ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଆରଡବ୍ଲୁଏସଏସ( ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ)ରେ ଦେଖିବାକୁ ମିଳୁଛି ବିଚିତ୍ର ସ୍ଥିତି। ୨୦୬୪ ଗୋଟି ନଳକୂଅ ପରିଚାଳନା ପାଇଁ ଜଣେ ମାତ୍ର ରହିଛନ୍ତି ଷ୍ଟାଫ। ନର୍ଲା ବ୍ଲକରେ ରହିଥିବା ୨୬ ଗୋଟି ଗ୍ରାମ ପଞ୍ଚାୟତରେ ରହିଛି ୨୦୬୪ ଗୋଟି ନଳକୂଅ। ୧୯ ଗୋଟି ଇନଟେକ ୱେଲ ରହିତ ପାଣିଟାଙ୍କି ଓ ୨୫ ଗୋଟି ଗାଁ ପାଇଁ ୨୬ ଗୋଟି ସୋଲାର ଜଳଯୋଗାଣ ପ୍ରକଳ୍ପ। ବର୍ତ୍ତମାନ ପ୍ରତ୍ୟହ ୮ ରୁ ୧୦ ଗୋଟି ନଳକୂଅ ମରାମତି, ଯନ୍ତ୍ରାଂଶ ସଂଯୋଗୀକରଣ ଭଳି କାର୍ଯ୍ୟ ହେଉଛି। ଏଥିପାଇଁ ସରକାରଙ୍କ ତରଫରୁ ନିୟୋଜିତ ଅଛନ୍ତି ଜଣେ ମାତ୍ର ଷ୍ଟାଫ। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି ବୋଲି ବିଭାଗୀୟ ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ ମତବ୍ୟକ୍ତ କରିଛନ୍ତି। ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତରେ ବସୁଧା ଯୋଜନାରେ ଚାଲିଥିବା ଜଳଯୋଗାଣ ପ୍ରକଳ୍ପ ଗୁଡିକର ପରିଚାଳନା ପାଇଁ ୨୬ ଜଣ ଏସଇଏମ କାର୍ଯ୍ୟ କରୁଛନ୍ତି। ଆଗକୁ ଆସୁଛି ଗ୍ରୀଷ୍ମ ଋତୁ। ବର୍ତ୍ତମାନ ବର୍ଷା ଓ ଶୀତ ଦିନରେ ପ୍ରତ୍ୟହ ୮ ରୁ ୧୦ ଗୋଟି ନଳକୁଅ ମରାମତି, ଯନ୍ତ୍ରାଂଶ ବଦଳାଇବା ଭଳି କାର୍ଯ୍ୟ ଜଣେମାତ୍ର ଷ୍ଟାଫ କରୁଥିବା ବେଳେ ଖରାଦିନରେ ପରିସ୍ଥିତି ବେଶ ଅନୁମେୟ। ବସୁଧା ଯୋଜନାରେ ଦେୟମୁକ୍ତ ୧୯୧୬ ନମ୍ବର ଜାରି କରାଯାଇଛି। ଆମକୁ ବସୁଧା ଅଫିସରୁ ଫୋନ ଆସୁଛି। ରାତିରେ ରୁଟ ଚାର୍ଟ ତିଆରି କରାଯାଇ ସକାଳୁ ମୋବାଇଲ ଗାଡିରେ ପାର୍ଟସ ନେଇ ଯାଉଛନ୍ତି ନଳକୂଅ ଉପରେ ଅଭିଯୋଗ ରହିଥିବା ଗାଁ କୁ ଜଣେ ମାତ୍ର ଷ୍ଟାଫ ବୁଲି ବୁଲି ସବୁକାମ କରୁଥିବା ସୂଚନା ଦେଇଛନ୍ତି ସହକାରୀ ଯନ୍ତ୍ରୀ। ଗ୍ରାମ ପଞ୍ଚାୟତ ଗୁଡିକ ଇନଟେକ ୱେଲ ରହିତ ପ୍ରକଳ୍ପ ଗୁଡିକର ମେନଟେନାନ୍ସ ଦାଇତ୍ୱ ନେଇଛନ୍ତି।