ଗୋପାଳବାଡ଼ିରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ; ଖଦୀ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କୋଳନରା ବ୍ଲକ ଗୋପାଳବାଡ଼ିରେ ଉତ୍କଳ ଖଦୀ ମଣ୍ଡଳ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚନ ସହ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଖଦୀ ମଣ୍ଡଳ କର୍ମୀ, ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ବ୍ୟାପକ ଉପସ୍ଥିତି ଦେଖିବାକୁ ମିଳିଥିଲା। ଉତ୍କଳ ଖଦୀ ମଣ୍ଡଳ ସଭାପତି ବୈଷ୍ଣବ ଚରଣ ଦାସ ବେଦମନ୍ତ୍ର ପାଠ ଓ ସର୍ବୋଦୟ ପ୍ରାର୍ଥନା ମଧ୍ୟରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ସେ କହିଥିଲେ ଯେ ଗାନ୍ଧୀଜୀ ଖଦୀକୁ ସ୍ୱାବଲମ୍ବନ ଓ ସ୍ୱଦେଶୀ ଆନ୍ଦୋଳନର ପ୍ରତୀକ ଭାବେ ଦେଖୁଥିଲେ। ଆଜି ମଧ୍ୟ ଖଦୀ ଗ୍ରାମୀଣ ଅର୍ଥନୀତିକୁ ସଶକ୍ତ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନେଉଛି ବୋଲି ସେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ନବ ନିର୍ମିତ ଅତିଥିଶାଳା ଓ ପଠାଗାରର ଉଦ୍ଘାଟନ ମଧ୍ୟ କରାଯାଇଥିଲା। ଗୋପାଳବାଡ଼ି ଆଶ୍ରମ ଦୀର୍ଘଦିନ ଧରି ଆଦିବାସୀ ଅଞ୍ଚଳରେ ଖଦୀ ପ୍ରସାର, ସୁତା କଟା, ଲୁଗା ବୁଣା, ଶିକ୍ଷା ଭଳି ଜନଜାତି ବିକାଶରେ କାର୍ଯ୍ୟ କରିଆସୁଛି। କାର୍ଯ୍ୟକ୍ରମରେ ଖଦି ମଣ୍ଡଳର ସମ୍ପାଦକ ସତ୍ୟକାମ ଦେବ ଜ୍ୟୋତି, କାର୍ଯ୍ୟକାରିଣୀ ସଦସ୍ୟ ମାନେ ଓ ବହୁ ସଂଖ୍ୟକ ଅଞ୍ଚଳ ବାସି ଯୋଗଦେଇ ଗାନ୍ଧୀଜୀଙ୍କ ଆଦର୍ଶକୁ ସ୍ମରଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.