ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ ତରଫରୁ ଚାଲିଥିବା ‘ଭାଷାପକ୍ଷ’ ଓ ‘କୁଟୀର ବହିମେଳା’ର ଦ୍ୱିତୀୟ ଦିବସ ସୁଖ୍ୟାତ କବି ଦୀପ୍ତି ଦାସ ସାହିତ୍ୟ ସନ୍ଧ୍ୟା ଭାବରେ ଅନୁଷ୍ଠିତ ହୋଇଯାଇଛି। ଏହି ସାନ୍ଧ୍ୟ ଉତ୍ସବରେ ପୌରୋହିତ୍ୟ କରିଥିଲେ ଗବେଷକ ତଥା ପ୍ରାବନ୍ଧିକ ଡକ୍ଟର ଶିରୀଶ ଚନ୍ଦ୍ର ଜେନା। ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ କବି ଶ୍ରୀମତୀ ଦାସଙ୍କ ଶବ୍ଦର ଚୁମ୍ବକୀୟ ଶକ୍ତି ପ୍ରତ୍ୟେକଙ୍କୁ ଛଳଛଳ ଉତ୍ତାଳ କରିଦିଏ। ଭକ୍ତି, ପ୍ରେମ, ଉଚ୍ଛ୍ୱାସ ଓ ସମର୍ପିତର ଏକ ଉତ୍ତରିତ ସୋପାନରେ କବି ପାଦ ଥାପିଛନ୍ତି ବୋଲି ସେ କହିଥିଲେ। ଆଲୋଚକ ଭାବେ ଯୋଗ ଦେଇଥିଲେ ଫକୀର ମୋହନ ସାହିତ୍ୟ ପରିଷଦର ସଂପାଦକ ଡକ୍ଟର ରତ୍ନାକର ସିଂହ। ସେ ତାଙ୍କ ଅଭିଭାଷଣରେ କବିତା ଆଧୁନିକ ମଣିଷର ଜୀବନ ଜିଜ୍ଞାସାର ଅନ୍ତାକ୍ଷରୀ ବୋଲି କହିବା ସହିତ ସାହିତ୍ୟରେ ପ୍ରବନ୍ଧ ଯଦି ମନୋଭୂମିର ଫସଲ, ତେବେ କବିତା ହୃଦୟ ଭୂମିର ଅମଳ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ଆଲୋଚକ ଭାବେ କବି ରଂଜନ ମହାନ୍ତି ଯୋଗ ଦେଇ କହିଲେ ଯେ କବି ଶ୍ରୀମତୀ ଦାସଙ୍କ ପ୍ରେମ ଓ ପ୍ରଣୟ ହେଉଛି ସମର୍ପଣ ଓ କୃତଜ୍ଞତାର ଜୀବନ୍ତ ଆଲେଖ୍ୟ। ଏହି ଅବସରରେ କବି ଶ୍ରୀମତୀ ଦାସଙ୍କ ରଚିତ କେତୋଟି କବିତାକୁ କବି ଶ୍ରୀଦେବ, ବାସନ୍ତୀ ଦେ, ଡକ୍ଟର ରମାକାନ୍ତ ନାୟକ, କୃଷ୍ଣା ପ୍ରଧାନ, ପଦ୍ମଲୋଚନ ପ୍ରଧାନ, ପୀତାମ୍ବର ବେହେରା, ଡକ୍ଟର ସାରଙ୍ଗଧର ତ୍ରିପାଠୀ ପ୍ରମୁଖ ପାଠ କରିଥିଲେ। ସାଧାରଣ ସଂପାଦକ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ପ୍ରାକ୍ କଥନ ରଖିଥିବା ବେଳେ ଯୁଗ୍ମ ସଂପାଦକ ଜୁମରନାଥ ପାତ୍ର ମଞ୍ଚ ଆବାହନ କରିଥିଲେ। ଶେଷରେ ଶାନ୍ତିଲତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସାରସ୍ବତ ସନ୍ଧ୍ୟାରେ ଅନ୍ୟମାନଙ୍କ ମଧ୍ୟରେ ଅଞ୍ଜଳି ପଣ୍ଡା, ଡକ୍ଟର ସୁବାସ ଚନ୍ଦ୍ର ପାତ୍ର, ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ, ଡକ୍ଟର ହେମମାଳା ଦାଶ, ପ୍ରତିମା ପଣ୍ଡା, କଲ୍ୟାଣୀ ନନ୍ଦ, ପୁଷ୍ପା ଚକ୍ରବର୍ତ୍ତୀ, ଊର୍ମିଳା ନାୟକ, ଶରତ କୁମାର ମହାପାତ୍ର, ମଧୁସୂଦନ ମାଝୀ, ପ୍ରଭାକର ସାହୁ, ତ୍ରିନାଥ ନନ୍ଦୀ ପ୍ରମୁଖ ବହୁ ସାରସ୍ୱତ ସାଧକ ଉପସ୍ଥିତ ଥିଲେ।





