ଯୁବ ଲେଖିକା ମହିମା ଗନ୍ତାୟତ ପାଇଲେ ‘ଭାରତ କବିରତ୍ନ ପୁରସ୍କାର’

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ରାୟଗଡ଼ାର ମହିଳା ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରୀ ମହିମା ଗନ୍ତାୟତ ଦିଲ୍ଲୀ ସ୍ଥିତ ଦି ବ୍ଲୁ ଷ୍ଟାର୍ ପ୍ରକାଶନ ପକ୍ଷରୁ ପ୍ରତିଷ୍ଠିତ ‘ଭାରତ କବିରତ୍ନ ପୁରସ୍କାର’ରେ ସମ୍ମାନିତ ହୋଇଛନ୍ତି।ଗତ ନଭେମ୍ବର ୨୦୨୫ରେ ବହୁଭାଷୀ ଏବଂ ବହୁ ପ୍ରକାରର ସୃଜନଶୀଳ ଲେଖାଗୁଡ଼ିକୁ ସେମାନଙ୍କର ପ୍ରସ୍ଥାପିତ ‘ଭାରତ କବିରତ୍ନ ପୁରସ୍କାର’ ପ୍ରଦାନ କରିବା ପାଇଁ ଏକ ଦେଶବ୍ୟାପୀ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ମହିମା ଏହି ପ୍ରତିଯୋଗିତାରେ ଇଂରାଜୀରେ ‘ଦି ରିଅଲ୍ ଭିକ୍ଟୋରୀ’ ଶୀର୍ଷକରେ ତାଙ୍କର କାହାଣୀ ଦାଖଲ କରି ଅଂଶଗ୍ରହଣ କରିଥିଲେ। ସେହି କାହାଣୀ ପାଇଁ ସେ ଆଜି ‘ଭାରତ କବିରତ୍ନ ପୁରସ୍କାର’ର ବିଜୟିନୀ ହୋଇ ପାରିଛନ୍ତି। ମହିମା, ପାଠପଢା ସହିତ ଏକକାଳୀନ ସୃଜନଶୀଳ ସାହିତ୍ୟକୁ ଉତ୍ସାହର ସହିତ ଅଧ୍ୟୟନ କରୁଛନ୍ତି। ତାଙ୍କ ଲେଖାଗୁଡ଼ିକ ବିଭିନ୍ନ ଡିଜିଟାଲ୍ ମାଧ୍ୟମ ଏବଂ ପ୍ରିଣ୍ଟ୍ ମିଡ଼ିଆରେ ବ୍ୟାପକ ଭାବରେ ପ୍ରକାଶିତ ହୋଇଛି। ସେ ଜଣାଶୁଣା ଓଡ଼ିଆ କବି ଏବଂ ସ୍ତମ୍ଭକାର ସତ୍ୟନାରାୟଣ ଗନ୍ତାୟତଙ୍କ ସାନଝିଅ ଏବଂ ଦିବଂଗତ ଓଡ଼ିଆ ଲେଖକ ଗନ୍ତାୟତ ଶିବପ୍ରସାଦ ଓ ରାୟଗଡ଼ାର ସୁପ୍ରସିଦ୍ଧ ଦିବଂଗତ କବୟିତ୍ରୀ ନିର୍ମଳା ଗନ୍ତାୟତଙ୍କ ଭାଣିଜୀ ଅଟନ୍ତି। ମହିମା ଏହି ସଫଳତାକୁ ତାଙ୍କର ସମସ୍ତ ପାଠକ, ଶୁଭେଚ୍ଛୁ, ଶିକ୍ଷକ ଏବଂ ପରିବାର ସଦସ୍ୟଙ୍କୁ ଉତ୍ସର୍ଗ କରିଛନ୍ତି, ଯେଉଁମାନେ ତାଙ୍କ ଭିତରେ ଥିବା ଲେଖକୀୟ ସତ୍ତାକୁ ଲେଖିବା ପାଇଁ ପ୍ରେରଣା ଦେଇ ଆସିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.