କଳାହାଣ୍ଡିର ସାମାଜିକ ଜୀବନରେ କନ୍ଧଙ୍କ ଭୂମିକା 

ଦେଶିଆ କନ୍ଧମାନେ ସମତଳ ଅଞ୍ଚଳରେ ବାସ କରନ୍ତି। ଏମାନେ ସଂଖ୍ୟାଧିକ ଏବଂ ପ୍ରଭାବଶାଳୀ। କୁଟିଆ ମାନେ ପର୍ବତଘେରା ଉପତ୍ୟାକାରେ ବାସ କରନ୍ତି। ଦେଶୀଆ କନ୍ଧଙ୍କଠୁ କୁଟିଆ ଓ ଡ଼ଙ୍ଗରିଆ ମାନେ ଅଧିକ ରକ୍ଷଣଶୀଳ। କନ୍ଧ ସମ୍ପ୍ରଦାୟର ଲୋକ ଗାଥା ଅନୁଯାୟୀ ଏକଦା ଏମାନେ ବିନ୍ଧ୍ୟପର୍ବତର ତଳହଟିରୁ  କଳାହାଣ୍ଡିକୁ ଆସି ବସତି ସ୍ଥାପନ କରିଥିଲେ। ଏଣୁ ଏମାନେ ବଇଞ୍ଜିଗିରି କନ୍ଧ ଭାବେ ପରିଚୟ ପ୍ରଦାନ କରନ୍ତି। କିଛି ଗ୍ରାମପୁଞ୍ଜକୁ ନେଇ ଗୋଟିଏ ଲେଖାଏ ଦେଶ ବା ପ୍ରଗଣା  ସ୍ଥାପିତ ହୋଇ ସ୍ଵାୟତ୍ତ ଶାସନ ବ୍ୟବସ୍ଥା ଲାଗିଲା। ପାଟମାଝୀ ବା ଉମରା ଏହି ଦେଶର ମୁଖ୍ୟ ଥିଲେ। ପ୍ରାରମ୍ଭିକ ସ୍ଥରରେ ପାରସ୍ପରିକ ସହଯୋଗରେ ସମ୍ମିଳିତ ଭାବେ ଚାଷ କରୁଥିଲେ। ପରବର୍ତ୍ତୀ କାଳରେ ଭୂମି ଆବଣ୍ଟିତ ହେଲା କିନ୍ତୁ ପାରସ୍ପରିକ ସହଭାଗୀତା ବଳବତ୍ତର ରହିଥିଲା। ପ୍ରଚଳିତ କିମ୍ବଦନ୍ତୀ ଅନୁଯାୟୀ ଷଡଯନ୍ତ୍ରର ଶିକାର ହୋଇ କଳାହାଣ୍ଡି ଅଞ୍ଚଳର ଶେଷ ଗଙ୍ଗ ରାଜାଙ୍କ ମୃତ୍ୟୁ ହେଲା, ଘରଜ୍ଵାଇଁ ରଘୁନାଥ ସାଏଙ୍କ ସିଂହସନ ଆହୋରଣ ସହ ନାଗବଂଶ ଶାସନର ଅୟମାରମ୍ଭ ହେଲା। ରାଜାଙ୍କ ମୃତ୍ୟୁକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଖାଦେଇଥିଲା। ବିଶେଷ କରି କନ୍ଧମାନଙ୍କର ସହିତ ରାଜଙ୍କର ବହୁତ ନିବିଡ ସମ୍ପର୍କ ଥିବାରୁ ସେମାନେ ପ୍ରତିବାଦର ମୁଖ୍ୟ ପୁରୋଧା ଥିଲେ ବୋଲି