ଓଡ଼ିଆ ଭାଷାବିକାଶ ଆନ୍ଦୋଳନ ପକ୍ଷରୁ ଲୋକାର୍ପିତ ହେଲା କବି ଭରତ ଦାଶଙ୍କ ‘ପ୍ରୀତିଅର୍ଘ୍ୟ’ ପୁସ୍ତକ 

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ଓ ଅନେକ କବିତାଗ୍ରନ୍ଥର ସ୍ରଷ୍ଟା କବି ଭରତ ଚନ୍ଦ୍ର ଦାଶଙ୍କର ଅଷ୍ଟାଦଶତମ ଚଉପଦୀ ଗ୍ରନ୍ଥ ‘ପ୍ରୀତିଅର୍ଘ୍ୟ’ ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ (ଓବିବିଏ) ତରଫରୁ ସ୍ରଷ୍ଟା ପ୍ରେକ୍ଷାଳୟରେ ଲୋକାର୍ପିତ ହୋଇଯାଇଛି। ଏହି ଲୋକାର୍ପଣ ଉତ୍ସବରେ ପୌରୋହିତ୍ୟ କରିଥିଲେ ‘ଓବିବିଏ’ର ସଭାପତି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ। ସେ ତାଙ୍କ ଅଭିଭାଷଣରେ ଭରତ ବାବୁଙ୍କର କାବ୍ୟଶୈଳୀର ପ୍ରଶଂସା କରିବା ସଙ୍ଗେ ସଙ୍ଗେ ନିକଟରେ ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇଥିଲେ ମଧ୍ୟ ସେହି ଦୁଃଖକୁ ଭ୍ରୂକ୍ଷେପ ନ କରି ସେ କବିତା ରଚନାରେ ମନୋନିବେଶ କରି ଗ୍ରନ୍ଥ ପ୍ରକାଶ କରିଥିବାରୁ ଅନେକଙ୍କର ଆଦର୍ଶ ଓ ପ୍ରଶଂସାର୍ହ ବୋଲି କହିଥିଲେ। 

ପ୍ରାରମ୍ଭରେ କବି ଦାଶଙ୍କର ଧର୍ମପତ୍ନୀ ଗାୟତ୍ରୀ ଦାଶ ହୃଦୟକୁ ଦ୍ରବୀଭୂତ କରୁଥିବା ଏକ ଦୁଃଖାତ୍ମକ ସଙ୍ଗୀତ ପରିବେଷଣ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଓ ରେମୁଣା ସାହିତ୍ୟ ସଂସଦର ସଂପାଦକ ଡକ୍ଟର ଭାଗବତ ପ୍ରସାଦ ଦାସ ଗ୍ରନ୍ଥଟିକୁ ଲୋକାର୍ପଣ କରି ଗ୍ରନ୍ଥରେ ଥିବା ୧୪୦ଗୋଟି ଚଉପଦୀର ପଦଲାଳିତ୍ୟ ଓ ପାଠକମାନଙ୍କର ଆକର୍ଷଣୀୟ ହୋଇପାରୁଥିବା କବିତା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଅନ୍ୟତମ ଆଲୋଚିକା କୁନ୍ତଳାକୁମାରୀ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡକ୍ଟର ପ୍ରତୀଚୀ ନନ୍ଦ ‘ବିଦଗ୍ଧ ଚିନ୍ତାମଣି’ରେ ପ୍ରୟୋଗ କରାଯାଇଥିବା ଅଭିମନ୍ୟୁ ସାମନ୍ତସିଂହାରଙ୍କ ‘ପ୍ରୀତିବନ୍ଦନା’ ସହ ଏକ ତୁଳନାତ୍ମକ ଆଲୋଚନା କରି ‘ପ୍ରୀତିଅର୍ଘ୍ୟ’ର ବୈଶିଷ୍ଟ୍ୟ ପ୍ରତିପାଦନ କରିଥିଲେ। କବି ଭରତ ଚନ୍ଦ୍ର ଦାଶ କବିତାଗ୍ରନ୍ଥ ସଂପର୍କରେ ଲେଖକୀୟ ବକ୍ତବ୍ୟ ପ୍ରଦାନ କରି ସେ କେବେ ଭାଙ୍ଗି ପଡ଼ି ନାହାନ୍ତି, ବରଂ ତାଙ୍କର ଦୁଃଖ କବିତା ରଚନା କରିବାରେ ଏକ ପାଥେୟ ହୋଇ ଛିଡ଼ା ହୋଇଛି ବୋଲି ଆଲୋଚିକା ସୁଶ୍ରୀ ନନ୍ଦ ପ୍ରକାଶ କରିଥିଲେ।

ଶ୍ରୋତାମାନଙ୍କ ମଧ୍ୟରୁ ବ୍ୟାକରଣବିତ୍ ନିରଂଜନ ସାହୁ ଓ କବି ଜ୍ୟୋତ୍ସ୍ନା ରାୟ ଗ୍ରନ୍ଥ ସଂପର୍କରେ ନିଜନିଜର ମତାମତ ପ୍ରଦାନ କରିଥିଲେ। ସାଧାରଣ ସଂପାଦକ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ପ୍ରାକ୍‌ ସୂଚନା ପ୍ରଦାନ କରିଥିବା ବେଳେ ଯୁଗ୍ମ ସଂପାଦକ ଜୁମରନାଥ ପାତ୍ର ଅତିଥିମାନଙ୍କୁ ମଞ୍ଚକୁ ଆବାହନ କରିଥିଲେ। ଶେଷରେ ଅନ୍ୟତମ ଯୁଗ୍ମ ସଂପାଦିକା ଶାନ୍ତିଲତା ପଣ୍ଡା କବିତ୍ୱପୂର୍ଣ୍ଣ ଭାବରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଲୋକାର୍ପଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ କୁମାର ଚାଟ୍ଟାର୍ଜୀ, ହେମେନ୍ଦ୍ର ମହାପାତ୍ର, ତପନ ରାୟ, ଡ. ଲକ୍ଷ୍ମଣ ଚରଣ ବିଶ୍ୱାଳ, ପ୍ରଫୁଲ୍ଲ କୁମାର ଦାସ, ଦୀପକ ଦାସ, ମହେନ୍ଦ୍ର ପ୍ରସାଦ ପାଣିଗ୍ରାହୀ, ତପନ କୁମାର ପଣ୍ଡା, ସ୍ୱାତୀ ମଧୁଲଗ୍ନା ଦାଶ, ସୁଷମା ମହାପାତ୍ର, ଶାନ୍ତି ବିଶି, ସୁନାମଣି ଜେନା, ଜୟଶ୍ରୀ ମିଶ୍ର, ଅମୃତଲଗ୍ନା ଦାଶ, ପ୍ରଭାକର ସାହୁ, ଊର୍ମିଳା ନାୟକ, ଗୀତାଞ୍ଜଳି ଶତପଥୀ, କଲ୍ୟାଣୀ ନନ୍ଦ, ତୃପ୍ତିରାଣୀ ପାତ୍ର, ଦେବାଶିଷ ସିଂହ, ତ୍ରିନାଥ ନନ୍ଦୀ, ମଧୁସୂଦନ ମାଝୀ, ବେଣୁଧର ସାହୁ, ଭାସ୍କରଚନ୍ଦ୍ର ମିଶ୍ର, ସମରବଲ୍ଲଭ ଭୋଇ, ସ୍ନିଗ୍ଧା ସାମନ୍ତରାୟ, ବିଦ୍ୟାଧର ସାହୁ ଓ ପ୍ରଦୀପ କୁମାର ମିଶ୍ର ପ୍ରମୁଖ ବହୁ ସାରସ୍ୱତ ସାଧକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.