ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବିଶ୍ୱ ପୁସ୍ତକ ଦିବସ ଅବସରରେ ରାଜ୍ୟର ସଂଭ୍ରାନ୍ତ ସାହିତ୍ୟ ପତ୍ରିକା ଓ ଅଗ୍ରଣୀ ପୁସ୍ତକ ପ୍ରକାଶନୀ ସଂସ୍ଥା ‘ଅପୂର୍ବା ପ୍ରକାଶନୀ’ ପକ୍ଷରୁ ଏକ ନୂତନ ବୁକ୍ ଶପ୍ ରାଜଧାନୀରେ ଲୋକାର୍ପିତ ହୋଇଯାଇଛି। ଭୁବନେଶ୍ୱର ୟୁନିଟ୍-୩ ଅଞ୍ଚଳରେ ଅବସ୍ଥିତ ଏହି ବୁକ୍ ଶପ୍କୁ ବରିଷ୍ଠ କବି ଡକ୍ଟର ଫନୀ ମହାନ୍ତି ଓ ବିଶିଷ୍ଟ କବି ରବି ନାରାୟଣ ସେନାପତି ରିବନ୍ କାଟି ଉଦ୍ଘାଟନ କରିଥିଲେ। ଏହି ଅବସରରେ ଅତିଥିମାନେ କହିଥିଲେ ଯେ, ରାଜଧାନୀରେ ନିର୍ବାଚିତ ସାହିତ୍ୟ ପୁସ୍ତକ ସମ୍ବଳିତ ଏକ ବିଶେଷ ବୁକ୍ ଶପ୍ର ଦୀର୍ଘଦିନର ଆବଶ୍ୟକତା ରହିଥିଲା। ପାଠକମାନେ ନିଜ ରୁଚି ଅନୁସାରେ ପୁସ୍ତକ ପାଇବାରେ ଯେଉଁ ଅସୁବିଧା ଭୋଗୁଥିଲେ, ଏହି ବୁକ୍ ଶପ୍ ଆରମ୍ଭ ହେବା ଦ୍ୱାରା ସେହି ଅଭାବ ଅନେକ ଅଂଶରେ ପୂରଣ ହେବ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଏହା ପାଇଁ ସେମାନେ ଅପୂର୍ବା ପ୍ରକାଶନୀର ଅଧ୍ୟକ୍ଷ ଗାଳ୍ପିକ କ୍ଷୀରୋଦ ପତିଙ୍କୁ ସାଧୁବାଦ ଜଣାଇଥିଲେ। ଲୋକାର୍ପଣ ଅନୁଷ୍ଠାନରେ ରାଜ୍ୟର ବିଶିଷ୍ଠ ସାହିତ୍ୟିକ ଡକ୍ଟର ହୃଷୀକେଶ ମଲ୍ଲିକ, କବି ଅଶ୍ୱିନୀ କୁମାର ମିଶ୍ର, ଡକ୍ଟର ପ୍ରସନ୍ନ କୁମାର ମହାନ୍ତି, ଲେଖକ ଡକ୍ଟର ବିଜୟ କେତନ ପଟ୍ଟନାୟକ, ରକ୍ଷକ ନାୟକ, ରତ୍ନାକର ରାଉତ, ଭୁବନାନନ୍ଦ ତ୍ରିପାଠୀ, ସବ୍ୟସାଚୀ ପଟ୍ଟନାୟକ ଓ ସନ୍ତୋଷ କୁମାର ରାଉତରାୟ ଉପସ୍ଥିତ ଥିଲେ। ‘ଅପୂର୍ବା’ର ପରିଚାଳନା ସଂପାଦିକା ଆଡ଼ଭୋକେଟ ଲୋପାମୁଦ୍ରା ଦାଶ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।





