ନର୍ଲା ବ୍ଲକରେ ସାମୁହିକ ‘ବନ୍ଦେ ମାତରଂ’ ଗାନ କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବଙ୍କିମ ଚନ୍ଦ୍ରଙ୍କ ରଚିତ ‘ବନ୍ଦେ ମାତରଂ’କୁ ୧୫୦ ବର୍ଷ ପୂର୍ତ୍ତି ହୋଇ ଥିବାରୁ ସାରା ଦେଶରେ ପାଳିତ ହେଉଛି ଉତ୍ସବ। ବିଭିନ୍ନ ଅନୁଷ୍ଠାନ ଗୁଡ଼ିକ ପକ୍ଷରୁ ଏହା ପାଳିତ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ପରିସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପଙ୍କ ନେତୃତ୍ବରେ ପାଳିତ ହୋଇଯାଇଛି ବନ୍ଦେ ମାତରଂ ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ।

ଏଥିରେ ନର୍ଲା ଯୁକ୍ତ ଦୁଇ କଲେଜ, ନର୍ଲା ଡିଗ୍ରୀ କଲେଜ, ନର୍ଲା ପଞ୍ଚାୟତ ସମିତି ହାଇସ୍କୁଲ, ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ମାଉଣ୍ଟେନ କିଡ୍ସ ଇଂଲିଶ ମିଡିୟମ ସ୍କୁଲ ଓ କଲେଜ, ଜବାହାର ନବୋଦୟ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ ପ୍ରଭୃତିର ୧୫୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ। ଏହାବାଦ ଉକ୍ତ ବିଦ୍ୟାଳୟ ଗୁଡିକରୁ ଛାତ୍ର ଛାତ୍ରୀଙ୍କୁ ନେଇ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ, ବ୍ଲକ ଷ୍ଟାଫ ସମୁହ ଯୋଗଦାନ କରିଥିଲେ।

ପ୍ରଥମେ ମଞ୍ଚରେ ଭାରତ ମାତାଙ୍କୁ ଧୂପ, ଦୀପ ଓ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ଅତିଥି ବୃନ୍ଦ। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବୁଦ୍ଧ ନାଏକଙ୍କ ନେତୃତ୍ବରେ ଦେବରାଜ ଗୌଡ, ଜୟଦେବ ପୋଢ ଓ ଗୁରୁମା ମାନେ ଭାରତ ମାତା ପୂଜନରେ ସହଯୋଗ କରିଥିଲେ।

ଶିଶୁ/ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ମାନଙ୍କ ନେତୃତ୍ବରେ ଠିକ ୧୧ଘଣ୍ଟା ସମୟରେ ସାମୁହିକ ବନ୍ଦେ ମାତରଂ ଗାନ ଅନୁଷ୍ଠିତ ହୋଇଥିଲା। ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲର ଶାରିରୀକ ଶିକ୍ଷକ ନାରାୟଣ ପଧାନ କମାଣ୍ଡ କରିଥିଲେ। ନର୍ଲା ଯୁକ୍ତ ଦୁଇ କଲେଜର ପିଇଟି ସୁମନ୍ତ ପୁଝାରୀ, ଡିଗ୍ରୀ କଲେଜର ପିଇଟି କ୍ଷିତିଶ ଚନ୍ଦ୍ର ବଗର୍ତ୍ତି ଏଥିରେ ସହଯୋଗ କରିଥିଲେ।

ଅନେକ ଯୋଶ ଓ ଉତ୍ସାହରେ ଛାତ୍ର ଛାତ୍ରୀ ମାନେ ବନ୍ଦେ ମାତରଂ ଗାନ କରିଥିଲେ। ବିଡିଓ ଶ୍ରୀ ଦୀପ ତାଙ୍କ ମାର୍ଗ ଦର୍ଶନରେ ବନ୍ଦେ ମାତରଂ ର ମାହାତ୍ମ୍ୟ ଓ ଏହାର ସୃଷ୍ଟି ବିଷୟରେ କହିଥିଲେ। ଏବିଇଓ ଗୋବର୍ଦ୍ଧନ ମାଝୀ ମଧ୍ଯ ମାର୍ଗଦର୍ଶନ ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ନର୍ଲା ଅତିରିକ୍ତ ବିଡିଓ ଦେବେନ୍ଦ୍ର ସାମଲ, ଜିଲ୍ଲା ପରିଷଦ ହରି ଶଙ୍କର ମାଝୀ, କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ବିଚିତ୍ରାନନ୍ଦ ନାଏକ, ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଧାଂଶୁ ମହାଲି, ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ, ଜିପିଡିଓ ପ୍ରମୁଖ ଉପସ୍ଥିତ ଥିଲେ।

ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଦୀପ କୁମାର ବେହେରା ଓ ଭୋଳାନାଥ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ନର୍ଲା ଡିଗ୍ରୀ ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ସୁଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.