ବାଚସ୍ପତିଙ୍କ ପୋଡିଅମକୁ ମାଡ଼ିଗଲେ ସାଂସଦ, ବାରମ୍ବାର ଗୃହ ମୁଲତବୀ

୨ୟ ପର୍ଯ୍ୟାୟ କଳାହାଣ୍ଡି ଜିଲ୍ଲାସ୍ତରୀୟ ଆଦର୍ଶ ସଂସଦ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସ୍ଥାନୀୟ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ପିଏମ୍ ଶ୍ରୀ ଉତ୍ସବ ୨୦୨୫-୨୬ ଅବସରରେ ଦ୍ୱିତୀୟ ପର୍ଯ୍ୟାୟ କଳାହାଣ୍ଡି ଜିଲ୍ଲାସ୍ତରୀୟ ଆଦର୍ଶ ସଂସଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୌଜନ୍ୟରୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ସମଗ୍ର ଶିକ୍ଷା କଳାହାଣ୍ଡି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ୧୩ଟି ପିଏମ୍ ଶ୍ରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ମୋଟ ୧୩ ଟି ବିଲ୍ ଉପସ୍ଥାପିତ ହୋଇଥିବା ବେଳେ ୭ଟି ପାରିତ ହୋଇଥିଲା।

ବିରୋଧୀ ଦଳ ପକ୍ଷରୁ ମତ ରଖୁଥିବା ଛାତ୍ରଛାତ୍ରୀମାନେ ବାଚସ୍ପତିଙ୍କ ରୁଲିଂରେ ଅସନ୍ତୋଷ ପ୍ରକାଶ କରି ସାମ୍ନାକୁ ମାଡ଼ିଯିବା ସହ ପ୍ରବଳ ହଙ୍ଗାମା କରିଥିଲେ। ତେଣୁ ବାରମ୍ବାର ଗୃହ ମୁଲତବୀ କରିବାକୁ ପଡ଼ିଥିଲା।

ଛାତ୍ରଛାତ୍ରୀମାନେ ଭାରତୀୟ ସଂସଦର କାର୍ଯ୍ୟଶୈଳୀକୁ ଅବିକଳ ଅନୁକରଣ କରି ତର୍କବିତର୍କ, ଆକ୍ଷେପ ଓ ଅଭିଯୋଗରେ ଭାଗ ନେଇଥିଲେ। ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ ବାଚସ୍ପତି ଓ ଉପ-ବାଚସ୍ପତି ଭାବେ ନିବେଦିତା ନାଏକ ସଂସଦର କାର୍ଯ୍ୟ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଡ. କୈଳାଶ ଚନ୍ଦ୍ର ଦାଶ, ଡ. ପବିତ୍ର ବାଗ ଓ ଡ. ଶୁଭମ୍ ତ୍ରିପାଠୀ ବିଚାରକ ରହିଥିଲେ।

ଲାଞ୍ଜିଗଡ଼ ବିଇଓ ରୁଷିଆ ମେହେର ସେକ୍ରେଟାରୀ ଜେନେରାଲ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଛାତ୍ରୀ ଶ୍ରୁତି ପାଣ୍ଡେ ଓ ପ୍ରୀତି ପାଣ୍ଡେ ସାମ୍ୱାଦିକା ଭାବେ ସାଂସଦମାନଙ୍କ ସାକ୍ଷାତକାର ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ପଚାରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ୍ ମୁଖ୍ୟ ଅତିଥି, ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ତ୍ରିଲୋଚନ ଜେନା ମୁଖ୍ୟବକ୍ତା, ସମ୍ମାନୀତ ଅତିଥି ଭାବେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଯୁଗ୍ମ ନିର୍ଦ୍ଦେଶକ ପବିତ୍ର ମୋହନ ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶୁଭଲକ୍ଷ୍ମୀ ନାୟକ, ହେମସାଗର ମହାନନ୍ଦ ଓ ତପିମଣି ଜାନୀ ପ୍ରମୁଖ ମଞ୍ଚାସୀନ ଥିଲେ।

କାର୍ଯ୍ୟକ୍ରମ ପରେ କୃତି ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ସମଗ୍ର ଶିକ୍ଷା ଯୋଜନା ସଂଯୋଜିକା ନୀହାରିକା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ଶ୍ରେଷ୍ଠ ଭାବେ ପୁରସ୍କୃତ ଗଜବାହାଲ ହାଇସ୍କୁଲ ଛାତ୍ରୀ ଆଦ୍ୟାଶା ପ୍ରିୟଦର୍ଶନୀ ମିଶ୍ର ଏବଂ ଜୁନାଗଡ଼ ଏସଏସଡି ହାଇସ୍କୁଲ ଛାତ୍ରୀ ସଂଗୀତା ଭୋଇ ଆସନ୍ତା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି।

ବିଏମ୍ ହାଇସ୍କୁଲର ପ୍ରଧାନଶିକ୍ଷକ ଷଷ୍ଠୀ ଝାଙ୍କର, ବୀରେନ୍ଦ୍ର ଆଚାର୍ଯ୍ୟ, ପ୍ରଶାନ୍ତ ନନ୍ଦ, ହରିଶ୍ଚନ୍ଦ୍ର ମୁଣ୍ଡ, ଅମରେଶ ନେଗୀଙ୍କ ସମେତ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ସମଗ୍ର ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତଥା ସମସ୍ତ ବିଇଓ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.