ଡିସେମ୍ବର ୭ରେ ଅନୁଷ୍ଠିତ ହେବ ୩୮ତମ କବି ବସନ୍ତ ମୁଦୁଲି ସ୍ମୃତି ସମାରୋହ: ଯୁବକବି ଅମରେନ୍ଦ୍ର ମାଧବ ଦାଶ ହେବେ ପୁରସ୍କୃତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆସନ୍ତା ଡ଼ିସେମ୍ବର ୭ ତାରିଖ ରବିବାର ଦିନ ଭୁବନେଶ୍ଵର ସ୍ଥିତ ବୁଦ୍ଧ ମନ୍ଦିର ପ୍ରେକ୍ଷାଗୃହରେ ଅନୁଷ୍ଠିତ ହେବ ୩୮ତମ ବସନ୍ତ ମୁଦୁଲି ସ୍ମୃତି ସମାରୋହ। ଏହି ଅବସରରେ ଚଳିତ ବର୍ଷ ଯୁବକବି ଅମରେନ୍ଦ୍ର ମାଧବ ଦାଶଙ୍କୁ ‘ବସନ୍ତ ମୁଦୁଲି କବିତା ପୁରସ୍କାର’ରେ ସମ୍ମାନିତ କରାଯିବ ବୋଲି ବସନ୍ତ ମୁଦୁଲି ସ୍ମୃତି ସଂସଦର ସମ୍ପାଦକ କୃଷ୍ଣ କୁମାର ମହାନ୍ତି ଜଣାଇଛନ୍ତି। ଚଳିତ ବର୍ଷ ଅନୁଷ୍ଠିତ ହେବାକୁଥିବା ଏହି ସାରସ୍ବତ ସ୍ମୃତି ସମାରୋହ ଓଡ଼ିଶା ସାହିତ୍ୟ ଏକାଡେମୀ ଓ କବି ବସନ୍ତ ମୁଦୁଲି ସ୍ମୃତି ସଂସଦର ମିଳିତ ସହଭାଗିତାରେ ଅନୁଷ୍ଠିତ ହେବ। ଦିବସବ୍ୟାପୀ ଏହି କାର୍ଯ୍ୟକ୍ରମକୁ ପୂର୍ବାହ୍ନ ୧୦ଟାରେ ଉଦଘାଟନ କରିବେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ। ଏହି ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଓ ବିଶିଷ୍ଟ ଅତିଥି ଭାବେ ‘କାଦମ୍ବିନୀ’ ସମ୍ପାଦିକା ଡକ୍ଟର ଇତି ସାମନ୍ତ ଯୋଗ ଦେବେ। ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଏହି ଅଧିବେଶନରେ ପୌରୋହିତ୍ୟ କରିବେ। ଦ୍ଵିତୀୟ ଅଧିବେଶନ ପୂର୍ବାହ୍ନ ୧୧.୩୦ରେ ଆରମ୍ଭ ହେବ। ଏଥିରେ ‘ଓଡ଼ିଆ କବିତାରେ ବୈପ୍ଳବିକ ସ୍ଵର ଓ କବି ବସନ୍ତ ମୁଦୁଲି’ ଶୀର୍ଷକ ଏକ ଆଲୋଚନା ଚକ୍ର ବିଶିଷ୍ଟ କବି ଶତ୍ରୁଘ୍ନ ପାଣ୍ଡବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଏଥିରେ ଆଲୋଚକ ଭାବରେ ଡକ୍ଟର ଅଭିରାମ ବିଶ୍ଵାଳ, ଡକ୍ଟର ବେଣୁଧର ପାଢ଼ୀ ଓ ଡକ୍ଟର ଫଣୀନ୍ଦ୍ର ଭୂଷଣ ନନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅନ୍ତିମ ଅଧିବେଶନ ଅପରାହ୍ନ ୨ଟାରେ ଆରମ୍ଭ ହେବ। ଏଥିରେ ସଭାମୁଖ୍ୟ ଭାବରେ ବିଶିଷ୍ଟ ଲେଖକ ଦେବଦାସ ଛୋଟରାୟ ଯୋଗ ଦେବେ। ଏହି ଅଧିବେଶନରେ ବିଗତ ବର୍ଷ ମାନଙ୍କରେ ବସନ୍ତ ମୁଦୁଲି କବିତା ପୁରସ୍କାର ପ୍ରାପ୍ତ ୪୦ ଜଣ କବି ସେମାନଙ୍କର କବିତା ପାଠ କରିବେ। ଏହାକୁ ସଂଯୋଜନା କରିବେ କବି ଓ ଗୀତିକାର ବିଜୟ ମଲ୍ଲ। ଏହି ଅବସରରେ ଟାଇମ୍ ପାସ୍ ପ୍ରକାଶିତ କବି ବସନ୍ତ ମୁଦୁଲିଙ୍କ ନିର୍ବାଚିତ କବିତାର ଇଂରାଜୀ ସଂକଳନ ‘ସିଲେକ୍ଟେଡ୍ ପୋଏମ୍ସ ଅଫ୍ ବସନ୍ତ ମୁଦୁଲି’ ଏବଂ ପୁରସ୍କାର ପ୍ରାପ୍ତ ୪୦ ଜଣ କବିଙ୍କର ଦୁଇଟି କରି କବିତାକୁ ନେଇ ‘ଚିହ୍ନା ଚାଳିଶ’ ସଂକଳନ ଲୋକାର୍ପିତ ହେବ। ଏହି ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହରେ ଯୋଗ ଦେବା ପାଇଁ ସ୍ମୃତି ସଂସଦ ପକ୍ଷରୁ ସଂଯୋଜକ ଅରୁଣ ଖିଲାର ନିବେଦନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.