ଦଳିତ ସମାଜକୁ ସଂଗଠିତ କରିବା ସମୟ ଆସିଛି, ସଂଘର୍ଷ ସହିତ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଧ୍ୟେୟ ହେଉ

ଦଳିତ ବୁଦ୍ଧିଜୀବୀ ମଞ୍ଚର ନୂଆଖାଇ ଭେଟଘାଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସମୟର ପରିବର୍ତ୍ତନ ସୁଅରେ ନିଜକୁ ପରିବର୍ତ୍ତିତ କରି ଅବହେଳିତ ଦଳିତ ସମାଜର ଉତଥାନ ପାଇଁ ପ୍ରୟାସ କରିବାକୁ ହେବ। ସେହିପରି ବହୁଧା ବିଭକ୍ତ ଦଳିତ ସମାଜ ଆଗରେ ଶିକ୍ଷା ଓ ସଂସ୍କାର ଉଦ୍ରେକ ହୋଇଥିଲେ ହେଁ ସଂଗଠିତ ହେବାରେ ଆଜି ବି ଅନେକ କିଛି ବାକି ରହିଛି। ସମାଜର ବିଭିନ୍ନ ବର୍ଗ ଓ ଦଳିତ ସମାଜ ମଧ୍ୟରେ ଥିବା ଶୂନ୍ୟସ୍ଥାନ ପୂରଣ କରିବାକୁ ହେଲେ ଶିକ୍ଷିତ ହେବା ସାଙ୍ଗେ ସାଙ୍ଗେ ସଂଗଠିତ ଓ ଐକ୍ୟବଦ୍ଧ ହେବାକୁ ପଡ଼ିବ। ସେହିପରି କେବଳ ସଂଘର୍ଷ ନୁହେଁ, ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ନିରନ୍ତର ସଂଘର୍ଷ କରିବାକୁ ପଡ଼ିବ ଏବଂ ଏ ଦିଗରେ କଳାହାଣ୍ଡି, ଦଳିତ ବୁଦ୍ଧିଜୀବୀ ମଞ୍ଚ ଅଗ୍ରଣୀ ଭୂମିକା ଗ୍ରହଣ କରୁ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଆଜି ସ୍ଥାନୀୟ ଏସ. ଏନ. କନଫରେନ୍ସ ହଲରେ ଅଗ୍ରଣୀ ସାମାଜିକ ସଂଗଠନ ଦଳିତ ବୁଦ୍ଧିଜୀବୀ ମଞ୍ଚ ଆନୁକୂଲ୍ୟରେ ଦଳିତ ବୁଦ୍ଧିଜୀବୀ ସମ୍ମିଳନୀ ଓ ନୂଆଖାଇ ଭେଟଘାଟ ଆୟୋଜିତ ହୋଇଯାଇଛି। ଦଳିତ ବୁଦ୍ଧିଜୀବୀ ମଞ୍ଚର ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ ଧର୍ମେନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଠମଲ୍ଲିକ ଉପଜିଲ୍ଲାପାଳ ଉପେନ୍ଦ୍ର ଲୁହା ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ପୂର୍ବତନ ବିଧାୟକ ଅନାମ ନାଏକ ଯୋଗ ଦେଇଥିଲେ। ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ବିଶିଷ୍ଟ ଆଦିବାସୀ ନେତା ତଥା ଦଳିତ ଆଦିବାସୀ ମହାସଂଘର ସଭାପତି ପରମାନନ୍ଦ ମାଝୀ, ସମ୍ମାନିତ ଅତିଥି ଭାବେ ଅଭିମନ୍ୟୁ ମହାନନ୍ଦ, ଅଭିନେତ୍ରୀ ଲୋଚନୀ ବାଗ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମୀ ଦ୍ୱାରା ପୁରସ୍କୃତ ଯୁବକବି ଜୟଦ୍ରଥ ସୁନା, ଦଳିତ ମିତ୍ର ଭାବେ ପରମାନନ୍ଦ ମାଝୀ,ସାମ୍ବାଦିକତା କ୍ଷେତ୍ରରେ ବରିଷ୍ଠ ସାମ୍ବାଦିକ ଲକ୍ଷ୍ୟଜ୍ୟୋତି ଜାଲ, ସମାଜସେବା କ୍ଷେତ୍ରରେ ଶ୍ରୀବତ୍ସ ତାଣ୍ଡି, ଯତୀନ୍ଦ୍ର କର, ପ୍ରକାଶ ସାଗର, ଶିକ୍ଷାକ୍ଷେତ୍ରରେ ବୈକୁଣ୍ଠ ବେମାଲ, କଳାକ୍ଷେତ୍ରରେ ଲୋଚନୀ ବାଗ, କୃତୀ ଛାତ୍ର କମଳେନ୍ଦ୍ର ନାଏକଙ୍କୁ ମାନପତ୍ର, ଉପଢୌକନ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଅଭିରାମ ଛତ୍ରିଆ, ଚିତ୍ତରଞ୍ଜନ ବାଗ, ଭିକାରୀ ସୁନା, କ୍ଷିତୀଶ ଚନ୍ଦ୍ର ନାଏକଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ମହେନ୍ଦ୍ର ନାଏକ ଅତିଥି ପରିଚୟ, ସ୍ୱାଗତ ଅଭିଭାଷଣ ସହିତ ସଭା ପରିଚାଳନା କରିଥିବାବେଳେ ଦଳିତ ବୁଦ୍ଧିଜୀବୀ ମଞ୍ଚର ମହାସଚିବ ସୁଶୀଲ କୁମାର ବାଗ ସାମୁହିକ ଧନ୍ୟବାଦ ଅର୍ପଣ କରିଥିଲେ। ସୌଭାଗ୍ୟବତୀ ଧଙ୍ଗଡ଼ାମାଝୀ ମାନପତ୍ର ପଠନ କରିଥିବାବେଳେ ଶୁଭ୍ରପ୍ରିୟା ବାଗ, ସାବିତ୍ରୀ ଶବର, ତନୁ ଛତ୍ରିଆ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ବରିଷ୍ଠ ଆଇନଜୀବୀ ତିଲକରାମ ନିଆଲ, ଫୁଲଟି ମଙ୍ଗରାଜ, ରୋହିତ କୁମାର ଖୁରା, ପ୍ରଦୀପ୍ତ ନାଏକ, ତ୍ରିନାଥ ବେମାଲ, ଫାଲଗୁନୀ ନାଏକ, ପ୍ରତାପ ଖିଲୋ, ମନୋଜ ତାଣ୍ଡି, ପ୍ରଦୀପ ବିହାର, ରାମ ନାଏକ, ମହେନ୍ଦ୍ର ସ୍ୱାଇଁ, ଶିବ ସୁନା, ସାବନ ବାଗ, କବିରାଜ ଦୁର୍ଗା, ପ୍ରେମନାଥ ସାଗର, ଅଭି କୁମାରଙ୍କ ସମେତ ଜିଲ୍ଲା ଓ ଜିଲ୍ଲା ବାହାରୁ ଶତାଧିକ ବୁଦ୍ଧିଜୀବୀ ନାଗରିକଗଣ ଉପସ୍ଥିତ ଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.