ଦର୍ଶନୀୟ ହୋଇ ପାରିଛି। ଏହା ଏକ ମଡେଲ ସ୍କୁଲ ଭଳି ହୋଇଛି। ଶିକ୍ଷାଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଲାଞ୍ଜିଗଡ଼ ର ଅନେକ ଶିକ୍ଷକ ଏ ବିଦ୍ୟାଳୟର ପାରିପାର୍ଶିକ ବ୍ୟବସ୍ଥା ଓ ଶିକ୍ଷାଦାନ ଶୈଳୀ ଆସି ଦେଖି ଯାଇଛନ୍ତି। ଏଭଳି ଏକ ସୁନ୍ଦର ପ୍ରାଥମିକ ବିଦ୍ୟାଳୟ ରେ ଶ୍ରେଣୀ କୋଠରୀ ଓ ପାନୀୟ ଜଳ ର ସୁବ୍ୟବସ୍ଥା ନଥିବାରୁ ଛାତ୍ର ଛାତ୍ରୀ ମାନେ ହଇରାଣ ହେଉଥିବା ଦେଖିବାକୁ ମିଳୁଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ମାନେ ଦୃଷ୍ଟି ଦେବାପାଇଁ ଅଭିଭାବକ ମାନେ ଅନୁରୋଧ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.