୨୫ରୁ ଦେବଗିରିରେ ଗୋସିଂହ ଦୈତ୍ୟ ଦରବାର: ପୂର୍ବ ତାରିଖ ପରିବର୍ତ୍ତନ ନେଇ ଅନୁଷ୍ଠାନ ପକ୍ଷରୁ ସୂଚନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ବୁଢୀପଦରର ୩୩ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ-୨୦୨୫ ର ତାରିଖ ପରିବର୍ତ୍ତିତ ହୋଇଛି। ପୂର୍ବ ନିର୍ଦ୍ଧାରିତ ଡିସେମ୍ବର ୬ରୁ ୮ ପରିବର୍ତ୍ତେ ଏହି ମହୋତ୍ସବ ଆସନ୍ତା ଡିସେମ୍ବର ୨୫ ଓ ୨୬ ଦୁଇଦିନ ଧରି ପାଳିତ ହେବ। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢ଼ୀପଦର ସ୍ଥିତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ ‘ଗୋସିଂହ ଦୈତ୍ୟ’ ଦରବାର। ଦେବଗିରି ମଠ ନବୀକରଣ କାର୍ଯ୍ୟର ପୁରୋଧା ବିମ୍ବୋଷ୍ଠୀ ଧଙ୍ଗଡ଼ାମାଝୀଙ୍କ ଦେହାନ୍ତ ହେତୁ ମହୋତ୍ସବକୁ ଆଗକୁ ଘୁଞ୍ଚାଇ ଦିଆଯାଇଥିବା ସୂଚନା ଦେଇଛନ୍ତି ଅନୁଷ୍ଠାନର ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ। ତେବେ ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କୁମାରସ୍ବାମୀ ମହୋତ୍ସବର ମୁଖ୍ୟ ଆକର୍ଷଣ ରହିବ ‘ଗୋସିଂହ ଦୈତ୍ୟ ଦରବାର’। ଗୋସିଂହ ଦୈତ୍ୟ ଭୂମିକାରେ ଅଭିନୟ କରିବେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ ଧଙ୍ଗଡ଼ାମାଝୀ। ଏହି ମହୋତ୍ସବରେ ଡମ୍ ବଜା, ବଜାଶାଲ୍, ଢାପ୍, ବନାବାଡ଼ି, ଘୁଡୁକା, ଓଡ଼ିଶୀ, ଖଞ୍ଜଣି ସହ ଯାଦବ ଝିଅମାନଙ୍କ ବାଡ଼ିଖେଳ, ଦୁର୍ଲାନଚା, ମହିଳା ଦଣ୍ଡନୃତ୍ୟ ଏବଂ ରାଜ୍ୟର ବିଭିନ୍ନ ପ୍ରାନ୍ତରର ଲୋକନୃତ୍ୟ ପ୍ରଦର୍ଶିତ ହେବ। ଏହି ଅବସରରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ବ୍ୟକ୍ତିତ୍ୱମାନଙ୍କୁ ଦେବଗିରି ସମ୍ମାନରେ ସମ୍ମାନିତ କରାଯିବାକୁ ସ୍ଥିରୀକୃତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡ଼ାମାଝୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.