ବାଲେଶ୍ଵର ଜିଲ୍ଲା ପ୍ରଶାସନ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ଉଦଘାଟିତ ହେଲା ସୁଭଦ୍ରା ଶକ୍ତି ମେଳା-୨୦୨୬

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ଆଇ.ଟି.ଆଇ. ପଡିଆରେ ଜିଲ୍ଲା ପ୍ରଶାସନ, ଓରମାସ ଓ ମିଶନ ଶକ୍ତି ବିଭାଗର ମିଳିତ ସହଯୋଗରେ ସୁଭଦ୍ରା ଶକ୍ତି ମେଳା ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ସଦର ବାଲେଶ୍ଵର ବିଧାୟକ ମାନସ କୁମାର ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଅନ୍ୟାନ୍ୟ ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁଧାକର ନାୟକ, ଉପଜିଲ୍ଲାପାଳ ଶିବ ମାଲବ୍ୟ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସଞ୍ଜୟ କୁମାର ରାଉତ ଏବଂ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ (ଜିଲ୍ଲା ପରିଷଦ) ଡକ୍ଟର ମଧୁସ୍ମିତା ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ମୁଖ୍ୟ ଅତିଥି ସମେତ ସମସ୍ତ ଅତିଥି ବୃନ୍ଦ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ଧୂପ ଦୀପ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।ଏହିପରି ମେଳା ସମଗ୍ର ରାଜ୍ୟରେ ଅନୁଷ୍ଠିତ କରା ଯାଉଥିବା ବେଳେ ବାଲେଶ୍ଵର ଜିଲ୍ଲାରେ ମଧ୍ୟ ଏହି ମେଳା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି। ଏହି ମେଳାରେ ଗ୍ରାମୀଣ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ଉଦ୍ୟୋଗୀମାନଙ୍କ ଉତ୍ପାଦନ ଗୁଡ଼ିକୁ ବିକ୍ରୟ ନିମନ୍ତେ ସୁଯୋଗ ସୃଷ୍ଟି କରିବା ସହ ଏ ମେଳା ବଜାର ସୃଷ୍ଟି କରିବ। ଏହି ଉତ୍ପାଦଗୁଡ଼ିକୁ ସହରୀ ରୁଚି ଓ ପସନ୍ଦକୁ ଦୃଷ୍ଟିରେ ରଖି ବିକ୍ରୟ ସୁଯୋଗ ସୃଷ୍ଟି କରାଯାଇଛି। ଏଥିରୁ ଲବ୍ଧ ଅର୍ଥ ନିଜେ ସ୍ବାବଲମ୍ବୀ ହେବା ସହ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହେବାର ସହାୟକ ହେବ ବୋଲି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସଞ୍ଜୟ କୁମାର ରାଉତ ସ୍ଵାଗତ ଅଭିଭାଷଣରେ କହିଥିଲେ। ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ସଦର ବିଧାୟକ ଶ୍ରୀଯୁକ୍ତ ଦତ୍ତ ସମେତ ଅନ୍ୟାନ୍ୟ ବରେଣ୍ୟ ସମ୍ମାନିତ ଅତିଥି ଗଣ ଏହି ମେଳାର ଆଭିମୁଖ୍ୟ ସ୍ପଷ୍ଟ କରି କହିଥିଲେ କି ଭାରତ ସରକାରଙ୍କ ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନା ମାଧ୍ୟମରେ ଆର୍ଥିକ ଅନୁଦାନ ପ୍ରଦାନ ପୂର୍ବକ ଗ୍ରାମୀଣ ସ୍ଵଂୟ ସହାୟକ ଗୋଷ୍ଠୀ, କୁଟୀର ଶିଳ୍ପ, ହସ୍ତତନ୍ତ କାରିଗର ମାନଙ୍କ ଉତ୍ପାଦ ଗୁଡ଼ିକୁ ପ୍ରଦର୍ଶନ ଓ ବିକ୍ରୟ ବ୍ୟବସ୍ଥାକୁ ବଜାର ସହିତ ସଂଯୋଗ କରାଯିବ। ଶେଷରେ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ (ଜିଲ୍ଲା ପରିଷଦ) ଡକ୍ଟର ମଧୁସ୍ମିତା ସାମନ୍ତରାୟ ମୁଖ୍ୟ ଅତିଥି ସମେତ ସମସ୍ତ ବରେଣ୍ୟ ଅତିଥି ଏବଂ ସୁଭଦ୍ରା ମେଳାରେ ସାମିଲ ହୋଇଥିବା କର୍ମକର୍ତ୍ତାଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.