ନର୍ଲାରୋଡ ରେଳବାଇ ଷ୍ଟାଫ କ୍ୱାର୍ଟରରୁ ଚୋରୀ

ରେଳବାଇ ପୋଲିସ ମୁଣ୍ଡ ଖସାଇ ସ୍ଥାନୀୟ ପୋଲିସ ମୁଣ୍ତରେ ବୋଳୁଛି ଅଠା !

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଅଞ୍ଚଳରେ ଦିନକୁ ଦିନ ଚୋରୀ, ରାହାଜାନୀ ଭଳି କାଣ୍ଡ ବଢି ଚାଲିଥିବା ବେଳେ ଶନିବାର ରାତିରେ ଫିଲ୍ମ ଷ୍ଟାଇଲରେ ନର୍ଲାରୋଡରେ କଳା କନା ବୁଲାଇଛନ୍ତି ଚୋର। ସୂଚନା ମୁତାବକ ନର୍ଲାରୋଡ ରେଳ ଷ୍ଟେସନର ବିକ୍ରମ ହୋଟେଲ ପଟେ ରହିଥିବା ରେଳବାଇ କଲୋନୀର ଷ୍ଟେସନ ଅଧିକ୍ଷକ ରଶ୍ମିକାନ୍ତ ବେହେରାଙ୍କ ଇ/୧ ନମ୍ବର କ୍ୱାର୍ଟରରୁ ଶନିବାର ସନ୍ଧ୍ୟା ୭ ରୁ ୮ ମଧ୍ୟରେ ଚୋରୀ ହୋଇଥିବା ନେଇ ନର୍ଲା ଥାନାରେ ଲିଖିତ ଏତେଲା ଦାଏର ହୋଇଥିବା ନେଇ ସୂଚନା ମିଳିଛି। ଷ୍ଟେସନ ଅଧିକ୍ଷକ ଶ୍ରୀ ବେହେରା ତାଙ୍କ ପରିବାର ସହ ଉକ୍ତ କ୍ୱାର୍ଟରରେ ରୁହନ୍ତି। ହେଲେ ଏକ୍ସ ମାସରେ ସ୍କୁଲ ଛୁଟି ହେବାରୁ ତାଙ୍କ ପରିବାର ଗାଁକୁ ଚାଲି ଯାଇଥିବାରୁ ଏଇ ଅଳ୍ପ ଦିନ ହେଲା ସେ କ୍ୱାର୍ଟରରେ ଏକୁଟିଆ ରହୁଥିଲେ। ସବୁଦିନ ଭଳି ଶନିବାର ଦିନ ମଧ୍ଯ ମଧ୍ୟାହ୍ନ ୧୨ ଟା ସମୟରେ ଡ୍ୟୁଟି ପାଇଁ ଷ୍ଟେସନ ଚାଲି ଆସିଥିଲେ। ରାତି ୮ ଟା ବେଳେ ଡ୍ୟୁଟି ସରିଯିବା ପରେ ୮.୨୫ ରେ ତାଙ୍କ କ୍ୱାର୍ଟର ରେ ପହଞ୍ଚି ଦେଖନ୍ତି ତ ତାଲା ଲାଗିଥିବା ଷ୍ଟିଲ ରଡକୁ ତାଡି ଦେଇ ଚୋର ମାନେ ଘର ଭିତର ଖିନ ଭିନ କରି ଦେଇଛନ୍ତି। ଆଲମାରୀ ଭାଙ୍ଗି ସବୁ ଜିନିଷ ଫିଙ୍ଗା ଫୋପଡ଼ା କରି ଦୁଇଗୋଟି ସୁନା ମୁଦି, ଦୁଇଗୋଟି କାନଫୁଲ, ତିନି ହଳ ରୁପା ପାଉଁଜି ଓ ୧୪,୦୦୦ ଟଙ୍କା ଚୋରୀ ହୋଇଯାଇଥିବା ଶ୍ରୀ ବେହେରା ସୂଚନା ଦେଇଛନ୍ତି। ହେଲେ ଦେଖିବକୁ ମିଳିଛି ରେଳବାଇ ପୋଲିସର ବିଚିତ୍ର ନୀତି। ନିଜ ଘର ଚୋରୀ ହୋଇଥିବା