ଅନେକ ଐତିହାସିକ ମତ ବ୍ୟକ୍ତ କରନ୍ତି। ଏହି ପ୍ରତିବାଦ ବିଦ୍ରୋହର ରୂପ ନେଇଥିଲା ଓ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ବଡ ସମସ୍ୟା ଦେଖିବାକୁ ମିଳିଥିଲା। ଏହି ନାଗବଂଶର ଷଷ୍ଠ ରାଜା ହରିଶଚନ୍ଦ୍ର ଦେବଙ୍କ ଶାସନକାଳରେ ପରିସ୍ଥିତି ଅଣାୟତ୍ତ ହୋଇ ରାଜାଙ୍କ ମୃତ୍ୟୁ ହୋଇଥିଲା ଓ ଗର୍ଭବତୀ ବିଧବା ରାଣୀ ତାଙ୍କ ପିତାଙ୍କ ଘର ଗଦାପୁରକୁ ପଳାୟନ କରିଥିଲେ। କିନ୍ତୁ ଶୂନ୍ୟ ରାଜଗାଦି ଓ ରାଜା ବିହୀନ ହୋଇଯିବା ହେତୁ କଳାହାଣ୍ଡି ଅଞ୍ଚଳରେ ଅରାଜକତା ବୃଦ୍ଧି ପାଇବାକୁ ଲାଗିଲା ଶେଷରେ କିଛି ବାଟ ନପାଇ କନ୍ଧ ସମାଜର ମୁଖିଆ ମାନେ ରାଣୀଙ୍କ ମନରେ ବିଶ୍ବାସ ବୋଧ କରାଇ ତଥା ଯୁବରାଜଙ୍କ ସୁରକ୍ଷାର ପ୍ରତିଶୃତି ଦେଇ ଦୁଇ ମା ପୁଅକୁ ରାଜ୍ୟକୁ ଫେରାଇ ଆଣିଥିଲେ। ପ୍ରକାଶ ଥାଉ କି  କନ୍ଧମାନେ ଯୁବରାଜକୁ ଯେତେବେଳେ ଗଦାପୁର ସମ୍ମାନର ସହିତ ଆଣିବାକୁ ଗଲେ ସେହି ସମୟରେ ଯୁବରାଜଙ୍କ ଅଜା ତାଙ୍କୁ ଦୈବୀ ସୁରକ୍ଷା ପ୍ରଦାନ କରିବା ପୂର୍ବକ ତାଙ୍କ ବଂଶ (ଗଙ୍ଗ ବଂଶ)ର ଅଧିଷ୍ଠାତ୍ରୀ ଦେବୀ ମା ମଣିକେଶ୍ଵରୀଙ୍କୁ ସାଙ୍ଗରେ ପ୍ରେରଣ କରିଥିଲେ, ଯାହା କାଳ କ୍ରମେ ନାଗବଂଶର ଇଷ୍ଟ ଦେବୀ ଓ କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଭାବେ ପୂଜିତା ହେଲେ। ସାମାଜିକ ଏକତା ଓ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ଦେଶୀଆ କନ୍ଧ ମାନଙ୍କ ପ୍ରତିପତ୍ତି ରହିଥିଲା।

ମଧ୍ୟ ଯୁଗରେ (ଏକାଦଶ ଶତାବ୍ଦୀ) ରେ  ଗଙ୍ଗବଂଶର ପ୍ରଥମ ରାଜା ଚୋଡଗଙ୍ଗ ଦେବଙ୍କ ଭାଇ ପରମାଦି  ଦକ୍ଷିଣ ଓଡ଼ିଶା ସମେତ କଳାହାଣ୍ଡି – ବଲାଙ୍ଗୀର ପ୍ରଭୃତି ଅଞ୍ଚଳର ଶାସକ ଥିଲେ। ପରବର୍ତ୍ତୀ କାଳରେ ଗଙ୍ଗବଂଶର ପ୍ରତିନିଧି ଭାବେ ଏହି ବଂଶର ସାମନ୍ତ ରାଜାମାନେ କଳାହାଣ୍ଡି ଓ ଅନ୍ୟ ପଡୋଶୀ ଅଞ୍ଚଳରେ ଶାସନ କରୁଥିଲେ। କନ୍ଧମାନଙ୍କ ସଂଖ୍ୟା ଗରିଷ୍ଠତା ଦୃଷ୍ଠିରୁ ଏହି ଗଙ୍ଗ ରାଜା ମାନେ କନ୍ଧମାଝୀ ଓ ଉମରାଙ୍କ ସହ ସୁସମ୍ପର୍କ ରଖି ଚଳୁଥିଲେ ଏବଂ ସେମାନଙ୍କର ସାମାଜିକ ଓ ସ୍ଵାୟତ୍ତ ଶାସନ ବ୍ୟବସ୍ଥାରେ ହସ୍ତକ୍ଷେପ କରୁନଥିଲେ। ଏହି ରାଜବଂଶର ଶେଷ ସାମନ୍ତ ରାଜା ଜଗନ୍ନାଥ ଦେବଙ୍କ ପରେ ତାଙ୍କ ଘରଜ୍ଵାଇଁ ନାଗବଂଶ ରାଜାଙ୍କ ଦ୍ବାରା ଶାସିତ ହେଲା। କନ୍ଧପାଟ ମାଝୀଙ୍କ ଝିଅ ସହ ନାଗବଂଶର ସପ୍ତମ ରାଜା ରାମଚନ୍ଦ୍ର ଦେଓଙ୍କ ବିବାହ କଳାହାଣ୍ଡିର ନାଗବଂଶୀୟ ଶେଷ ରାଜାଙ୍କ ପର୍ଯ୍ୟନ୍ତ ବଳବତ୍ତର ରହିଲା। ଐତିହାସିକଙ୍କ ମତରେ ଏହି ବିବାହ ଉତ୍ସବ ଯୁଗସାଇପାଟଣା ଠାରେ ଅନୁଷ୍ଠିତ ହୋଇଥିଲା। ଏହା ପରେ ଅଘୋଷିତ ରାଜନୈତିକ ସନ୍ଧିର ଫଳ ସ୍ବରୂପ ରାଜମାନେ କନ୍ଧଙ୍କ ସ୍ଵାୟତ୍ତ ଶାସନ ବ୍ୟବସ୍ଥା ଓ ଧର୍ମାଚାର ଉପରେ ହସ୍ତକ୍ଷେପ କଲେ ନାହିଁ ଓ କନ୍ଧ ମାନଙ୍କର ସୁରକ୍ଷାର ଦାୟିତ୍ବ ରାଜତନ୍ତ୍ରକୁ ମିଳିଲା। ତେବେ ୧୮୫୩ ମସିହାରେ ମରହଟ୍ଟାଙ୍କ କରଦ ରାଜ୍ୟରୁ ମରହଟ୍ଟାଙ୍କ ଶାସନର ଅନ୍ତ ସହ କଳାହାଣ୍ଡି ଇଷ୍ଟ ଇଣ୍ଡିଆ କମ୍ପାନୀର କରଦ ରାଜ୍ୟ ହେଲା ଓ ପରେ ପରିସ୍ଥିତିରେ ପରିବର୍ତ୍ତନ ଆସିଲା ବୋଲି ଅନେକ ଐତିହାସିକ ମତବ୍ୟକ୍ତ କରନ୍ତି। ଉଦିତ ପ୍ରତାପ ଦେଓଙ୍କ ଶାସନ କାଳ ପ୍ରାରମ୍ଭ ୧୮୫୫  ମସିହାରେ ଗ୍ରାମ ମାନକର କର ନିରୂପଣ ୨୨ ହଜାର ଟଙ୍କା ଥିବା ବେଳେ ୧୮୮୧ ବେଳକୁ ଏହା ୧,୨୩,୦୦୦ ଟଙ୍କାରେ ପହଞ୍ଚିଥିଲା। ସ୍ୱଳ୍ପ ଅବଧ୍ୟରେ ଏପରି କର ବୃଦ୍ଧି ନିଶ୍ଚିତ ଗ୍ରାମ ମାନଙ୍କରେ ଚାପ ସୃଷ୍ଟି କରିଥିବ। କାରଣ ନିୟମିତ ଭାବେ ପ୍ରଜାଙ୍କ ଠାରୁ ରାଜସ୍ବ ଆଦାୟ କରିବା ପାଇଁ ଗାଁର କନ୍ଧ ଗୌନ୍ତିଆଙ୍କ ଅଭ୍ଯାସ ନଥିବା ବେଳେ, ଜମି ପାଇଁ କର ଦେବାମଧ୍ୟ କନ୍ଧ ମାନଙ୍କ ପାଇଁ ନୂତନ ଥିଲା। ଏହି ନୂତନ ଭୂ-ବନ୍ଦୋବସ୍ତ ବ୍ୟବସ୍ଥା କ୍ରମଶଃ ଜନାଟ୍ୟ ପାଇଁ କାଳ ସ୍ବରୂପ ହେଲା। ଗାଁର ମାଲିକାନାକୁ ସୁରକ୍ଷିତ ରଖିବାକୁ ଅନେକ କ୍ଷେତ୍ରରେ ଜନଜାତିର ଗୌନ୍ତିଆ ମାନେ ବହିରାଗତ ଲୋକଙ୍କ ଠୁ ଋଣ ନେଇ ଓ କ୍ରମେ ପରିଶୋଧ କରି ନପାରି ସର୍ବହରା ହୋଇ ବସିଲେ।  

 

ସିଦ୍ଧାର୍ଥ ଶାଶ୍ଵତ ପଣ୍ଡା

ଜୁନାଗଡ, କଳାହାଣ୍ଡି 

ମୋ: ୯୪୩୭୭୦୦୦୨୯

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.