ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଘଟଣା: ଫେରାର ଅଭିଯୁକ୍ତ କୋର୍ଟ ଚାଲାଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ଵନାଥପୁର ଥାନା ଅଞ୍ଚଳରେ ଜଣେ ୧୦ ବର୍ଷୀୟା ବାଳିକାକୁ ଦୁଷ୍କର୍ମ ଉଦ୍ୟମ ହୋଇଥିଲା। ଏହି ଘଟଣାର ଅଭିଯୁକ୍ତ ମୂଷାନାଳ ଗ୍ରାମର କୋଶି ବାଗ ଫେରାର ଥିବା ବେଳେ ବୁଧବାର ରାତିରେ ଜାନବାହିଲି ଗାଁରୁ ତାକୁ ବିଶ୍ୱନାଥପୁର ପୋଲିସ ଗିରଫ୍ କରି ଗୁରୁବାର କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ସୂଚନାନୁଯାୟୀ, ବିଶ୍ଵନାଥପୁର ଥାନା ଅଞ୍ଚଳରେ ନାବାଳିକାକୁ ମୂଷାନାଳ ଗ୍ରାମର କୋଶି ବାଗ (୫୦) ମଙ୍ଗଳବାର ଅପରାହ୍ନ ୧ଟାରେ ଖାଇବାକୁ ଦେବା ବାହାନା କରି ନିଜ ଘରକୁ ଡାକିଥିଲା। ନାବାଳିକା ଘର ଭିତରକୁ ଆସିବା ପରେ ଅଭିଯୁକ୍ତ କୋଶି ଦୁଷ୍କର୍ମ ଉଦ୍ୟମ କରିଥିଲା। ନାବାଳିକା ଚିତ୍କାର କରିବାରୁ ପାଖପଡ଼ୋଶୀ ଲୋକେ ଦୌଡ଼ି ଆସି ନାବାଳିକାକୁ ଉଦ୍ଧାର କରି ବିଶ୍ବନାଥପୁର ସିଏଚ୍‌ସିରେ ଭତ୍ତ କରିଥିଲେ। ଡାକ୍ତରଖାନା ପକ୍ଷରୁ ବିଶ୍ବନାଥପୁର ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରିଥିଲା। ଏନେଇ ପୀଡ଼ିତାଙ୍କ ବାପା ବିଶ୍ବନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ବିଶ୍ବନାଥପୁର ପୁଲିସ ଏକ ମାମଲା ରୁଜୁ କରିଥିଲା। ଥାନା ଅଧିକାରୀ ତୁଳସିରାମ ଶବରଙ୍କ ନେତୃତ୍ବରେ ପୁଲିସ ମୂଷାନାଳ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ କୋଶି ଫେରାର ଥିବା ବେଳେ ବୁଧବାର ଭବାନୀପାଟଣା ଡାକ୍ତରଖାନାରେ ପୀଡିତାର ଡାକ୍ତରୀ ମାଇନା କରାଯାଇଥିଲା। ଲାଞ୍ଜିଗଡ଼ ବ୍ଳକ ଲାଞ୍ଜି ପଞ୍ଚାୟତର ଜାନବାହିଲି ଗାଁରେ ଅଭିଯୁକ୍ତ କୋଶି ବାଗ ଲୁଚି ରହିଥିବା କୌଣସି ସୂତ୍ରରୁ ପୋଲିସ ଖବର ପାଇ ବୁଧବାର ରାତିରେ ଗାଁକୁ ଯାଇ କୋଶିକୁ ଗିରଫ କରି ଥାନାକୁ ଆଣିବା ପରେ ଗୁରୁବାର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ତୁଳସିରାମ ଶବର ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.