ବାଣପୁର ମାଟିର ଗୌରବ ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ

ଓଡ଼ିଆ ବାର୍ତ୍ତା/ ବାଣପୁର: ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର ଓ କବି କୃଷ୍ଣଚନ୍ଦ୍ର ପାଠାଗାର ଭୀମପୁରର ମିଳିତ ଆନୁକୂଲ୍ୟରେ ବାଣପୁର ବ୍ଲକ ଅନ୍ତର୍ଗତ ଭୀମପୁରସ୍ଥିତ ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ପାଇକ କବିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ସାହିତ୍ୟ ସାଧନା, କୃତି ବିଷୟରେ ବିସ୍ତୃତ ଭାବେ ଉଦବୋଧନ ପ୍ରଦାନ କରିଥିଲେ।

ବ୍ରିଟିଶ ବିରୁଦ୍ଧରେ ପାଇକ ବିଦ୍ରୋହ ହେଉ କିମ୍ବା ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନ ସବୁ କ୍ଷେତ୍ରରେ ଓଡ଼ିଶାର, ଓଡ଼ିଆ ମାଟିର ବୀର ସନ୍ତାନଙ୍କ ଅବଦାନ ଅତୁଳନୀୟ। ସ୍ୱାଧୀନତା ପରବର୍ତ୍ତୀ ସମୟରେ ଏକ ସୁସ୍ଥ ସମାଜ ଗଢ଼ିବା ପାଇଁ, ସମାଜରେ ସଂସ୍କାର ଆଣିବା ପାଇଁ, ସମାଜର ଅବହେଳିତ, ନିଷ୍ପେସିତଙ୍କ ଦୁଃଖକୁ ଗଳ୍ପ, କବିତା, ନାଟ୍ୟ, ଉପନ୍ୟାସ ଦ୍ୱାରା ଯେଉଁ କେତେଜଣ ସାହିତ୍ୟକାର ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି ସେମାନଙ୍କ ମଧ୍ୟରୁ କବି କୃଷ୍ଣଚନ୍ଦ୍ର ଅନ୍ୟତମ।

ବାଣପୁର ମାଟି ସାହିତ୍ୟ ସର୍ଜନାର ଶ୍ରେଷ୍ଠ କ୍ଷେତ୍ର। ଶିକ୍ଷାର ପ୍ରସାର ହେଲେ ସମାଜର ବିକାଶ ହେବ। ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ଭିତରେ ଲୁଚି ରହିଥିବା ଶିକ୍ଷକ ହିଁ ଥିଲା ସମାଜ ସୁଧାରିବା ପାଇଁ କବିତା ସୃଷ୍ଟିର ପ୍ରେରଣା। କବି କୃଷଚନ୍ଦ୍ରଙ୍କ କାର୍ଯ୍ୟଧାରାକୁ କିପରି ବଞ୍ଚାଇ ରଖିବା ତାହା ଆଜିର ଆହ୍ୱାନ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ପ୍ରଫେସର ଡଃ. ବିଜୟ କୁମାର ଶତପଥୀ, ଓଡ଼ିଶା ସରକାରଙ୍କ ଅବସରପ୍ରାପ୍ତ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଉପ-ଶାସନ ସଚିବ ନାଟ୍ୟକାର ସୁବାସ ଚନ୍ଦ୍ର ମହାପାତ୍ର, ବାଣପୁର ବ୍ଲକ ଅଧ୍ୟକ୍ଷ‌  ଅମରେନ୍ଦ୍ର ରଣସିଂହ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ଗାଲୁଆ ଗ୍ରାମ ପଞ୍ଚାୟତର ସରପଞ୍ଚ ସୁରେଶ ଚନ୍ଦ୍ର ବାରିକି, ଚ଼ିଲିକା ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାସ, ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟର‌ ପ୍ରଧାନଶିକ୍ଷକ ରାଧାକୃଷ୍ଣ ଗଡ଼ନାୟକ, ଗ୍ରାମୀଣ ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା କୃଷ୍ଣଚନ୍ଦ୍ର ପାଠାଗାରର ସଭାପତି ପ୍ରଫେସର ସଂଗ୍ରାମ କେଶରୀ ସାହୁ, କୃଷ୍ଣଚନ୍ଦ୍ର ପାଠାଗାରର ସମ୍ପାଦକ ଡ଼ଃ ଚାନ୍ଦ କିଶୋର ତ୍ରିପାଠୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ  ଉପସ୍ଥିତ ଥିଲେ।

ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ପ୍ରଫେସର ଡଃ ବିଜୟ କୁମାର ଶତପଥୀଙ୍କୁ “କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ସ୍ମାରକୀ ସମ୍ମାନ”ରେ ସମ୍ମାନିତ କରାଯାଇଅଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.