ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁପ୍ରାରୋଡର ସହକାରୀ ଶିକ୍ଷକ ଅନୀଲ ପ୍ରସାଦ ସାହୁ ନିଜର ନିଆରା ପ୍ରୟାସ ପାଇଁ ଅଞ୍ଚଳରେ ଜଣେ ଆଦର୍ଶ ଶିକ୍ଷକ ଭାବେ ନିଜକୁ ଉପସ୍ଥାପିତ କରି ପାରିଛନ୍ତି। କେବଳ ଶିକ୍ଷାଦାନ ମଧ୍ୟରେ ସିମୀତ ନରହି ସେ ମଞ୍ଚ ସଂଯୋଜନା, ସାହିତ୍ୟ ସର୍ଜନା, ଜନସଚେତନତା, ବୃକ୍ଷରୋପଣ ଆଦି ବିଭିନ୍ନ ଦିଗରେ ନିଜର ପାରଦର୍ଶିତା ପ୍ରତିପାଦନ କରିଥାନ୍ତି। ସେ ଶତାଧିକ ମଞ୍ଚ ସଂଯୋଜନା କରିବା ସହ ରାଜ୍ୟର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ, ଉତ୍ସବ ଓ ସଭାରେ କବିତା ପାଠ କରି ଉଚ୍ଚ ପ୍ରଶଂସିତ ହୋଇ ପାରିଛନ୍ତି। ନର୍ଲା ବ୍ଲକ ଅନ୍ତର୍ଗତ ବଲବସପୁର ଗ୍ରାମର ସ୍ୱର୍ଗତ ଦେବରାଜ ସାହୁ ଓ ମାତା ବୈଦେହୀ ସାହୁଙ୍କ ସୁପୁତ୍ର ଅନୀଲ ୨୦୦୧ ମସିହାରୁ ଶିକ୍ଷକତାକୁ ନିଜ ବୃତ୍ତି ରୂପରେ ଗ୍ରହଣ କରି କଣ୍ଟାବାଞ୍ଜି ଲାୟନ୍ସ ସିନିୟର୍ ସେକେଣ୍ଡାରୀ ସ୍କୁଲରୁ ଶିକ୍ଷାଦାନ ଆରମ୍ଭ କରିଥିଲେ। ୨୦୧୨ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁପ୍ରାରୋଡରେ କାର୍ଯ୍ୟରତ। ତାଙ୍କ ସହଧର୍ମିଣୀ ଅହଲ୍ୟା ସାହୁ ରୁପ୍ରାରୋଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକକତା କରନ୍ତି। ତେବେ ଶିକ୍ଷକ ଅନୀଲ ପ୍ରସାଦ ସାହୁ ବିଦ୍ୟାଳୟକୁ ସବୁଜ ସୁନ୍ଦର କରିବାରେ ସର୍ବଦା ପ୍ରୟାସ କରି ଆସୁଛନ୍ତି। ତାଙ୍କ ଦ୍ବାରା ‘ଆସ ଗଛ ଲଗେଇବା’ ଅଭିଯାନ ଫଳପ୍ରଦ ହୋଇଛି। ଦୃଢ ଉଦ୍ୟମ ଓ ନିଜସ୍ବ ଚେଷ୍ଟାରେ ସେ ବୃକ୍ଷ ରୋପଣ କରିଥାନ୍ତି । ଅଦ୍ୟାବଧି ବିଦ୍ୟାଳୟ ଓ ବିଦ୍ୟାଳୟ ବାହାରେ ୧୦୦୦ରୁ ଅଧିକ ବୃକ୍ଷ ରୋପଣ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଚଳିତ ବର୍ଷ ରୁପ୍ରାରୋଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଓଡ଼ିଶା ସରକାରଙ୍କ ତରଫରୁ ‘ହରିତ୍ ବିଦ୍ୟାଳୟ ପୁରସ୍କାର’ ପ୍ରଦାନ କରାଯାଇଛି। ଏହା ବ୍ୟତୀତ ରାସ୍ତା କଡ଼ର ଗଛ ମାନଙ୍କରେ ମାଟିପାତ୍ର ବାନ୍ଧି ପକ୍ଷୀ ମାନଙ୍କୁ ପାଣି ଯୋଗେଇବା ତାଙ୍କର ଅନ୍ୟ ଏକ ନିଆରା ପ୍ରୟାସ। ଗଛ ମାନଙ୍କରେ ଭଗବାନ ଫଟୋ ଓ ମୂର୍ତ୍ତି ସ୍ଥାପନ କରି ଗଛ କାଟିବାରୁ ଲୋକଙ୍କୁ ନିବୃତ୍ତ ରଖିବା ତାଙ୍କର ଅଭିନବ ଉଦ୍ୟମ। ନିକଟ ଅତୀତରେ ଶିକ୍ଷକ ଡ଼ଃ ସାହୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି।





