ପ୍ରଭୁ ଶ୍ରୀରାମ ସୀତା ଓ ଲକ୍ଷ୍ମଣଙ୍କ ବନବାସର ଦଶ ବର୍ଷ ଦଣ୍ଡକାରଣ୍ୟରେ କଟିଗଲା। ଏହି ସମୟରେ ସେମାନେ ସେଠାରେ ବହୁ ମୁନିଙ୍କ ଆଶ୍ରମ ଓ ବହୁ ବନ ଭ୍ରମଣ କରୁକରୁ ଦିନେ ଯାଇ ଅଗସ୍ତ୍ୟ ମୁନିଙ୍କ ଆଶ୍ରମରେ ପହଞ୍ଚିଲେ। ସେଠାରେ ସେମାନେ ଏକ ରାତ୍ରିଯାପନକରି ମୁନିଙ୍କ ନିର୍ଦ୍ଦେଶିତ ପଥରେ ଯାତ୍ରା କରି, ପଞ୍ଚବଟୀ ଅଭିମୁଖେ ବାହାରିଲେ। ବାଟରେ ତାଙ୍କର ଜଟାୟୁଙ୍କ ସହ ଭେଟହେଲା। ସେ ପ୍ରଭୁଙ୍କୁ ପଞ୍ଚବଟୀ ଦିଗରେ ବାଟ କଢାଇ ନେଲେ। କିଛି ଦୂର ଯାତ୍ରାକରି ସେମାନେ ଯାଇ ପଞ୍ଚବଟୀର ପୁଷ୍ପିତ କାନନ ମଧ୍ୟରେ ପ୍ରବେଶ କଲେ। ଶ୍ରୀରାମ ଅତି ରମଣୀୟ ପଞ୍ଚବଟୀ କାନନକୁ ଦେଖି ହର୍ଷିତ ହୋଇ କହିଲେ, ଲକ୍ଷ୍ମଣ ଦେଖ, ଅଦୂରରେ ମହର୍ଷି ଅଗସ୍ତ୍ୟ କହିଥିବା ଗୋଦାବରୀନଦୀ ବହିଯାଉଛି। ପୁଷ୍ପଲତାଶୋଭିତ ଏ ସୁନ୍ଦର ବନରେ ଆମେ ଏହି ସମତଳ ଭୂମିରେ ବାସ କରିବା। ତୁମେ ଏଠାରେ ଗୋଟିଏ କୁଟୀର ନିର୍ମାଣ କର। ଲକ୍ଷ୍ମଣ ଅଗ୍ରଜଙ୍କ ଆଦେଶରେ, ମାଟି, ବାଉଁଶ, କୁଶ, କାଶ ଓ ସମୀ ବୃକ୍ଷ ଡାଳ ଆଣି ଏକ ସୁନ୍ଦର ଆଶ୍ରମ ନିର୍ମାଣ କରି ଦେଲେ। ସେହି ଆଶ୍ରମରେ ସମସ୍ତେ ସୁଖରେ ବାସ କରିବାକୁ ଲାଗିଲେ। କ୍ରମେ ସେଠାରେ ଶରତଋତୁ ଯାଇ ହେମନ୍ତ ଋତୁ ପ୍ରବେଶ କଲା।ଦିନେ ସେମାନେ ପ୍ରଭାତରୁ ଯାଇ ଗୋଦାବରୀରେ ସ୍ନାନକରି ଫେରିଆସି ଆଶ୍ରମରେ ବସି ପରସ୍ପର ମଧ୍ୟରେ ଆଳାପ ଆଲୋଚନା କରୁ ଥାନ୍ତି ଏହି ସମୟରେ ଏକ ରାକ୍ଷସୀ ବନରେ ବୁଲୁ ବୁଲୁ ଆସି ସେଠାରେ ପହଞ୍ଚିଲା। ସେ ନବନୀରଦ କାନ୍ତି ଶ୍ରୀରାମଙ୍କ ରୂପରେ ମୋହିତ ହୋଇ ଅତୀବ କାମାତୁରା ହୋଇ କହିଲା, ତୁମେ କିଏ? ହସ୍ତରେ ଧନୁର୍ବାଣ ଧରି, ତପସ୍ୱୀ ବେଶରେ ରାକ୍ଷସ ସଙ୍କୁଳ ଏହି ବନକୁ କାହିଁକି ଆସିଛ। ଶ୍ରୀରାମ ରାକ୍ଷସୀକୁ ନିଜର ବନବାସ କାହାଣୀ ବର୍ଣ୍ଣନା କରି ଓ ନିଜର ପରିଚୟ ଦେଇ ପଚାରିଲେ, ତୁମେ କିଏ? ତୁମେ କାହାର ପତ୍ନୀ? ଏପରି ବନରେ ବୁଲୁଛ କାହିଁକି? ରାକ୍ଷସୀ କହିଲା, ମୁଁ ରାବଣର ଭଉଣୀ ଶୂର୍ପଣଖା। ମୁଁ କାମରୁପିଣୀ ରାକ୍ଷସୀ, ସମସ୍ତଙ୍କ ମନରେ ଭୟ ସଞ୍ଚାର କରି ଏହି ନିର୍ଜନ ବନରେ ଭ୍ରମଣ କରେ। ମୋର ଅନ୍ୟ ଦୁଇଟି ଭାଇ ହେଉଛନ୍ତି, ମହାବଳୀ କୁମ୍ଭକର୍ଣ୍ଣ ଓ ଧର୍ମାତ୍ମା ବିଭୀଷଣ। ପ୍ରଖ୍ୟାତ ଯୋଦ୍ଧା ଖର ଓ ଦୁଷଣ ବୋଲି ମୋର ଆଉ ଦୁଇଟି ଭାଇ ଅଛନ୍ତି। କିନ୍ତୁ, ମୁଁ କାହାରି ଉପରେ ନିର୍ଭର କରେ ନାହିଁ। ମୁଁ ମୋ ସ୍ୱଇଚ୍ଛାରେ ଏହି ଅରଣ୍ୟରେ ଘୁରି ବୁଲୁଥାଏ। ତୁମକୁ ଦେଖିଲା ପରେ, ମୁଁ ତୁମ ପ୍ରତି ଆସକ୍ତ ହୋଇପଡ଼ିଛି। ତୁମେ ତୁମର ଏହି କୁତ୍ସିତା ଭାର୍ଯ୍ୟାକୁ ଛାଡ଼ି, ମୋତେ ବିବାହ କର ଏବଂ ଏହି ଅରଣ୍ୟରେ ସୁଖରେ ବିହାର କର। ତୁମ ଭାଇ ଓ ଭାର୍ଯ୍ୟାକୁ ମୁଁ ଏହିକ୍ଷଣି ଭକ୍ଷଣ କରିବି। ରାମ ସ୍ମିତହସି କହିଲେ, କଲ୍ୟାଣୀ ! ତୁମ ପ୍ରସ୍ତାବ ମନ୍ଦ ନୁହେଁ। କିନ୍ତୁ, ମୁଁ ଵିଵାହ କରି ସାରିଛି। ଏହି ମୋର ପ୍ରାଣପ୍ରିୟା ଭାର୍ଯ୍ୟା। ତୁମେ ସପତ୍ନୀ ହୋଇ ରହିବ କିପରି!! ଏହା ନାରୀ ମାନଙ୍କ ପାଇଁ ଦୁଃଖ ଦାୟକ। କିନ୍ତୁ ମୋର କନିଷ୍ଠ ଭ୍ରାତା ଲକ୍ଷ୍ମଣ ବୀର, ସର୍ଚ୍ଚରିତ୍ର ଓ ସୌମ୍ୟଦର୍ଶନ। ସେ ତୁମର ଅନୁରୂପ ସ୍ବାମୀ ହୋଇ ପାରିବ। ଏଣୁ ହେ ସୁନ୍ଦରୀ! ତୁମେ ତାଙ୍କୁହିଁ ସ୍ଵାମୀ ରୂପେ ବରଣ କର। ଶୂର୍ପଣଖା ଲକ୍ଷ୍ମଣଙ୍କ ପାଖକୁ ଯାଇ କହିଲା, ତୁମେ ମୋର ଉପଯୁକ୍ତ ପତି। ତୁମେ ମତେ ଵିଵାହ କରି ଦଣ୍ଡକାରଣ୍ୟରେ ସୁଖରେ ବାସକର। ଲକ୍ଷ୍ମଣ ହସି ହସି କହିଲେ, ହେ ବରବର୍ଣିନୀ। ମୁଁ ତ ଅଗ୍ରଜଙ୍କ ଦାସ। ତୁମେ ମୋତେ ବିବାହ କରି କଅଣ ତାଙ୍କ ଦାସୀ ହୋଇ ରହିବ। ତୁମେ ରାମଙ୍କୁ ବିବାହକରି ତାଙ୍କର କନିଷ୍ଠା ଭାର୍ଯ୍ୟା ହୁଅ। ସେ ତାଙ୍କ କୁରୁପା ଭାର୍ଯ୍ୟାକୁ ଛାଡ଼ି ତୁମକୁ ଆଦର କରିବେ। ଶୂର୍ପଣଖା ଲକ୍ଷ୍ମଣଙ୍କ ପରିହାସ ବୁଝି ନ ପାରି ଯାଇ ରାମଙ୍କୁ କହିଲା, ତୁମେ ଏହି କୁରୂପା ସ୍ତ୍ରୀ ଉପରେ ଆସକ୍ତହୋଇ ମୋତେ ବିବାହ କରିବାପାଇଁ ଚାହୁଁ ନାହଁ। ଦେଖିବ, ମୁଁ ତୁମ ସ୍ତ୍ରୀକୁ ଏହିକ୍ଷଣୀ ଭକ୍ଷଣ କରିବି ଓ ନିଃସପତ୍ନୀ ହୋଇ ତୁମ ସହିତ ରହିବି। ଏହା କହି ଶୂର୍ପଣଖା ସୀତାଙ୍କ ଆଡ଼କୁ ଦୌଡ଼ିଲା। ଏହିସମୟରେ ଶ୍ରୀରାମ ଅନୁଜ ଲକ୍ଷ୍ମଣଙ୍କୁ ଇଙ୍ଗିତ କଲେ,ତୁମେ ଶୀଘ୍ର ଏହି ଅନାର୍ଯ୍ୟାକୁ ବିରୂପ କରି ଛାଡ଼ି ଦିଅ। ଲକ୍ଷ୍ମଣ ସଙ୍ଗେ ସଙ୍ଗେ ଖଡ୍ଗାଘାତରେ ରାକ୍ଷସୀ ଶୂର୍ପଣଖାର ନାସାକର୍ଣ୍ଣ ଛେଦନ କଲେ। ବିରୂପା ଶୂର୍ପଣଖା ଘଡ଼ଘଡି ପ୍ରାୟେ ଘୋର ଗର୍ଜନ କରି ବନ ଭିତରକୁ ପଳାଇ ଗଲା। ପୁଣ୍ୟକାବ୍ୟ ରାମାୟଣର ଏହିକଥାକୁ ବୈଦେହୀଶ ବିଳାସ କାବ୍ୟର ତ୍ରୟବିଂଶ ଛାନ୍ଦରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଏକ ଚମତ୍କାର ଶୈଳୀରେ ବର୍ଣ୍ଣନା କରିଛନ୍ତି। ଭଞ୍ଜଙ୍କ ଅନୁଯାୟୀ ଶ୍ରୀରାମ, ଶୂର୍ପଣଖା ହସ୍ତରେ ଏକ ଦ୍ଵିଅର୍ଥବୋଧକ ଚିଠିଦେଇ ଲକ୍ଷ୍ମଣଙ୍କ ନିକଟକୁ ପଠାଇ ଦେଲେ। ସେହି ଚିଠିରେ ଲେଖା ଥିଲା, ‘ବାବୁ ନାକ ଶିରି ଦାନ ଯୋଗ୍ୟ ଯୋଷାକୁ, ବିହର କାନନ କରି, ଆଲିଙ୍ଗନକୁ’। ଚିଠିର ଶ୍ଲେଷ ଭାଷା ଶୂର୍ପଣଖା ବୁଝି ପାରିଲା ନାହିଁ। ତାକୁ ବୋଧ ହେଲା, ରାମ କହିଛନ୍ତି, ଆରେ ବାବୁ, ଏ ଯୋଗ୍ୟା ନାରୀକୁ ତୁମେ ନାକ ବା ସ୍ବର୍ଗସୁଖ ଦାନକର ଏବଂ ଆଲିଙ୍ଗନ କରି କାନନରେ ବିହାର କର। ରାମଙ୍କ ପତ୍ରର ଅର୍ଥ କିନ୍ତୁ ଲକ୍ଷ୍ମଣ ବୁଝିଲେ, ରେ ବାବୁ, ଏହି ଯୋଷାର ବା ନାରୀର ନାକର ଶିରି ବା ସୋନ୍ଦର୍ଯ୍ୟ ଛେଦନ ଯୋଗ୍ୟ। ଏହାର କାନକୁ ବିହର, ଅର୍ଥାତ୍ ହରଣ କର, ଏବଂ ଏହାକୁ ଆଲିଙ୍ଗନ କର ନାହିଁ। ରାମଙ୍କ ଉଦ୍ଦେଶ୍ୟ ବୁଝି ପାରି, ଲକ୍ଷ୍ମଣ ଶୂର୍ପଣଖାର ନାସା କର୍ଣ୍ଣ ଚ୍ଛେଦନ କଲେ।
ଅର୍ଜୁନୀ ଚରଣ ବେହେରା
ମୋ: ୭୬୯୩୦୯୧୯୭୧




