ଲୋପ ପାଇଛି ଗ୍ରିଟିଙ୍ଗ: ସୋସିଆଲ ମିଡିଆରେ ବୃଦ୍ଧି ପାଉଛି ନବବର୍ଷର ବାର୍ତ୍ତା 

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ଇଂଲିଶ ନବବର୍ଷ ପାଳିତ ହେବାକୁ ଥିବା ବେଳେ ସୋସିଆଲ ମିଡିଆ ଶୁଭେଚ୍ଛା ବାର୍ତ୍ତା ପ୍ରେରଣର ମାଧ୍ୟମ ସାଜିଛି। ପୂର୍ବରୁ ପରସ୍ପରକୁ ଶୁଭେଚ୍ଛା ଜଣାଇବାକୁ ଗ୍ରୀଟିଂସ୍ କାର୍ଡର ବ୍ୟବହାର କରାଯାଉଥିଲା। କିନ୍ତୁ ଏହା ବର୍ତ୍ତମାନ ଲୋପ ପାଇଛି| ନବବର୍ଷ ଆସିଲେ ବିଭିନ୍ନ ଅଞ୍ଚଳର ଦୋକାନରେ ଗ୍ରୀଟିଂସ କାର୍ଡ କିଣିବାକୁ ଲୋକଙ୍କର ଭିଡ଼ ଜମୁଥିଲା। କିନ୍ତୁ କିଛି ବର୍ଷ ହେବ କନ୍ଧମାଳ ଜିଲା ବାଲିଗୁଡା ସହର ସମେତ ଆଖପାଖ ବିଭିନ୍ନ ଅଞ୍ଚଳରେ ଏହି ଗ୍ରିଟିଙ୍ଗ କାର୍ଡ ଆଉ ମିଳୁ ନାହିଁ। ମୋବାଇଲ ଫୋନ ର ବହୁଳ ବ୍ୟବହାର ବଢ଼ିଥିବାରୁ ହାଟ୍ସଆପ, ଇନଷ୍ଟାଗ୍ରାମ, ଫେସବୁକ, ମେସେଞ୍ଜର ଓ ଟୁଇଟ ମାଧ୍ଯମରେ ବାର୍ତ୍ତା ଦିଆଯାଉଛି । ବୈଷୟିକ ଜ୍ଞାନ କୌଶଳର ମଧ୍ୟ ଚାହିଦା ବଢ଼ିଛି। ଲୋକେ ଅତି ସହଜରେ ମୋବାଇଲ ଫୋନ୍ ଜରିଆରେ ହଜାର ହଜାର କି.ମି. ଦୂରରେ ରହୁଥ‌ିବା ବନ୍ଧୁ ଓ ସମ୍ପର୍କୀୟ ମାନଙ୍କୁ ଶୁଭେଚ୍ଛା ଜଣାଇ ପାରୁଛନ୍ତି। ଭିଡିଓ କଲିଂ ଜରିଆରେ ମଧ୍ୟ ପରସ୍ପରଙ୍କ ଉପସ୍ଥିତି ଅନୁଭବ ଜାହିର କରିପାରୁଛନ୍ତି। ଏଭଳି ହାତଲେଖା ଗ୍ରୀଟିଂସ ପଠାଇବା ପରମ୍ପରା ଲୋପ ପାଇଛି। ଗ୍ରିଟିଙ୍ଗ କାର୍ଡ ରେ ନିଜର ଭାବ ଆଦାନ ପ୍ରଦାନର ଏକ ମାଧ୍ୟମ ହୋଇଥିଲା। ନୂଆବର୍ଷ ପାଳନ ହେବାର ପ୍ରାୟ ୧ ମାସ ପୂର୍ବରୁ ଅଞ୍ଚଳର ବିଭିନ୍ନ ଦୋକାନରେ ୫ ଟଙ୍କାରୁ ଆରମ୍ଭକରି ୨ଶହରୁ ଉର୍ଦ୍ଧ ଟଙ୍କା ଯାଏ ଗ୍ରିଟିଙ୍ଗ ବିକ୍ରି ହେଉଥିଲା। କିନ୍ତୁ ଏହାର ଚାହିଦା କମିଥିବାରୁ ଦୋକାନରେ ଏହାର ବିକ୍ରି ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି, ଯାହା ଫଳରେ ଗ୍ରିଟିଙ୍ଗ ବ୍ୟବସାୟ ଆଉ କରାଯାଉ ନ ଥିବା ବିଷୟ ବ୍ୟବସାୟୀ ମାନେ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.