ଏସଇଏମ ମାନଙ୍କ ଜରିଆରେ ସେ ସବୁ କାମ ଚାଲିଛି। ନର୍ଲା ବ୍ଲକ ରେ ରହିଥିବା ସହକାରୀ ଯନ୍ତ୍ରୀ ଶ୍ରୀ ସୁନାନୀ ଓ କନିଷ୍ଠ ଯନ୍ତ୍ରୀ ପ୍ରଭାତ ସେଠୀ ସମସ୍ତ ପ୍ରକଳ୍ପ ଗୁଡିକ କଥା ବୁଝି ନର୍ଲାରେ କେମିତି ସୁଚାରୁ ଭାବରେ ଜଳ ଯୋଗାଣ ହୋଇ ପାରିବ ସେ ଉପରେ ନଜର ରଖୁଥିବା ବେଳେ। କେତେବେଳେ ମାଟିତଳେ ବିଛା ହୋଇଥିବା ପାଇପ ଫାଟିବା, ବିଜୁଳି ବିଭ୍ରାଟ, ମୋଟର ପୋଡିଯିବା ଭଳି ସମସ୍ୟା ଯୋଗୁଁ ଅନେକ ସମୟରେ ପାନୀୟ ଜଳ ଯୋଗାଣରେ ବ୍ୟାଘାତ ଉପୁଜୁଥିବା ଦେଖିବାକୁ ମିଳୁଛି। ବିଭାଗ ଅଧିନରେ ଷ୍ଟାଫ ନଥିବାରୁ ଅନେକ ସମୟରେ ଭଡାଟିଆ ମେକାନିକ ମାନଙ୍କୁ ନିୟୋଜିତ କରି କାମ ଚଳେଇବାକୁ ପଡୁଛି ବୋଲି କହିଛନ୍ତି ବିଭାଗୀୟ ଯନ୍ତ୍ରୀ। ଆମର ଲଗବୁକ ମେନଟେନାନ୍ସ କରାଯାଉଛି। ବିଦ୍ୟାଳୟ ପରିସରର ନଳକୁଅ କାମ ହେଲେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଉପସ୍ଥିତିରେ କାମ କରିବା ସହିତ କାମ ସମ୍ପୂର୍ଣ୍ଣ ପରେ ତାଙ୍କର ଦସ୍ତଖତ ନିଆଯାଉଛି। ସେହିଭଳି ଅଙ୍ଗନୱାଡି କେନ୍ଦ୍ରର ସମ୍ପୃକ୍ତ ଅଙ୍ଗନୱାଡି କର୍ମୀ, ଗାଁ ମଧ୍ୟସ୍ଥ ନଳକୁଅ କାମ କଲେ ସରପଞ୍ଚ କିମ୍ବା ସମ୍ପୃକ୍ତ ୱାର୍ଡ ମେମ୍ବରରଙ୍କ ଉପସ୍ଥିତି ଓ ସ୍ଥାନୀୟ ବ୍ୟକ୍ତି ମାନଙ୍କ ଉପସ୍ଥିତିରେ କାମ କରାଯାଇ ଲଗବୁକ ରେ ସେମାନଙ୍କ ଦସ୍ତଖତ ନିଆଯାଇଥାଏ। ଉକ୍ତ ଲଗ ବୁକ ଗୁଡିକ ପ୍ରତି ମାସରେ ଜିଲ୍ଲାପାଳ ମହୋଦୟ ଭେରିଫିକେସନ କରିଥାନ୍ତି। ଏଣୁ ପୁରୁଣା କିମ୍ବା ନୂଆ ଯନ୍ତ୍ରାଂଶ ହେରଫେର ହେବାର କୌଣସି ମାଧ୍ୟମ ନାହିଁ ବୋଲି କହିଛନ୍ତି ସହକାରୀ ଯନ୍ତ୍ରୀ ଶ୍ରୀ ସୁନାନୀ। ନର୍ଲା ବ୍ଲକରେ ରହିଥିବା ଗୋଦାମ ଗୃହରେ ପୁରୁଣା ଯନ୍ତ୍ରାଂଶ ସବୁ ହିସାବ ଅନୁଯାୟୀ ଗଚ୍ଛିତ ରହିଛି। ଯାହା ଆସନ୍ତା ମାସରେ ନିଲାମ କରାଯିବ ବୋଲି ଶ୍ରୀ ସୁନାନୀ ମତବ୍ୟକ୍ତ କରିଛନ୍ତି। ହେଲେ ପାନୀୟ ଜଳ ଯୋଗାଣ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ପୁରା ଷ୍ଟାଫ ଦେବାରେ ସରକାରଙ୍କ ଅବହେଳା ଓ ଅଣଦେଖାକୁ ଜନସାଧାରଣ ନାପସନ୍ଦ କରିଛନ୍ତି।





