ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ  ଉଦଘାଟିତ

ପ୍ରଦର୍ଶିତ ହେଲା ସ୍ମାରକୀର ନାଟକ “ଅବାଞ୍ଛିତ କୁରୁକ୍ଷେତ୍ର”

ସମ୍ବର୍ଦ୍ଧିତ ହେଲେ ପ୍ରତାପ କିଶୋର ମୁଣ୍ଡ ଏବଂ ସୁରେନ୍ଦ୍ର ନେଗୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ‘ସ୍ମାରକୀ ନାଟ୍ୟ ସଂସ୍ଥା’ ତରଫରୁ ଭବାନୀପାଟଣା ଟାଉନ୍ ହଲ୍ ଠାରେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୫ ଉଦଘାଟିତ ହୋଇଯାଇଛି। ଆଜିକାର ଉଦଘାଟନୀ ସନ୍ଧ୍ୟାରେ ଅତିଥି ଭାବେ ଜୁନାଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, କୁଳପତି କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଡ଼. ନିବେଦିତା ନାଥ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକନନ୍ଦ ମହାନନ୍ଦ, ବରିଷ୍ଠ ସାମ୍ବାଦିକ ତଥା ଗବେଷକ ଉମା ଶଙ୍କର କର, ବରିଷ୍ଠ ନେତା ଭବେନ୍ଦ୍ର ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମର ସଭାପତିତ୍ଵ କରିଥିଲେ ସ୍ମାରକୀ ନାଟ୍ୟ ସଂସ୍ଥାର ସଭାପତି ପ୍ରବୋଧ ରଥ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥଙ୍କ ପ୍ରତିମୂର୍ତ୍ତୀ ଠାରେ ପୁଷ୍ପମାଲ୍ୟ ଦେଇ ମହୋତ୍ସବର ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ନାଟକ କ୍ଷେତ୍ରରେ କଳାହାଣ୍ଡି ମାଟିକୁ ବିଶେଷ ଅବଦାନ ପାଇଁ ବରିଷ୍ଠ ବର୍ଗ କ୍ରମରେ ବିଶିଷ୍ଟ ଅଭିନେତା ପ୍ରତାପ କିଶୋର ମୁଣ୍ଡ ଏବଂ ସୁରେନ୍ଦ୍ର ନେଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଲିପ୍ସା ମହାରଣା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଆଜି ପ୍ରଥମ ସନ୍ଧ୍ୟାରେ ପରିବେଷିତ ହୋଇଥିଲା ନାଟକ “ଅବାଞ୍ଛିତ କୁରୁକ୍ଷେତ୍ର”। ଦ୍ବାପର ଅତିକ୍ରାନ୍ତେ କଳି କାଳରେ ଯେଉଁ ମହାଭାରତ ଚାଲିଛି, ସେଇ ମହାଭାରତରେ ଅର୍ଜୁନ ସାରଥି ବିହୀନ ଓ କ୍ଷମତା ଲୋଭୀ । ଦ୍ରୌପଦୀ ପାଇଁ ନାରୀ ନିର୍ଯ୍ୟାତନା ଏକ ଅସ୍ତ୍ର ସେଇ କ୍ଷମତାକୁ ହାତେଇବା ପାଇଁ । ଏକ ବଳତ୍କାର ପିଡିତାକୁ ନ୍ୟାୟ ଦେବା ପାଇଁ ଆଜିର ଅଭିମନ୍ୟୁ ଯେତେବେଳେ ବିଦ୍ରୋହ କରେ, ସେ ଏମିତି ଏକ ଚକ୍ରବ୍ୟୁହ ଭିତରେ ପଶେ ଯେଉଁଠି କୌରବ କିଏ ଆଉ ପାଣ୍ଡବ କିଏ ଜାଣିବା ଅସମ୍ଭବ ହେଇପଡେ। ବେଲାଳସେନ ଏବଂ ଅଶ୍ଵତ୍ଥମା ଏ ଅବାଞ୍ଛିତ କୁରୁକ୍ଷେତ୍ରରେ ଅନ୍ୟାୟ, ଅତ୍ୟାଚାର, ହିଂସାର ତାଣ୍ଡବରେ ଅତିଷ୍ଠ ହୋଇ ପଡି ବିକଳରେ ଡାକ ଛାଡନ୍ତି ସେଇ ଚକ୍ରଧରଙ୍କୁ ଯିଏ ଦିନେ ଅଧର୍ମର ନିପାତ ନିମନ୍ତେ ରଚିଥିଲେ ମହାଭାରତ। ଏହି ବାର୍ତ୍ତା ସହ ଆଜି ସ୍ମାରକୀ ନାଟ୍ୟ ସଂସ୍ଥା ଦ୍ଵାରା ପରିବେଷଣ ହୋଇଥିଲା ନାଟକ “ଅବାଞ୍ଛିତ କୁରୁକ୍ଷେତ୍ର”। ଏହି ନାଟକକୁ ବରିଷ୍ଠ ନାଟ୍ୟକାର ମନୋଜ ରଥ ରଚନା କରିଥିବାବେଳେ ବରିଷ୍ଠ ନିର୍ଦ୍ଦେଶକ ପ୍ରବୋଧ ରଥ ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ଶୁଭେନ୍ଦୁ ମହାପାତ୍ର, ଦେବୀ ପ୍ରସାଦ ରଥ, ସୁଧୀର ରଥ, ସୌରଭ ମହାପାତ୍ର, ଶିବଶକ୍ତି ପୁରୋହିତ, ଅମରେନ୍ଦ୍ର ମହାନ୍ତି, ଅନିଲ କୁମାର ବୈଠାରୁ, ଅବିନାଶ ଅଗସ୍ତି, ଆଲୋକ କୁମାର ସାହୁ, ଶୁଭମ ବେହେରା, ଆର୍ଯ୍ୟା ନାୟକ, କେ ଗୋପୀଧର ନାୟର୍, ମଧୁ ଦୀପ, ତରୁଣ ମହାପାତ୍ର ପ୍ରମୁଖ ଅଭିନୟ କରିଥିଲେ। ସଙ୍ଗୀତରେ ସହାୟତା କରିଥିଲେ ଗୁରୁ ନରେନ୍ଦ୍ର ପଣ୍ଡା, ଶୁଭେନ୍ଦୁ ପାଢୀ, ଲିପ୍ସା ମହାରଣା, ପ୍ରଦୀପ ସିଂହ ଏବଂ ସନ୍ତୋଷ ଝା କରିଥିବାବଳେ ମଞ୍ଚ ସଜ୍ଜା କରିଥିଲେ ପ୍ରଭାସ ଚନ୍ଦ୍ର ମିଶ୍ର ଏବଂ ପ୍ରତାପ ଚନ୍ଦ୍ର ପଣ୍ଡା। ଏହି ନାଟକଟି ବେଶ୍ ମନମୁଗ୍ଧକର ହେବାସହ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଟାଉନହଲରେ ଦର୍ଶକଙ୍କ ଭିଡ ଏବଂ ଅଜସ୍ର କରତାଳି ଅଭିନେତାଙ୍କୁ ଆହୁରି ଉତ୍ସାହିତ କରିଥିଲା। ଆଜିର କାର୍ଯ୍ୟକ୍ରମରେ ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ସ୍ମାରକୀ ଅନୁଷ୍ଠାନର ଆଶୁତୋଷ ପୁରୋହିତ, ଦୀପ୍ତିମୟୀ ସିଂ, ହେମନ୍ତ ଦଣ୍ଡସେନା, ରାଜେଶ ଦାଶ, ସୁଶୀଲ ଆଚାର୍ଯ୍ୟ, ପୁଷ୍ପାଞ୍ଜଳି ଦୀପ, ଲିପ୍ସାରାଣୀ ବାରିକ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.