ଦେଖି ଷ୍ଟେସନ ଅଧିକ୍ଷକ ପ୍ରଥମେ ରେଳବାଇ ପୋଲିସକୁ ଖବର କରିଥିଲେ। ହେଲେ ରେଳ ଷ୍ଟେସନ ପରିସରରେ ଘଟଣା ଘଟିଲେ ରେଳବାଇ ପୋଲିସ ବୁଝିବ। ଏଇଟା ତ ଷ୍ଟାଫ କ୍ୱାର୍ଟରରେ ଘଟିଛି ଏଣୁ ସ୍ଥାନୀୟ ପୋଲିସ ବୁଝିବ କହି ମୁଣ୍ଡ ଖସାଇ ଥିଲା ରେଳବାଇ ପୋଲିସ। ରେଳବାଇ ପୋଲିସର ଏତାଦୃଶା ବିଚାର ଧାରା ଦେଖି ସ୍ଥାନୀୟ ପୋଲିସ ପାଖରେ ପହଞ୍ଚିଥିଲେ ଷ୍ଟେସନ ଅଧିକ୍ଷକ। ନର୍ଲା ପୋଲିସ ସବୁ ଶୁଣି ରେଳବାଇ ଷ୍ଟାଫ କ୍ୱାର୍ଟରରେ ଚୋରୀ ହୋଇଛି। ଏହା ରେଳବାଇ ପରିସର ହୋଇଥିବାରୁ ରେଳବାଇ ପୋଲିସ ଵୁଝିବ ବୋଲି କହିଥିଲେ। ତଥାପି ଷ୍ଟେସନ ଅଧିକ୍ଷକଙ୍କ ଅଭିଯୋଗକୁ ଗ୍ରହଣ କରି ସନ୍ଧାନୀ କୁକୁର ଆଣି ତଦନ୍ତ କରାଯିବ ଓ ଆସାମୀକୁ ଧରାଯିବ ବୋଲି କହିଛନ୍ତି। ଏଠାରେ ପ୍ରକାଶ ଯୋଗ୍ୟଯେ ଗତ ସପ୍ତାହରେ ଏଲେପି ଧାନବାଦ ଟ୍ରେନରେ ସମ୍ବଲପୁର ଯିବାପାଇଁ ଦୁଇ ନମ୍ୱର୍ ପ୍ଲାଟଫର୍ମରେ ଅପେକ୍ଷାରତ ଭୁବନେଶ୍ଵରର ଜଣେ ବ୍ୟକ୍ତିଙ୍କୁ ଚାରିଜଣ ଯୁବକ ମାରପିଟ କରି ତାଙ୍କର ମୋବାଇଲ, ଲ୍ୟାପଟପ୍ ବ୍ୟାଗ ସବୁ ଲୁଟପାଟ କରିଥିଲେ। ସଂଧ୍ୟା ହୋଇଗଲେ ପ୍ରତ୍ୟହ କେଇଜଣ ଯୁବକ ଷ୍ଟେସନ ଷ୍ଟାଫ କ୍ୱାର୍ଟର ଦେଇ ଯାଉଥିବା ନୂଆ ରାସ୍ତା ବରଗଛ ମୂଲ ପୋଲ ଉପରେ ଓ ନର୍ଲାରୋଡ ଶିବ ମନ୍ଦିରର ରାସ୍ତାରେ ବସି ମଦ ପିଇବା ଭଳି ଘଟଣା ନିତ୍ୟ ଚାଲୁଛି। ଆଗରୁ ନର୍ଲାରୋଡ଼ ଷ୍ଟେସନରେ ରେଳବାଇ ପୋଲିସର ଜଣେ ଷ୍ଟାଫ ରହୁଥିଲେ। ଷ୍ଟେସନ ପରିସରରେ ପୋଲିସ କ୍ୱାର୍ଟର ରହିଛି ହେଲେ ପୋଲିସ ରହୁ ନାହାନ୍ତି। ଏଣୁ ଏଭଳି ଘଟଣା ବାରମ୍ବାର ଘଟୁଥିବା କୁହାଯାଇଛି। ନର୍ଲାରୋଡରେ ବାରମ୍ବାର ଏଭଳି ଘଟଣା ଘଟୁଛି। ଏଣୁ ଏଥିପ୍ରତି ସ୍ଥାନୀୟ ପୋଲିସ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.